Odisha news

ଅନନ୍ୟ ସାରସ୍ୱତ ପ୍ରତିଭା ନନ୍ଦକିଶୋର : ଡିସେମ୍ବର ୨୨ ତାରିଖ ନନ୍ଦକିଶୋର ବଳଙ୍କ ୧୪୫ ତମ ଜୟନ୍ତୀ ଉପଲକ୍ଷେ….

0

ହିମାଂଶୁ ଶେଖର ଆଚାର୍ଯ୍ୟ : ବୃତ୍ତି ଓ ପ୍ରବୃତ୍ତିର ଅପୂର୍ବ ସମନ୍ୱୟ ଥିଲେ ନନ୍ଦକିଶୋର । ସେ ଚିହ୍ନିଥିଲେ ମାଆକୁ,ମାଟିକୁ ଓ ମାତୃଭାଷାକୁ । ତାଙ୍କ ଲେଖନୀରେ ଭରି ରହିଥିଲା ପଲ୍ଲୀଜୀବନର କଥା-ବ୍ୟଥା ବେଦନା-ଯନ୍ତ୍ରଣା,ସୁଖ-ଦୁଃଖ ଓ ସବୁକିଛି । ତାଙ୍କ ରଚିତ ‘ପଲ୍ଲୀଚିତ୍ର’, “ନିର୍ଝରିଣୀ”,’ବସନ୍ତ କୋକିଳ’, “ତରଙ୍ଗିଣୀ”,”ଚାରୁଚିତ୍ର”, “ଶର୍ମିଷ୍ଠା”, “ଜନ୍ମଭୂମି”, “ନିର୍ମାଲ୍ୟ” ଓ “ନାନାବାୟା ଗୀତ” ପ୍ରଭୃତି କାବ୍ୟକୁଞ୍ଜ ଓଡିଆ ସାହିତ୍ୟର ଗୋଟିଏ ଗୋଟିଏ ଅମୂଲ୍ୟ ରନô । ଏଥିସହିତ ରୋମାଣ୍ଟିକ ଓ ଐତିହାସିକ କବିତା ଲେଖିବାରେ ମଧ୍ୟ ଧୁରନ୍ଧର ଥିଲେ ସେ । ସେହିପରି ଐତିହାସିକ କାବ୍ୟ “କୃଷ୍ଣା କାବେରୀ” ରେ ତାଙ୍କ କବିତ୍ୱର ଛିଟା ସ୍ପଷ୍ଟ ବାରି ହୋଇପଡେ । ଏଥିସହିତ ରାଶି ରାଶି ଚତୁର୍ଦ୍ଦଶୀ ପଦୀ କବିତା ମଧ୍ୟ ସେ ଲେଖିଯାଇଛନ୍ତି ।

ଖାଲି ସେତିକି ନୁହେଁ ଓଡିଆ ସାରସ୍ୱତ ଜଗତକୁ ଶ୍ରୀବୃଦ୍ଧି କରିବାରେ ସେ ନିରନ୍ତର ପ୍ରୟାସ କରିଥିଲେ । ତାଙ୍କ ଲେଖାରେ ପଲ୍ଲୀ ଜୀବନର ସୁନ୍ଦର ଚିତ୍ର ଅତି ନିଖୁଣ ଭାବେ ପ୍ରତିଫଳିତ ହୋଇଥିଲା । ତାଙ୍କର ସୃଜନଶୀଳତା ଏ ମାଟିର ପଲ୍ଲୀ ଜୀବନକୁ ବେଶ୍ ସରସ ସୁନ୍ଦର କରିପାରିଛି । ତାଙ୍କର କାଳଜୟୀ ସୃଷ୍ଟିରେ ପଲ୍ଲୀ ଚିତ୍ର ଓ ଗ୍ରାମ୍ୟ ଜୀବନର ବର୍ଣ୍ଣନା ଏତେ କମନୀୟ ହୋଇଉଠିଛି ଯେ ଏକଥା ଯେ କେହି ପାଠକ ନିଃସନେ୍ଦହରେ ସ୍ୱୀକାର କରିବେ । ପଲ୍ଲୀ ଜୀବନର ଆଠଟି ଦୃଶ୍ୟ ଯଥା : ପଲ୍ଲୀବାସୀ, ଗ୍ରାମଖଳା,ଗ୍ରାମ ·ଟଶାଳା, ଗ୍ରାମ ତୋଟା, ଗ୍ରାମ ଦେବତା ,ଗ୍ରାମ ମହାଦେବ,ଗ୍ରାମ ଶ୍ମଶାନ, ଗ୍ରାମ ହାଟକୁ ନେଇ ତାଙ୍କର ପ୍ରତ୍ୟେକଟି କବିତା ସ୍ନିଗ୍ଧ, ସୁନ୍ଦର ଓ ପ୍ରାଣବନ୍ତ ହୋଇଛି ।

