ଦ୍ଵିତୀୟ ତ୍ରୈମାସିକ ତଥା ଅର୍ଦ୍ଧବାର୍ଷିକ ପାଇଁ ନାଲକୋର ଉତ୍ପାଦନ ଓ ଆର୍ଥିକ ଫଳାଫଳରେ ସର୍ବକାଳୀନ ରେକର୍ଡ : ନିଟ୍ ଲାଭ ୧,୪୩୩ କୋଟି ଟଙ୍କା
ଅର୍ଦ୍ଧବାର୍ଷିକ ଫଳାଫଳାର ମୁଖ୍ୟାଂଶ
- ନିଟ୍ ଲାଭ ସର୍ବକାଳୀନ ରେକର୍ଡ ସହ ୨,୪୯୭ କୋଟି ଟଙ୍କାକୁ ବୃଦ୍ଧି
- ଉତ୍ପାଦନ: କମ୍ପାନୀର ଇତିହାସରେ ସର୍ବାଧିକ ଆଲୁମିନା ହାଇଡ୍ରେଟ୍, କାଲସାଇଣ୍ଡ ଆଲୁମିନା ଏବଂ ଆଲୁମିନିୟମ କାଷ୍ଟ ଧାତୁ ଉତ୍ପାଦନ
- ବିକ୍ରୟ: ସର୍ବାଧିକ ଆଲୁମିନା ବିକ୍ରୟ ଏବଂ ସର୍ବାଧିକ ଘରୋଇ ଧାତୁ ବିକ୍ରୟର ରେକର୍ଡ
ଭୁବନେଶ୍ୱର, ତା.୦୭।୧୧।୨୦୨୫ ରିଖ: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଲୋକ ଉଦ୍ୟୋଗ ନ୍ୟାସନାଲ ଆଲ୍ୟୁମିନିୟମ କମ୍ପାନୀ ଲିମିଟେଡ଼ (ନାଲକୋ) ପକ୍ଷରୁ ସେପ୍ଟେମ୍ବର ୨୦୨୫ ରେ ସମାପ୍ତ ଦ୍ଵିତୀୟ ତ୍ରୈମାସିକର ଫଳାଫଳ ଘୋଷିତ ହୋଇଛି। ଦ୍ଵିତୀୟ ତ୍ରୈମାସିକରେ କମ୍ପାନୀର ୩୫ % ଅଭିବୃଦ୍ଧି ସହ ନିଟ ଲାଭ ୧,୪୩୩ କୋଟି ଟଙ୍କା ହୋଇଛି, ଯାହା ପୂର୍ବ ବର୍ଷର ସମାନ ଅବଧିରେ ୧୦୬୨ କୋଟି ଟଙ୍କା ଥିଲା। ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ରେକର୍ଡ କରାଯାଇଥିବା ଫଳାଫଳ ଅନୁଯାୟୀ, ଦ୍ଵିତୀୟ ତ୍ରୈମାସିକରେ କମ୍ପାନୀର ମୋଟ ଆୟ ୪,୨୯୨ କୋଟି ଟଙ୍କା ହୋଇଛି, ଯାହା ୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ତୁଳନାରେ ୭.୨ % ଅଭିବୃଦ୍ଧି ଅଟେ। ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ, ନାଲକୋ ନିଟ୍ ଲାଭରେ ୫୦.୧୫ % ଅଭିବୃଦ୍ଧି ସହିତ ଏହାର ଦୃଢ଼ ପ୍ରଦର୍ଶନ ଜାରି ରଖିଛି, ଯାହା ପୂର୍ବ ବର୍ଷର ସମାନ ସମୟର ୧,୬୬୩ କୋଟି ଟଙ୍କା ତୁଳନାରେ ସର୍ବକାଳୀନ ୨,୪୯୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
ଉତ୍ପାଦନ କ୍ଷେତ୍ରରେ, ନାଲକୋ ୨୦୨୫ -୨୬ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧ ରେ ଆଲୁମିନା ହାଇଡ୍ରେଟ୍ ଏବଂ ଆଲୁମିନିୟମ କାଷ୍ଟ ଧାତୁ ଉତ୍ପାଦନରେ ସର୍ବୋତ୍ତମ ପ୍ରଦର୍ଶନ କରିଛି। କମ୍ପାନୀ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ସର୍ବକାଳୀନ ସର୍ବାଧିକ ୧୧,୫୩,୦୦୦ ମେଟ୍ରିକ ଟନ୍ ଆଲୁମିନା ହାଇଡ୍ରେଟ୍ ଏବଂ ୨,୩୪,୧୪୮ ମେଟ୍ରିକ ଟନ୍ ଆଲୁମିନା କାଷ୍ଟ ମେଟାଲ୍ ଉତ୍ପାଦନର ରେକର୍ଡ କରିଛି। ସେହିପରି, ବିକ୍ରୟ କ୍ଷେତ୍ରରେ, ନାଲକୋ ବର୍ଷର ପ୍ରଥମାର୍ଦ୍ଧରେ ସର୍ବକାଳୀନ ସର୍ବାଧିକ ୬,୯୯,୯୧୩ ମେଟ୍ରିକ ଟନ୍ ଆଲୁମିନା ବିକ୍ରି କରିଛି, ଯାହା ୨୦୧୩- ୧୪ ଆର୍ଥିକ ବର୍ଷରେ ହାସଲ କରିଥିବା ପୂର୍ବ ସର୍ବାଧିକ ୬,୫୬,୪୮୦ ମେଟ୍ରିକ ଟନକୁ ଅତିକ୍ରମ କରିଛି। କମ୍ପାନୀ ୨୦୨୫ -୨୬ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ୨,୨୫,୬୭୫ ମେଟ୍ରିକ ଟନ୍ ଘରୋଇ ଧାତୁ ବିକ୍ରୟର ସର୍ବକାଳୀନ ରେକର୍ଡ ମଧ୍ୟ କରିଛି। ଏଥି ସହ କମ୍ପାନୀ ପ୍ରତି ଇକ୍ୱିଟି ସେୟାର ପିଛା ୪ ଟଙ୍କାର ମଧ୍ୟବର୍ତ୍ତୀକାଳୀନ ଲାଭାଂଶ ଘୋଷଣା କରିଛି, ଯାହା ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୭୩୪.୬୫ କୋଟି ଟଙ୍କା ହେବ।
ନାଲକୋର ଅଧ୍ୟକ୍ଷ-ତଥା-ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ ଅର୍ଦ୍ଧବାର୍ଷିକ ଏବଂ ଦ୍ଵିତୀୟ ତ୍ରୟମାସିକ ଫଳାଫଳ ସମସ୍ତ କର୍ମଚାରୀଙ୍କ କଠିନ ପରିଶ୍ରମ ଏବଂ ପ୍ରତିବଦ୍ଧତା ତଥା ସମସ୍ତ ଅଂଶୀଦାରଙ୍କ ଦୃଢ ସମର୍ଥନର ପ୍ରମାଣ। ଆନ୍ତର୍ଜାତୀୟ ବଜାରରେ ଆଲୁମିନିୟମ ମୂଲ୍ୟରେ ଅସ୍ଥିରତା ସତ୍ତ୍ୱେ ଏହି ଉନ୍ନତ ପ୍ରଦର୍ଶନ କମ୍ପାନୀର କାର୍ଯ୍ୟଦକ୍ଷତା, ମୂଲ୍ୟ ଅପ୍ଟିମାଇଜେସନ୍ ସମ୍ବନ୍ଧୀୟ ପଦକ୍ଷେପ ଏବଂ ବର୍ଦ୍ଧିତ ଉତ୍ପାଦନ ତଥା ବିକ୍ରି ପରିମାଣ ଦ୍ୱାରା ହାସଲ ହୋଇପାରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଉତ୍କୃଷ୍ଟ ପରିଚାଳନା ବ୍ୟବସ୍ଥା, ମୂଲ୍ୟ-ସଞ୍ଚୟ ପଦକ୍ଷେପ ଏବଂ ଦୀର୍ଘସ୍ଥାୟୀ ଉତ୍ପାଦକତା ମାଧ୍ୟମରେ କମ୍ପାନୀ ଉନ୍ନତ ପ୍ରଦର୍ଶନ ଜାରି ରଖିଛି । ଆଗାମୀ ସମୟରେ ଆମେ ମୂଲ୍ୟ ସଂଯୋଗୀକରଣ, ଉତ୍ପାଦନ କ୍ଷମତା ବିସ୍ତାର ଏବଂ ସ୍ଥାୟୀ ପ୍ରଦର୍ଶନ ମାଧ୍ୟମରେଅଂଶୀଦାରଙ୍କ ପାଇଁ ମୂଲ୍ୟ ସୃଷ୍ଟି ସୁନିଶ୍ଚିତ କରିବା ଦିଗରେ ଗୁରୁତ୍ତ୍ୱାରୋପ କରାଯାଉଛି “। “ଏହି ସଫଳତା ନାଲକୋ ପାଇଁ ଗର୍ବର ମୁହୂର୍ତ୍ତ ଏବଂ ଆମର ମୂଲ୍ୟବାନ ଅଂଶୀଦାର, ଖଣି ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସମର୍ଥନ ପାଇଁ ଆମେ ଆନ୍ତରିକ କୃତଜ୍ଞତା ପ୍ରକାଶ କରୁଛୁ” ବୋଲି ସେ କହିଛନ୍ତି ।