Odisha news

ଫେରିବ ବିଜୁବାବୁଙ୍କ ପ୍ରିୟ ‘ଡାକୋଟା’

0

ହିମାଂଶୁ ଶେଖର ଆର୍ଯ୍ୟ : ପ୍ରବାଦପୁରୁଷ କହିଲେ ଯଥେଷ୍ଟ ହେବ ନାହିଁ । ଝଡ଼ର ଇଗଲ ଓ ମାଟିର ମୂର୍ତ୍ତିକାର ବି ପର୍ଯ୍ୟାପ୍ତ ନୁହେଁ ତାଙ୍କୁ ସାମଗ୍ରିକ ଭାବେ ଚିତ୍ରିତ କରିବାରେ । ଜୀବନ ସାରା ନଜିର ପରେ ନଜିର ସୃଷ୍ଟି କରିବାରେ ହିଁ ତାଙ୍କର ରେକର୍ଡ଼ । ଜୀବଦଶାରେ ଯିଏ ସୃଷ୍ଟି କରିଥିଲେ ରାଜନୀତିରେ ଚହଳ ପରେ ଚହଳ, ମୃତୁ୍ୟର ୨୩ ବର୍ଷ ପରେ ବି ସେଇ ପ୍ରବାଦପୁରୁଷ ପାଲଟିଛନ୍ତି ସମସ୍ତଙ୍କର କେନ୍ଦ୍ରବିନ୍ଦୁ । ସେ ହେଉଛନ୍ତି ବିଜୟାନନ୍ଦ ପଟ୍ଟନାୟକ – ସବୁରି ପ୍ରିୟ ବିଜୁ ପଟ୍ଟନାୟକ । ସତେ ଯେମିତି ଓଡ଼ିଆ ସହିତ ବିଜୁ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକଙ୍କ ସହିତ ଓଡ଼ିଆ ଏକାକାର ହୋଇଯାଇଛନ୍ତି । ବିଜୁପଟ୍ଟନାୟକ ଏକାଧାରରେ ଥିଲେ ଜଣେ ବିଶିଷ୍ଟ ରାଜନୀତିଜ୍ଞ, ଦୁଃସାହସିକ ବୈମାନିକ, ଦୂରଦର୍ଶୀ ଶିଳ୍ପପତି, ଉଚ୍ଚକୋଟୀର କ୍ରୀଡାବିତ୍, ଦକ୍ଷକ୍ରୀଡା ସଙ୍ଗଠକ, ଦେଶଭକ୍ତ ସଂଗ୍ରାମୀ, ଓଡିଶା ଏବଂ ଭାରତର ଜଣେ ଅଦ୍ୱିତୀୟ ନେତା । ଜୀବନ ସଂଗ୍ରାମରେ ସେ କେବେ ଭାଙ୍ଗିପଡୁ ନଥିଲେ ଜୟ-ପରାଜୟ ଭିତରେ ଓ ସବୁକୁ ଖେଳୁଆଡ ମନୋଭାବରେ ଗ୍ରହଣ କରୁଥିଲେ । ସେ କଦାପି ଏଣୁ ତେଣୁ କଥା କହୁନଥିଲେ ।

