Odisha news

ବର୍ଷା ଋତୁ ସମୟରେ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାର ନିରୀକ୍ଷଣ କଲେ ରାୟଗଡ଼ା ଡିଆରଏମ୍

0

ବର୍ଷା ଋତୁରେ ଲଗାତାର ବର୍ଷାକୁ ଦୃଷ୍ଟିରେ ରଖି ଟ୍ରେନ୍ ଚଳାଚଳକୁ ସୁରକ୍ଷିତ ଓ ନିରବଚ୍ଛିନ୍ନ ରଖିବା ଉଦ୍ଦେଶ୍ୟରେ ରାୟଗଡ଼ା ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ (ଡିଆରଏମ୍) ଶ୍ରୀ ଅମିତାଭ ସିଂଘଲ ରାୟଗଡ଼ା ରେଳ ମଣ୍ଡଳ ଅଧୀନରେ ଥିବା ବିଭିନ୍ନ ସମ୍ବେଦନଶୀଳ ରେଳ ବିଭାଗ ଗୁଡ଼ିକର ବ୍ୟାପକ ନିରୀକ୍ଷଣ କରିଛନ୍ତି । ବିଶେଷକରି ଘାଟି ସେକ୍ସନ୍‌ରେ ପ୍ରବଳ ବର୍ଷା, ଟ୍ରାକ ଉପରେ ଜଳ ଜମା ହେବା, ପାହାଡ଼ରୁ ପଥର ଖସିବା ଓ ମାଟି ଧସିବା ଭଳି ବିପଦପ୍ରବଣ ସ୍ଥାନଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଉପରେ ସେ ଗୁରୁତ୍ୱ ଦେଇ ସମୀକ୍ଷା କରିଛନ୍ତି ।

ନିରୀକ୍ଷଣ ସମୟରେ ଶ୍ରୀ ସିଂଘଲ ରେଳ ଅଧିକାରୀମାନଙ୍କର ପ୍ରସ୍ତୁତିର ସମୀକ୍ଷା କରିବା ସହ ବିପଦପ୍ରବଣ କଟିଂ, ଟନେଲ୍, ଜଳ ନିଷ୍କାସନ ବ୍ୟବସ୍ଥା, ସିଗ୍ନାଲିଂ ସଂସ୍ଥାପନା ଏବଂ ରେଳପଥର ସ୍ଥିତିକୁ ଯାଞ୍ଚ କରିଥିଲେ। ସେ କହିଛନ୍ତି ଯେ, ଯାତ୍ରୀ ଓ ଟ୍ରେନ୍ ସୁରକ୍ଷା ହିଁ ରାୟଗଡ଼ା ରେଳ ମଣ୍ଡଳର ସର୍ବୋଚ୍ଚ ପ୍ରାଥମିକତା। ବର୍ଷା ଋତୁରେ ସମସ୍ତ ସମ୍ବେଦନଶୀଳ ସ୍ଥାନ ଉପରେ ନିରନ୍ତର ନଜର ରଖିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଲଗାତାର ବର୍ଷା ସତ୍ତ୍ୱେ ଟ୍ରେନ୍ ଚଳାଚଳକୁ ସ୍ୱାଭାବିକ ରଖିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକର ମଧ୍ୟ ସେ ସମୀକ୍ଷା କରିଥିଲେ। ରେଳର ବିଭିନ୍ନ ଟିମ୍ ରେଳପଥର ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖୁଛନ୍ତି, ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଜଳ ଜମାହେବାକୁ ତୁରନ୍ତ ଦୂର କରୁଛନ୍ତି ଏବଂ ସିଗ୍ନାଲିଂ ବ୍ୟବସ୍ଥାର ସଠିକ୍ କାର୍ଯ୍ୟକ୍ଷମତା ସୁନିଶ୍ଚିତ କରୁଛନ୍ତି। ପ୍ରତିକୂଳ ପାଗର ପ୍ରଭାବକୁ କମାଇ ଯାତ୍ରୀ ସୁରକ୍ଷା ବଜାୟ ରଖିବା ପାଇଁ ସମସ୍ତ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି।