ଏହି ଯୋଗଜନ୍ମା ସାଧକ ୧୮୭୫ ମସିହା ଡିସେମ୍ବର ୨୨ତାରିଖରେ ନନ୍ଦକିଶୋର କଟକ ଜିଲ୍ଲା କୁସୁପୁର ଗ୍ରାମରେ ପିତା ଭଜନାନନ୍ଦ ଜେନା ଓ ମାତା ହିରଣ୍ମୟୀ ଦେବୀଙ୍କ କୋଳମଣ୍ଡନ କରିଥିଲେ । ତୁଳସୀ ଦୁଇପତ୍ରରୁ ବାସିଲା ପରି ବାଲ୍ୟକାଳରୁ ତାଙ୍କ ସାରସ୍ୱତ ପ୍ରତିଭାର ଉନ୍ମେଷ ଘଟିଥିଲା । ସେ କୁସୁପୁର ପ୍ରାଥମିକ ବିଦ୍ୟାଳୟ, କଟକ ଟାଉନ୍ ସ୍କୁଲ୍, ରେଭେନ୍ସା କଲିଜିଏଟ୍ ସ୍କୁଲ୍ ଓ କେନ୍ଦ୍ରାପଡା ହାଇସ୍କୁଲରୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଲାଭକରି ପରେ ରେଭେନ୍ସା କଲେଜରୁ ସ୍ନାତକ ଶିକ୍ଷା ଲାଭ କରିଥିଲେ । ପ୍ରଥମେ ଶିକ୍ଷକତାରୁ ନିଜର କର୍ମମୟ ଜୀବନର ଶୁଭାରମ୍ଭ କରିଥିଲେ ସେ । ପରବର୍ତ୍ତୀ ସମୟରେ ନିଜର କାର୍ଯ୍ୟ କୁଶଳତା ଯୋଗୁଁ ୧୯୦୩ ମସିହାରେ କଟକ ଜିଲ୍ଲା ବୋର୍ଡ ଅଧୀନରେ ସ୍କୁଲ ସବ୍ଇନ୍ସପେକ୍ଟର, ୧୯୧୧ ମସିହାରେ ସମ୍ବଲପୁର ଜିଲ୍ଲା ସ୍କୁଲର ପ୍ରଧାନଶିକ୍ଷକ, ୧୯୧୫ ମସିହାରେ ଡେପୁଟି ଇନ୍ସପେକ୍ଟର ଭାବେ କାର୍ଯ୍ୟ ସେ ତାଙ୍କର ପାରଦର୍ଶିତାର ପ୍ରମାଣ ଦେଇଥିଲେ । ଏସବୁ ଥିଲା ତାଙ୍କ ପାଇଁ ଗୋଟିଏ ଗୋଟିଏ ଅଗ୍ନି ପରୀକ୍ଷା ।

ସବୁ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ ନନ୍ଦକିଶୋର । ତାଙ୍କ ଦକ୍ଷତା ଓ କୃତିତ୍ୱକୁ ସ୍ୱୀକୃତି ଜଣାଇ ୧୯୨୪ ମସିହାରେ ଇଂରେଜ ସରକାର ତାଙ୍କୁ “ରାୟ ବାହାଦୂର” ଉପାଧି ପ୍ରଦାନ କରିଥିଲେ ।