ଯାହା ସେ ଥରେ ଚିନ୍ତା କରୁଥିଲେ , ତାକୁ କାମରେ କରି ଦେଖାଉଥିଲେ । ଏହାହିଁ ଥିଲା ତାଙ୍କ ବ୍ୟକ୍ତିତ୍ୱର ବିଶେଷତ୍ୱ ।
ରାଜନୀତି କ୍ଷେତ୍ରରେ ବିଜୁପଟ୍ଟନାୟକ ଉତ୍ତୁଙ୍ଗ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ୧୯୪୭ ରୁ ୧୯୯୭ ପର୍ଯ୍ୟନ୍ତ ଦୀର୍ଘ ଅର୍ଦ୍ଧଶତାଦ୍ଦୀ ଧରି ସେ ଓଡିଶାର ତଥା ବିଭିନ୍ନ ସମୟରେ ଜାତୀୟ ରାଜନୀତିକୁ ପ୍ରଭାବିତ କରିଥିଲେ । ୧୯୬୧ରୁ ୧୯୬୩ ମସିହା ପର୍ଯ୍ୟନ୍ତ ସେ ଓଡିଶାର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରି ଆରମ୍ଭ କରିଥିଲେ ନିର୍ମାଣ ଯୁଗ । ପାରାଦ୍ୱୀପ ବନ୍ଦର ଏକ୍ସପ୍ରେସ୍ ହାଇୱେ, ସୁନାବେଡା ମିଗ୍ ବିମାନ କାରଖାନା, ବାଲିମେଳା ଡ୍ୟାମ ଓ ବରଗଡ ସିମେଣ୍ଟ କାରଖାନା ନିର୍ମାଣ କରି ସେ ନବ ଓଡ଼ିଶାର ଗଠନ ପ୍ରକ୍ରିୟା ଆରମ୍ଭ କରିଥିଲେ ।

ପରବର୍ତ୍ତୀ ସମୟରେ ତାଙ୍କ ସହଯୋଗରେ ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ରାଉଲକେଲା ଇଞ୍ଜିନିୟରିଙ୍ଗ କଲେଜ, ସୈନିକ ସ୍କୁଲ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଓ ଓଡିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇ ଓଡ଼ିଶାରେ ବୈଷୟିକ ଓ ଯାନ୍ତ୍ରିକଶିକ୍ଷା କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଥିଲା । ୧୯୯୦ ରୁ ୧୯୯୫ ମସିହା ପର୍ଯ୍ୟନ୍ତ ଦ୍ୱିତୀୟ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ଆରମ୍ଭ କରିଥିଲେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା । ପ୍ରଶାସନକୁ ଲୋକାଭିମୁଖୀ କରିବା ଉଦେ୍ଦଶ୍ୟରେ ସେ ୧୩ ଟି ଜିଲ୍ଲାକୁ ୩୦ଟି ଜିଲ୍ଲାରେ ପରିଣତ କରିଥିଲେ । ଏହା ତାଙ୍କ ପାରିବାପଣିଆର ଏକ ନମୁନା ଥିଲା । ଏପରିକି ମୁଖ୍ୟମନ୍ତ୍ରୀ ଥିବା ବେଳେ ଏକ ଟଙ୍କା ଦରମା ନେଇ ସେ ନିଆରା ବ୍ୟକ୍ତିତ୍ୱର ପ୍ରମାଣ ଦେଇଥିଲେ । ପୁଣି ରିକ୍ସାରେ ବସି ବା କେବେ ସାଇକେଲ ଚଢ଼ି ସେ ସଚିବାଳୟକୁ ଆସି ଭିନ୍ନ ଏକ ଉଦାହରଣ ସୃଷ୍ଟି କରିଥିଲେ ।

