ଭୁବନେଶ୍ୱର, 12/3/2021: ଶୀତଳ-ଶୃଙ୍ଖଳା-ଉପକରଣ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ କୋଭିଡ-19 ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ରାଜ୍ୟ ଇମ୍ୟୁନାଇଜେସନ ସେଲକୁ ଏକ ଶୀତତାପ-ନିୟନ୍ତ୍ରିତ ଟ୍ରକ ପ୍ରଦାନ କରିଅଛି । ଭୁବନେଶ୍ୱର ସ୍ଥିତ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପରିସରରେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଟ୍ରକ୍ ପ୍ରଦାନ କରାଯାଇଥିଲା । ଏହି ସ୍ୱତନ୍ତ୍ର ଟ୍ରକ୍ ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନକୁ କୋଭିଡ୍-19 ଟିକା ପ୍ରେରଣ କରାଯିବ । ଉଲ୍ଲେଖଯୋଗ୍ୟ ଯେ ଏହି ହାଇ-ଏଣ୍ଡ ଶୀତତାପ ନିୟନ୍ତ୍ରିତ ଟ୍ରକ୍ 2 ରୁ 8 ଡିଗ୍ରୀ ସେଣ୍ଟିଗ୍ରେଡ୍ ପର୍ଯ୍ୟନ୍ତ ତାପମାତ୍ରା ବଜାୟ ରଖିପାରିବ ଏବଂ 25,70,000 କୋଭିଡ୍ ଟିକା ପରିବହନ କରିବାର କ୍ଷମତା ରଖିଛି |
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ ନାଲକୋ ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ପାତ୍ର ଏହି ସ୍ୱତନ୍ତ୍ର ଟ୍ରକକୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ନାଲକୋର ଏହି ସମୟୋଚିତ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇ ଅଛି । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ଶାଳିନୀ ପଣ୍ଡିତ, ମିଶନ୍ ନିର୍ଦ୍ଦେଶକ, ଏନ.ଏଚ.ଏମ. (ଓଡ଼ିଶା), ନାଲକୋର ନିର୍ଦ୍ଦଶକ (ମାନବ ସମ୍ୱଳ) ଶ୍ରୀ ରାଧାଶ୍ୟାମ ମହାପାତ୍ର, ନିର୍ଦ୍ଦେଶକ (ଉତ୍ପାଦନ ଏବଂ ବାଣିଜ୍ୟିକ) ଶ୍ରୀ ବିଜୟ କୁମାର ଦାସ, ନିର୍ଦ୍ଦେଶକ (ପି.ଏଣ୍ଡ୍.ଟି ଏବଂ ବିତ୍ତ) ଶ୍ରୀ ମନସା ପ୍ରସାଦ ମିଶ୍ର ଏବଂ ନାଲକୋ ଓ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।