ଜଣେ କାବ୍ୟକାର ଓ ପଲ୍ଲୀକବି ଭାବରେ ନନ୍ଦକିଶୋର ଯେପରି ପ୍ରତିଷ୍ଠିତ,ଜଣେ ଦକ୍ଷ ଗଦ୍ୟଶିଳ୍ପୀ ଭାବେ ମଧ୍ୟ ସେପରି ସୁପରିଚିତ । ତାଙ୍କର ପ୍ରବନ୍ଧ ଓ ଜୀବନୀ ଗଦ୍ୟ ସାହିତ୍ୟରେ ତାଙ୍କ କୃତିତ୍ୱର ପ୍ରମାଣ ଦିଏ । କର୍ମ,ସଂଗ୍ରାମ ଓ ଜୀବନ ଏବଂ ଉକôଳ ସାହିତ୍ୟ ଇତ୍ୟାଦି ତାଙ୍କର ତତ୍ତ୍ୱନିଷ୍ଠ ପ୍ରବନ୍ଧ । ରାୟ ମଧୁସୂଦନ ରାଓ ବାହାଦୂର,ଉକôଳ କବି ଫକୀର ମୋହନ,ମହାରାଜ ଚନ୍ଦ୍ରଗୁପ୍ତ ତାଙ୍କର ଗୋଟିଏ ଗୋଟିଏ ଜୀବନୀ ମୂଳକ ପ୍ରବନ୍ଧ । ଭାରତର ଭବିଷ୍ୟତ ଭାଷା ପ୍ରବନ୍ଧ ତାଙ୍କ ସଫଳ ସୃଷ୍ଟିର ଆଉ ଏକ ନମୁନା । ଏଥିରୁ ଭାରତ ବର୍ଷର ଏକତା ପାଇଁ ତାଙ୍କର ଭବିଷ୍ୟତ ଦୃଷ୍ଟି ଯେ କେତେ ବାସ୍ତବ ତାହା ଏଇ ପ୍ରବନ୍ଧରୁ ସୂଚୀତ ହୁଏ ।

ସେହିପରି କନକଲତା ଉପନ୍ୟାସ ଓ ଲକ୍ଷ୍ମୀ ଗଳ୍ପ ତାଙ୍କ ସାହିତ୍ୟ କୃତିର ପରିଚୟ ଦିଏ । ଯେଉଁଥିପାଇଁ କନକଲତା ଉପନ୍ୟାସକୁ ବାଗ୍ମୀ ବିଶ୍ୱନାଥ କର ଫକୀର ମୋହନଙ୍କ ଛଅମାଣ ଆଠ ଗୁଣ୍ଠ ପରେ ଖାଣ୍ଟି ଓଡିଆ ଉପନ୍ୟାସ ଭାବେ ଗ୍ରହଣ କରିଛନ୍ତି । ପ୍ରକୃତରେ କହିବାକୁ ଗଲେ ପଲ୍ଲୀକବି ନନ୍ଦକିଶୋରଙ୍କ ସୃଷ୍ଟି ବିପୁଳ ଓ ବିବିଧ ।