ବିଜୁପଟ୍ଟନାୟକ ଜଣେ ଦକ୍ଷ ଓ ଦୁଃସାହସିକ ବୈମାନିକ ଥିଲେ । ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଅନୁରୋଧ କ୍ରମେ ନିଜ ଜୀବନକୁ ପାଣି ଛଡାଇ ଡଚ୍ ସେନାବାହିନୀ ଦ୍ୱାରା କବଳିତ ଇଣ୍ଡୋନେସିଆର ତକ୍ରାଳୀନ ରାଷ୍ଟ୍ରପତି ସୁକର୍ଣ୍ଣ, ପ୍ରଧାନମନ୍ତ୍ରୀ ଶାହାରିଆର ଓ ଉପ-ରାଷ୍ଟ୍ରପତି ମହମ୍ମଦ ହଟ୍ଟାଙ୍କୁ ଦିଲ୍ଲୀକୁ ବିମାନ ଯୋଗେ ନେଇ ଆସିଥିଲେ । ତାଙ୍କର ଏହି କାମ ପାଇଁ ଇଣ୍ଡୋନେସିଆ ନିକଟରେ ଭାରତ ମହାନ ହୋଇ ରହିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବଡଲାଟ୍ ୱାଭେଲ୍ଙ୍କ ପାଇଲଟ୍ ଥାଇ ସୁଦ୍ଧା ପୋଲିସ ଆଖିରେ ଧୂଳି ଦେଇ ଜୟପ୍ରକାଶ ନାରାୟଣ , ଅରୁଣା ଆଶଫ୍ଅଲ୍ଲୀ ଓ ରାମମନୋହର ଲୋହିଆଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇବା ତାଙ୍କ ଦୁଃସାହସିକତାର ଆଉ ଏକ ପରିଚୟ ।ଏଥିପାଇଁ ତାଙ୍କୁ କାରାବରଣ କରିବାକୁ ପଡିଛି ସତ ମାତ୍ର ଦେଶପାଇଁ ହସି ହସି କାରବରଣ କରିଛନ୍ତି ସେ । ସେହିପରି ୧୯୬୨ ରେ ଚୀନ୍ ଭାରତ ଆକ୍ରମଣ କରିବା ସମୟରେ ସେନାମାନଙ୍କୁ ସହାୟତା କରିବାରେ ତାଙ୍କର ଅବଦାନକୁ ଅସ୍ୱୀକାର କରାଯାଇନପାରେ ।

ଏବେ କିନ୍ତୁ ପ୍ରବାଦ ପୁରୁଷ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସ୍ମୃତି ବହନ କରୁଥିବା ଡାକୋଟା ବିମାନ ଓଡିଶା ଫେରିବ । ଏଥିପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । କୋଲକାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନ ବନ୍ଦରରୁ ଡାକୋଟା ବିମାନକୁ ଆଣିବା ପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ବିଭିନ୍ନ ବିଭାଗର ୧୧ ଜଣ ସଦସ୍ୟ ସାମିଲ ଅଛନ୍ତି । କୋଲକାତାରୁ ଡାକୋଟା ଆସିଲେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ପରିସରରେ ରହିବ । ଏଠାରେ ସୂଚନାଯୋଗ୍ୟ ଯେ, ୧୯୪୭ ମସିହାରେ ପାକିସ୍ଥାନ ଶତ୍ରୁବଳୟ ଭିତରେ ପଶି ଶ୍ରୀନଗରରେ ଭାରତୀୟ ସେନାଙ୍କୁ ଏୟାରଲିପ୍ଟି କରିବା ହେଉ କି ସେନା ପାଇଁ ଗୋଳାବାରୁଦ କି ଔଷଧ ପରିବହନ ହେଉ ଏ ସମସ୍ତ କାର୍ଯ୍ୟରେ ବିଜୁ ବାବୁ ଏହି ଡାକୋଟା ବିମାନର ସାହାଯ୍ୟ ନେଉଥିଲେ ।

ଏପରିକି ଇଣ୍ଡୋନେସିଆର ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ଡଚ୍ର କବଳରୁ ଉଦ୍ଧାର କରିବା ଭଳି ଦୁଃସାହସିକ ଅଭିଯାନରେ ବିଜୁ ପଟ୍ଟନାୟକଙ୍କ ସାଥି ଥିଲା ଏହି ଡାକୋଟା ବିମାନ ।

