ନର୍ଲା (ଦୀପକ କୁମାର ଠାକୁର) : ନର୍ଲା ବ୍ଳକରେ ନାମକୁ ମାତ୍ର ପାନୀୟ ଜଳ ପ୍ରକଳ୍ପ। କେଉଁଠି ପାଣି ପାଇପ ଫାଟି ରାସ୍ତା ଉପରେ ପାଣି ଯାଉଛି ତ କେଉଁଠି ପାଣି ଷ୍ଟାଣ୍ଡ ଭାଙ୍ଗି ପଡ଼ିଛି। ପୁଣି କେଉଁଠି ଚାଷ ଜମିକୁ ଓଭର ହେଡ ଟ୍ୟାଙ୍କିରୁ ପାଣି ଯାଉଛି। ବ୍ଳକର ଅନେକ ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ନ ହେବାରୁ ସେଥିରୁ ପାଣି ଆସୁ ନାହିଁ। ଯାହା ଫଳରେ ଲୋକେ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ଳକର ଭୀମକେଲା ଗ୍ରାମରେ ପାଇପ ଲାଇନ କାମ ନିମ୍ନ ମାନର ହୋଇଥିବା ଅଭିଯୋଗ ଗ୍ରାମବାସୀ କରିଥିଲେ। ଏଠାରେ ଓଭର ହେଡ ଟ୍ୟାଙ୍କିରୁ ଓଭର ଫ୍ଲୋ ହୋଇ ପାଣି ବାହାରି ଚାଷ ଜମିକୁ ଯାଉଥିବା ବେଳେ ଗ୍ରାମର କୁମ୍ଭାର ପଡା ପର୍ଯ୍ୟନ୍ତ ଠିକ ରୂପେ ପାଣି ଆସୁ ନ ଥିବା ଏବଂ ଅପରାହ୍ନ ସମୟରେ ମୋଟାମୋଟି ଭାବରେ ପାଣି ଯୋଗାଣ ହେଉ ନ ଥିବା ଅଭିଯୋଗ ଗ୍ରାମବାସୀ କରିଛନ୍ତି। ନର୍ଲା ବ୍ଳକର ନର୍ଲା, ରୁପ୍ରାରୋଡ, ତୁଲାପଡା, ବାଲିପଡା, ରୁପ୍ରା, ଭାନପୁର, ଭୀମକେଲା ଆଦି ଗ୍ରାମରେ ପୋତା ଯାଇଥିବା ପାଇପ ଗୁଡ଼ିକ ଫାଟିଯିବା ଓ ଅନେକ ସମୟରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ପାଣି ଯୋଗାଣରେ ବ୍ୟାଘାତ ସୃଷ୍ଟି ହେଉଥିବା ଜଣାଯାଏ। ବ୍ଳକର ୧ ଲକ୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଛି ଏ ସବୁ ଜଳ ପ୍ରକଳ୍ପ କିନ୍ତୁ ଏଠାରେ ଠିକାଦାର ଓ ଜଳ ଯୋଗାଣ ବିଭାଗ ମାଲାମାଳ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି।
Comments are closed.