ନର୍ଲା ( ଦୀପକ ଠାକୁର ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଞ୍ଚଳରେ ଏବେ ୟୁରିଆ ସାରର ଘୋର ଅଭାବ ଦେଖାଦେଇଛି। ଚାଷୀ ରୁଆ , ବେଉଷଣ କାମରେ ସାର ଦେଇପାରୁ ନାହିଁ। ଯାହା ଫଳରେ ଆଶାନୁରୂପ ଫସଲ ଅମଳ କରି ନ ପାରି ଏ ଅଞ୍ଚଳର ଚାଷୀ ଋଣଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ତେବେ ସାର ବ୍ୟବସାୟୀ ୟୁରିଆ ସାରର ଅଭାବ ଦର୍ଶାଇ କଳାବଜାରୀ କରୁଥିବାର କାରନାମା ଏବେ ପ୍ରକାଶ ପାଉଛି।
ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡର ସାର ଡିଲର ରାଜ କୁମାର ଅଗ୍ରୱାଲ ଚଞ୍ଚକତା କରି ଜଣେ ଭୂମିହୀନ ବ୍ୟକ୍ତିଙ୍କ ନାମରେ ଟନ୍ ଟନ ସଂଖ୍ୟାରେ ୟୁରିଆ ସାର ବିକ୍ରୀ କରିବାର ଷଡ଼ଯନ୍ତ୍ର କରିଥିବାର ଅଭିଯୋଗ ହୋଇଛି। ବିଶ୍ଵସ୍ତ ଖବରରୁ ଜଣାଯାଏ ବଲବସପୁର ଗ୍ରାମର ବରୁଣ ମାଝୀ ଓ ତାଙ୍କ ପୁଅ ଥବିର ମାଝୀ ଜମି ମାଲିକ ପବନ ଅଗ୍ରୱାଲଙ୍କ ଚାଷ ଜମିକୁ ଦେଖାରଖା କରନ୍ତି।
ବରୁଣ ମାଝୀଙ୍କ କହିବା ଅନୁସାରେ ଥବିର ମାଝୀ ଜମି ମାଲିକଙ୍କ ଠାରୁ ଟଙ୍କା ନେଇ ୟୁରିଆ ସାର ଆଣିବା ପାଇଁ ନିତୁ ଫର୍ଟିଲାଇଜର ଦୋକାନକୁ ଯାଇଥିଲେ ।ସାର ଦୋକାନରୁ ୧ କୁଇଣ୍ଟାଲ ୟୁରିଆ ସାର କିଣି ଫେରିଥିଲେ। କିନ୍ତୁ ଥବିର ମାଝୀ ନାମରେ ୪.୯୭ ମେଟ୍ରିକ୍ ଟନ୍ ସାର କ୍ରୟ ହୋଇଥିବାର ତଥ୍ୟ କୈ।ଣସି ମତେ ଖବର ପାଇ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ଏହାର ତଦନ୍ତ ଆରମ୍ଭ କରିଥିଲେ।
ସ୍ଥାନୀୟ ଆର୍ .ଆଇଙ୍କୁ ନେଇ ଥବିର ମାଝୀ ଓ ତାଙ୍କ ବାପାଙ୍କୁ ପଚରାଉଚରା କରିଥିଲେ। ଏହା ପୂର୍ବରୁ ଅନେକ ଥର ଉକ୍ତ ନିତୁ ଫର୍ଟିଲାଇଜର ମାଲିକଙ୍କ ନାମରେ ସାର ହେରଫେର, କଳାବଜାରୀ ରେ ସାର ବିକ୍ରୀ କରିବା ଆଦି ଅଭିଯୋଗ ହୋଇଛି। ଏଣୁ ଏହାର ଉଚିତ ତଦନ୍ତ ହେବାକୁ ଚାଷୀ ସଂଗଠନ ପକ୍ଷରୁ ଦୃଢ ଦାବି ହେଉଛି।