ଉଲ୍ଲେଖ୍ୟ ଯୋଗ୍ୟ ଯେ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ କଳିଙ୍ଗ ଏୟାରଲାଇନ୍ସିରେ ସର୍ବମୋଟ ୧୮ଟି ଡାକୋଟା ବିମାନ ଥିଲା । ସେଥି ମଧ୍ୟରୁ ଗୋଟିଏ ପରେ ଗୋଟିଏ ଦୁର୍ଘଟଣାଗ୍ରସ୍ତ ହୋଇ ମାତ୍ର ୬ଟି ବିମାନ ରହିଥିଲା । ଏହି ୬ଟି ବିମାନ ଭିତରୁ ଗୋଟିଏ କୋଲକତାର ନେତାଜୀ ସୁବାଷ ବୋଷ ବିମାନ ବନ୍ଦରରେ ଓ ଗୋଟିଏ ମୁମ୍ବାଇର ଛତ୍ରପତି ଶିବାଜୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଓ ଗୋଟିଏ ଇଣ୍ଡୋନେସିଆ ସରକାର ସନ୍ତକ ଭାବେ ସେଠାରେ ରଖିଥିବା ବେଳେ ଅନ୍ୟ ତିନୋଟି ବିମାନ ସମ୍ପର୍କରେ କାହା ପାଖରେ କିଛି ତଥ୍ୟ ନାହିଁ । କୋଲକତାର ବିମାନ ବନ୍ଦରରୁ ଏହି ବିମାନକୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରୁ ଆଣିବା ପାଇଁ ଗତ ବର୍ଷ ରାଜ୍ୟ ସରକାର ଯୋଜନା କରିଥିଲେ । ଚଳିତ ବର୍ଷ ଜାନୁଆରୀ ପ୍ରଥମ ସପ୍ତାହରୁ ସରକାର ଏଥିପାଇଁ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଥିଲେ । ବିମାନ ବନ୍ଦର ନିୟମ ଅନୁଯାୟୀ ଏହା ସମୟ ସାପେକ୍ଷ ହୋଇଥିବାରୁ ଏହାକୁ ସୁରକ୍ଷିତ ଭାବେ ଆଣିବା ଓ କାଗଜ ପତ୍ର କାର୍ଯ୍ୟ ଶେଷ ହେବା ପରେ ହିଁ ଏହା ଭୁବନେଶ୍ୱରକୁ ଆସିବ । ଖୁବ୍ ଶୀଘ୍ର ଏହି ଡାକୋଟା ବିମାନ ଆସିବା ସମ୍ପର୍କରେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଯାହା ଆମ ସମସ୍ତଙ୍କପାଇଁ ଖୁସିର ଖବର ।
ଭାରତର ସ୍ୱଧୀନତା ସଂଗ୍ରାମ କଥା ଆସିଲେ ସର୍ବ ପ୍ରଥମେ ଜାତିରପିତା ମାହାତ୍ମା ଗାନ୍ଧୀଙ୍କ କଥା ସାମ୍ନାକୁ ଆସେ । ଏଥିସହିତ ନେତାଜୀ ସୁଭାଷ ବୋଷ, ପଣ୍ଡିତ ଜବାହରଲାଲ ନେହେରୁ, ଅରୁଣା ଆସଫ୍ ଅଲ୍ଲୀ, ମୈାଲାନା ଆବୁଲ କଲାମ ଆଜାଦ୍, ରାମମନୋହର ଲୋହିଆ, ଲାଲ୍ ବାଲ ପାଲ, ଗୋପାଳ କୃଷ୍ଣ ଗୋଖେଲ ଓ ଦେଶମାତୃକା ପାଇଁ ବଳିଦାନ ଦେଇଥିବା ସହିଦ ଭଗତ୍ ସିଂହ, ଉଦ୍ଦାମ ସିଂହ, ଝାନ୍ସୀ ରାଣୀ ଲକ୍ଷ୍ମୀବାଇ, ବିଜୟଲକ୍ଷ୍ମୀ ପଣ୍ଡିତ ଓ ଆହୁରି ଅନେକ ଦେଶ ଭକ୍ତଙ୍କ କଥା ମନକୁ ଆସେ ।