ସମାଲୋଚନା କ୍ଷେତ୍ରରେ ମଧ୍ୟ ନନ୍ଦକିଶୋରଙ୍କ ଗଭୀର ପ୍ରବେଶ ଥିଲା । କବି ରାଧାନାଥ ଓ ତଦୀୟ କବିତା ନନ୍ଦକିଶୋରଙ୍କ ଏକ ଉକ୍ରୃଷ୍ଟ ସମାଲୋଚନା । ତୁଳନାତ୍ମକ ଦୃଷ୍ଟିକୋଣରୁ ସେ କବିବର ରାଧାନାଥଙ୍କ କାବ୍ୟର ବିଚାର କରି ତାଙ୍କ ଦୋଷ ଓ ଗୁଣକୁ ସଠିକ ଭାବରେ ଦର୍ଶାଇଛନ୍ତି । ତାଙ୍କ ପର୍ଯ୍ୟନ୍ତ ରାଧାନାଥଙ୍କ କବିତାର ଏପରି ପ୍ରାମାଣିକ ଓ ବଳିଷ୍ଠ ଆଲୋଚନା କେହି କରିନଥିଲେ । ସେହିପରି ଭକ୍ତକବି ମଧୁସୂଦନଙ୍କର ଛାନ୍ଦମାଳା ୧ମ ଭାଗ ଓ ଛାନ୍ଦମାଳା ୨ୟ ଭାଗର ସମାଲୋଚନା ତାଙ୍କ ପାଣ୍ଡିତ୍ୟର ପରିଚୟ ଦେଇଥାଏ । “ଚିଠିର ଉତ୍ତର” ମଧ୍ୟ ତାଙ୍କ ସମାଲୋଚନାତ୍ମକ ଦୃଷ୍ଟିଭଙ୍ଗୀର ନିଚ୍ଛକ ଉଦାହରଣ । ସେ ଯେଉଁସବୁ ଚିଠି କବିବର ରାଧାନାଥ, ଗଙ୍ଗାଧର ମେହେର, ଶଶୀଭୂଷଣ ରାୟ,ପଦ୍ମଚରଣ ପଟ୍ଟନାୟକ ପ୍ରମୁଖଙ୍କ ନିକଟକୁ ଲେଖିଥିଲେ ସେଗୁଡିକ ଗୋଟିଏ ଗୋଟିଏ ଅମୂଲ୍ୟ ସମ୍ପଦ । ସେସବୁ ଚିଠିରେ ସାହିତ୍ୟିକ ମୂଲ୍ୟାୟନ ସହିତ ବ୍ୟକ୍ତିତ୍ୱର ମଧ୍ୟ ତୁଳନା ହୋଇଅଛି ।

ଇଂରେଜ ମାନଙ୍କ ରାଜତ୍ୱ ସମୟରେ ଓଡିଶାର ଦୁର୍ଦ୍ଦଶା ତାଙ୍କ କବି ପ୍ରାଣକୁ ବ୍ୟଥିତ କରିଥିଲା । ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନରେ ଉକôଳ ଗୌରବ ମଧୁସୂଦନ,ଉକôଳମଣି ଗୋପବନ୍ଧୁ,ପାରଳା ମହାରାଜା,ବ୍ୟାସକବି ଫକୀର ମୋହନ,କବିବର ରାଧାନାଥଙ୍କ ସ୍ୱର ସହିତ ସ୍ୱର ମିଳାଇ ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନ ନିମନ୍ତେ ନିଷ୍ଠାପର ଉଦ୍ୟମ କରିଥିଲେ । ଓଡିଶା ସ୍ୱତନ୍ତ୍ର ପ୍ରଦେଶ ହେଉ ଓ ଓଡିଆମାନଙ୍କ ସ୍ୱାଭିମାନ ରକ୍ଷା ହେଉ ଏହା ତାଙ୍କର ଅଭିଳାଷ ଥିଲା । ଶୋକ କବିତା ଲେଖିବାରେ ମାହିର ଥିଲେ ନନ୍ଦକିଶୋର । ସରଳ, ସାବଲୀଳ ଭାଷା ଓ ମନୋରମ ଶଦ୍ଦ ସଂଯୋଜନା ତାଙ୍କ ଶୋକ କବିତାର ମୁଖ୍ୟ ବୈଶିଷ୍ଟ୍ୟ ଥିଲା ।

ଉକôଳମାତାର ଏହି ପ୍ରତିଭାଦୀପ୍ତ ମଣିଷ ଆଜି ଆମ ଗହଣରେ ନାହାଁନ୍ତି । ୧୯୨୮ ମସିହା ଜୁଲାଇ ୧ତାରିଖ ରେ ତାଙ୍କର ଦେହାନ୍ତ ହୋଇଯାଇଛି । ହେଲେ ଓଡିଆ ସାହିତ୍ୟକୁ ତାଙ୍କ ବହୁବିଧ ସୃଷ୍ଟି ସମ୍ଭାର ପାଇଁଁ ସେ ଚିରକାଳ ସ୍ମରଣୀୟ ହୋଇ ରହିବେ । ତାଙ୍କରି ଭାଷାରେ ‘ଜାଣେ ମୁଁ ମୋର ଏ ଲେଖନୀ, କିଛି କାଳ ମନେ ରଖିବ ମୋତେ ଏ ଧରଣୀ’ ।

Leave A Reply