Odisha news

ନର୍କରେ ଜୀବନ ଜିଉଁଛି ଉର୍ମିଳା : ପର ଘରେ କଂସା ମାଜୁଛନ୍ତି ମାଁ ଓ ୧୨ ବର୍ଷର ଝିଅ କସ୍ତୁରୀ

ନର୍ଲା/ସକାଳ ଖବର (ଦୀପକ କୁମାର ଠାକୁର) : ଜୀବନ କିପରି ଯନ୍ତ୍ରଣା ଦାୟକ ତାହାର ନମୂନା ଦେଖିବାକୁ ମିଳିଛି କର୍ଲାମୁଣ୍ଡା ର ଡୁକେରମାଲ୍ ରେ । ସ୍ବାମୀ ଗୁଣନିଧି ସାହୁ ଓ ୧୨ ବର୍ଷର ଝିଅ କୁ ନେଇ ଉର୍ମିଳା ର ସଂସାର । ସରକାରଙ୍କ ଅନ୍ତୋଦୟ ତାଲିକା ଭୂକ୍ତ ହୋଈଥିବା ଏହି ପରିବାରର ଦୁର୍ଦ୍ଦଶା ଅତ୍ୟନ୍ତ ଗମ୍ଭୀର । ସ୍ବାମୀ ଗୁଣନିଧି ମାସାଧିକ ହେଲା ଶଯ୍ୟାଶାୟୀ । ରୋଜଗାର କିଛି ନାହିଁ । ପର ଘରେ ମା ଝିଅ କଂସା ବାସନ ମାଜି ଆଣିଲେ ଘର ଚଳେ । ସେତେବେଳ ଯାଏ ସ୍ବାମୀ ଘରେ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଘରେ ପଡିଥାଏ । ଘରକୁ ଫେରି ସ୍ବାମୀ କୂ ସଫା ସୁତୁରା କରିବା ପରେ ପେଟରେ ପଡେ ଦାନା ।

ବହୁ ଚର୍ଚ୍ଚିତ ଦାନ ମାଝୀ ସିନା ଦିନକ କଷ୍ଟ କରି ନିଜ ପତ୍ନୀର ଶଵକୂ କାନ୍ଧରେ ଧରି ଘରକୁ ଫେରୁଥିଲା ହେଲେ ଉର୍ମିଳା ଏକ ଜୀବନ୍ତ ଶବର ବୋଝ ମାସମାସ ହେଲା ମୁଣ୍ଡରେ ବୋହିଛି । ନିଜର ବୋଲି କେହି ନଥିବା ଉର୍ମିଳା ପାଇଁ ସ୍ବାମୀର ଚିକିତ୍ସା ସମ୍ଭବ ନୁହେଁ । କିଏ ଦେବ ଟଙ୍କା । ନା ଶୁଣିଛି ପ୍ରଶାସନ ନା ଜାଣିଛନ୍ତି ଜନ ପ୍ରତିନିଧି । ଜୀବନ ବିକଳରେ ତାଟିଆ କାମୁଡି ଭାଗ୍ୟକୁ ଦୋଷାରୋପ କରି ଭୋକ ଉପାସରେ ଦିନ କାଟୁଛନ୍ତି ଏହି ପରିବାର । ଏହା ଜଣା ପଡିବା ପରେ ସ୍ବର୍ଗଦ୍ବାର ସେବା ସଂଗଠନର ଅଧ୍ୟକ୍ଷ ସମାଜସେବୀ ମନୋଜ କୁମାର ପଟ୍ଟନାୟକ ଗତ ରାତ୍ରିରେ ପହଞ୍ଚି ଥିଲେ ଉର୍ମିଳା ଘରେ । ଅସଂଜତ ଘର । ଦୁର୍ଗନ୍ଧରେ ଫାଟି ପଡୁଛି ନାକ । ତଥାପି ଘରକୁ ଯାଇ ସମାଜସେବୀ ସାମାନ୍ୟ ରାସନ ସହିତ ୧୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । କର୍ଲାମୁଣ୍ଡା ବିଡିଓ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ ଗୁଣନିଧି କୁ ଚିକିତ୍ସା ଯୋଗାଇ ଦେବାକୁ ଦାବୀ କରିଛନ୍ତି ଶ୍ରୀ ପଟ୍ଟନାୟକ । ଖାଦ୍ୟପେୟର ଅଭାବରୁ ଗୁଣନିଧି ର ଏଇ ଅବସ୍ଥା ହୋଇଛି ବୋଲି ଡୁକେରମାଲ୍ ଗ୍ରାମବାସୀ ପ୍ରକାଶ କରିଛନ୍ତି ।

Comments are closed.