ସେହିପରି ଏହି ମୁକ୍ତି ସଂଗ୍ରାମରେ ଓଡିଶାର ଅବଦାନ କୈାଣସି ଗୁଣରେ କମ୍ ନଥିଲା । ତନ୍ମଧ୍ୟରୁ ଗୋପବନ୍ଧୁ ଚୈାଧୁରୀ, ନବକୃଷ୍ଣ ଚୈାଧୁରୀ , ଡକ୍ଟର ହରେକୃଷ୍ଣ ମହତାବ, ରମାଦେବୀ, ମାଳତୀ ଦେବୀ, ସରଳା ଦେବୀ ଓ ଆହରି ଅନେକ ସଂଗ୍ରାମୀଙ୍କ କଥା ଭୁଲିବାର ନୁହେଁ । ଏମାନଙ୍କ ବ୍ୟତୀତ ଦେଶ ମାତୃକାର ସେବା ପାଇଁ ନିଜ ଜୀବନକୁ ବାଜିଲଗାଇ ଯେଉଁ ବ୍ୟକ୍ତିତ୍ୱ ନିଜର ଦୁଃସାହସିକତାର ପ୍ରମାଣ ଦେଇ ଯେଉଁ ଦାୟିତ୍ୱ ନିର୍ବାହ କରିଛନ୍ତି ସେ ହେଉଛନ୍ତି କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକ ।

ଆଜି ତାଙ୍କ ମୃତୁ୍ୟର ୨୩ ବର୍ଷ ପରେବି ବିଜୁ ପଟ୍ଟନାୟକଓଡିଆ ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିରହିଛନ୍ତି । ସେହି ପ୍ରବାଦ ପୁରୁଷଙ୍କ ସହ ତାଙ୍କ ପ୍ରିୟ ଡାକୋଟା ବିମାନର ଅନେକ ସ୍ମୃତି ଜଡିତ ହୋଇ ରହିଛି । ସମସ୍ତେ ଅପେକ୍ଷା କରିଛନ୍ତି ସେହି ସୁଦିନକୁ କେବେ କୋଲକାତା ବିମାନ ବନ୍ଦରରୁ ସେହି ଡାକୋଟା ବିମାନ । ଏବେ ଆଇନ୍ଗତ ଓ ବିମାନ ବନ୍ଦରର ନିୟମାବଳୀ ସହିତ ଓ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ସୁପାରିସ ପରେ ଏହି ବିମାନ ଓଡିଶାକୁ ଫେରିବାର ଆଶା ଉଜ୍ୱଳ ହେବ ।

ଏ ଦିଗରେ ରାଜ୍ୟ ସରକାର ମଧ୍ୟ ତତ୍ପରତା ଦେଖାଇବା ଜରୁରୀ । ଡାକୋଟା ବିମାନକୁ ଭୁବନେଶ୍ୱର ଅଣାଯିବାପରେ ସେହି ବିମାନକୁ କିପରି ପୁରୁଣା ରୂପ ଦିଆଯିବ ଓ ତାକୁ ସୁରକ୍ଷିତ ଭାବେ ରଖାଯିବ ଏଥିପ୍ରତି ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏଇଠି ମନେପଡେ ଯେ, ବରପୁତ୍ରମାନଙ୍କର ଜୀବନ, ଆଦର୍ଶସହ ସେମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଦ୍ରବ୍ୟ ଓ ସାମଗ୍ରୀ ପ୍ରତି ସାଧାରଣ ଜନତାର ଆବେଗ ରହିଥାଏ । ସେ ଦୃଷ୍ଟିରୁ ଅନେକ ଆତ୍ମୀକ ଓ ଦୁଃସାହସିକ ସ୍ମୃତିକୁ ବହନ କରୁଥିବା ବିଜୁ ବାବୁଙ୍କ ଏହି ପ୍ରିୟ ଡାକୋଟା ବିମାନ କେବଳ ଅତୀତର ସ୍ମୃତିକୁ ସାଉଁଟି ରଖିବନି ବରଂ ଉତ୍ତର ପିଢିର ଯୁବକମାନଙ୍କ ପାଇଁ ପ୍ରେରଣା ଓ ଆଦର୍ଶର ଉସô ହୋଇ ରହିବ । ଏବେ କିନ୍ତୁ ଡାକୋଟା ବିମାନ ଫେରିବା ନେଇ ରାଜ୍ୟ ବାସୀଙ୍କ ମଧ୍ୟରେ ଅନେକ ଉକôଣ୍ଠା । ଏହି ବିମାନ ଫେରିବା ପରେ ସେହି ଉକôଣ୍ଠାର ଅବସାନ ହେବ ।

Leave A Reply