Odisha news

ତାପମାତ୍ରା ୪୦ ଡିଗ୍ରୀ ଉପରେ, ଜଳଛତ୍ରମାନ ଖୋଲିବା ପାଇଁ ଆଗ୍ରହୀ ନୁହଁନ୍ତି ନବ ନିର୍ବାଚିତ ସରପଂଚମାନେ

0

ନର୍ଲା(ଦୀପକ କୁମାର ଠାକୁର) : ପ୍ରବଳ ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇବା ପାଇଁ ଏବେ ଜଳର ଆବଶ୍ୟକତା ରହିଛି। ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ସତର୍କ ସୂଚନା ଦିଆଯାଇଛି। ମାର୍ଚ୍ଚ ଦ୍ଵିତୀୟ ସପ୍ତାହରୁ ନର୍ଲା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇଛି ଖରାର ପ୍ରକୋପ। ପ୍ରଶାସନିକ ସ୍ତରରୁ ମାର୍ଚ୍ଚ ମାସ ଆରମ୍ଭରୁ ବିଭିନ୍ନ ସ୍ଥାନରେ ଜଳଛତ୍ରମାନ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଏ। କିନ୍ତୁ ଚଳିତ ବର୍ଷ ଏ ପର୍ଯ୍ୟନ୍ତ କୌଣସି ସ୍ଥାନରେ ଜଳଛତ୍ରମାନ ଖୋଲିବା ଦେଖାଯାଉ ନାହିଁ।ଏହା ନେଇ ପ୍ରଶାସନ ପକ୍ଷରୁ ଏପ୍ରିଲ ପ୍ରଥମରୁ ଜଳଛତ୍ର ଖୋଲା ଯିବା କଥା କୁହାଯାଉଥିଲା ହେଲେ ଏବେ ମଧ୍ୟ ଖୋଲା ଯାଇ ନଥିବା ଫଳରେ ଲୋକମାନେ ଟାଣ ଖରାରୁ ଶୋଷ ମେଣ୍ଟାଇବା ପାଇ ହନ୍ତସନ୍ତ ହେଉଛନ୍ତି। ବସରୁ ଓହ୍ଲାଇବା ପରେ କିମ୍ବା ବିଶ୍ରାମ ଗାରରେ ଅପେକ୍ଷାରତ ଯାତ୍ରୀଟିଏ ଟୋପାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି। ବର୍ତ୍ତମାନ ନିର୍ବାଚନ ଉଷ୍ମତା କମିଲାଣି ତେବେ ଗ୍ରୀଷ୍ମ ଉଷ୍ମତା ବୃଦ୍ଧି ପାଇଛି। ନବ ନିର୍ବାଚିତ ସରପଂଚମାନେ ଜଳଛତ୍ରମାନ ଖୋଲିବା ପାଇଁ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ସର୍ବସାଧାରଣରେ ଦାବି ହେଉଥିବା ବେଳେ ରୁପ୍ରାରୋଡ ପଂଚାୟତ ଶବରପଡା ଓ ଡମଶିଲାଟ ମଝିରେ ଗୋକୁଲ ଚନ୍ଦ ରାଧେଶ୍ୟାମ ନାମକ ପରିବାର ତରଫରୁ ସ୍ୱର୍ଗତ ରାଧେଶ୍ୟାମଙ୍କ ସ୍ମୃତିରେ ଏକ ଜଳଛତ୍ର ଖୋଲା ଯାଇଛି। ଯାହାକି ଯିବା ଆସିବା ଲୋକେ ପିଇବା ପାଇଁ ପାଣି ପାଉଥିବା ବେଳେ ବୁଲା କୁକୁର ,ଗାଈ ଗୋରୁ ସହିତ ପଶୁ ପକ୍ଷୀ ମଧ୍ୟ ପିଇବା ପାଣି ପାଇ ପାରୁଛନ୍ତି। ତେବେ ପଞ୍ଚାୟତ ସ୍ତରରେ କୈାଣସି ସ୍ଥାନରେ ଜଳଛତ୍ର ଖୋଲା ନ ଯିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ଜନସାଧାରଣରେ ଆଲୋଚନା ହେଉଛି।

Leave A Reply