ରାୟଗଡ଼ା ରେଳ ମଣ୍ଡଳ ବର୍ଷା ଋତୁ ପୂର୍ବରୁ ହିଁ କୋତ୍ତାଭାଲାସା–କିରନ୍ଦୁଲ (କେକେ), କୋରାପୁଟ–ରାୟଗଡ଼ା (କେଆର) ଏବଂ ରାୟଗଡ଼ା–ବିଜୟନଗରମ (ଆରଭି) ରେଳ ମାର୍ଗ ଘାଟି ସେକ୍ସନ୍‌ର ବିପଦପ୍ରବଣ ଅଞ୍ଚଳଗୁଡ଼ିକରେ ଭିତ୍ତିଭୂମି ସୁରକ୍ଷା କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି। ପାହାଡ଼ ଗଡାଣିଆ ଭାଗର ସ୍ଥିରତା ବୃଦ୍ଧି ପାଇଁ ରକ୍ ଫଲ୍ ବ୍ୟାରିୟର, ରକ୍ ବୋଲ୍ଟିଂ, ୱୟାର୍ ମେଶ୍ ନେଟିଂ କାର୍ଯ୍ୟ ବହୁତ ସ୍ଥାନରେ ସରିଯାଇଥିବାବେଳେ କେତେକ ସ୍ଥାନରେ ଏହି କାର୍ଯ୍ୟ ସାରିବାକୁ ଯାଉଅଛି ।  କେକେ, କେଆର ଓ ଆରଭି  ରେଳ ସେକ୍ସନରେ ଏହି ସୁରକ୍ଷା କାର୍ଯ୍ୟରେ ଉଲ୍ଲେଖନୀୟ ପ୍ରଗତି ହୋଇଛି। କେତେକ ସ୍ଥାନରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅବଶିଷ୍ଟ ସ୍ଥାନଗୁଡ଼ିକରେ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି। ଦୀର୍ଘମିଆଦୀ ସମାଧାନ ପାଇଁ ଢାଳର ସ୍ଥିରତା ବୃଦ୍ଧି ଏବଂ ରେଳ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଭୂତତ୍ତ୍ୱ ଓ ଭୂଭୌତିକ ଅଧ୍ୟୟନ ମଧ୍ୟ ଚାଲିଛି।

ଶ୍ରୀ ଅମିତାଭ ସିଂଘଲ ପୁନର୍ବାର କହିଛନ୍ତି ଯେ, ଲଗାତାର କ୍ଷେତ୍ର ପର୍ଯ୍ୟବେକ୍ଷଣ, ବିଭିନ୍ନ ବିଭାଗ ମଧ୍ୟରେ ଘନିଷ୍ଠ ସମନ୍ୱୟ ଏବଂ ସମୟୋପଯୋଗୀ ପ୍ରତିରୋଧମୂଳକ ପଦକ୍ଷେପ ମାଧ୍ୟମରେ ବର୍ଷା ଋତୁର ସମସ୍ତ ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ରାୟଗଡ଼ା ରେଳ ମଣ୍ଡଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ସେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଯାତ୍ରୀ ସୁରକ୍ଷା ଏବଂ ନିରବଚ୍ଛିନ୍ନ ଟ୍ରେନ୍ ଚଳାଚଳ ହେଉଛି ରେଳ ମଣ୍ଡଳର ସର୍ବୋଚ୍ଚ ପ୍ରାଥମିକତା । ଇଞ୍ଜିନିୟରିଂ, ସିଗ୍ନାଲ୍ ଏବଂ ଟେଲିକମ୍ ତଥା ଅପରେଟିଂ ବିଭାଗର କର୍ମଚାରୀମାନଙ୍କର 24 ଘଣ୍ଟିଆ ଦିନରାତି ନିଷ୍ଠାପୂର୍ଣ୍ଣ ପ୍ରୟାସକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି ।

Nalco
Leave A Reply