ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତଙ୍କ ନାଲକୋ ପରିଦର୍ଶନ : ନାଲକୋ ଏବଂ ଅଷ୍ଟ୍ରେଲିଆ ପ୍ରତିନିଧିମଣ୍ଡଳ ମଧ୍ୟରେ ଦୀର୍ଘମିଆଦି ବ୍ୟବସାୟ ସମ୍ପର୍କିତ ଆଲୋଚନା
ଭୁବନେଶ୍ୱର : ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତ ଶ୍ରୀ ବାରୀ ଓ’ଫେରେଲଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ଆଜି କେନ୍ଦ୍ରୀୟ ନବରତ୍ନ ଉଦ୍ୟୋଗ ନାଲକୋର ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ୟ୍ୟାଳୟ ପରିଦର୍ଶନ କରି ନାଲକୋର ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ପାତ୍ର ଏବଂ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନରେ ଥିବା ଅଗ୍ରଣୀ ଆଲୁମିନା ଏବଂ ଆଲୁମିନିୟମ ଉତ୍ପାଦନ ତଥା ରପ୍ତାନିକାରୀ ଉଦ୍ୟୋଗ ନାଲକୋ ଏହି ଉଚ୍ଚସ୍ତରୀୟ ପ୍ରତିନିଧିଙ୍କୁ ବକ୍ସାଇଟ୍ ଖଣିଠାରୁ ଆରମ୍ଭ କରି ବିଶ୍ୱସ୍ତରୀୟ ଆଲୁମିନିୟମ୍ ଉତ୍ପାଦନ ପର୍ୟ୍ୟନ୍ତ ସମ୍ପୂର୍ଣ୍ଣ ଶୃଙ୍ଖଳା ତଥା କମ୍ପାନୀର ବିଭିନ୍ନ ବ୍ୟବସାୟିକ କାର୍ୟ୍ୟକଳାପ ବିଷୟରେ ଅବଗତ କରାଇଥିଲେ ।
ସେମାନେ ନାଲକୋର ବିଭିନ୍ନ ବ୍ୟବସାୟିକ କାର୍ୟ୍ୟଶୈଳୀର ଉଚ୍ଚ ପ୍ରଶଂସା କରିବା ସହିତ ଖଣି ଏବଂ ଶକ୍ତି କ୍ଷେତ୍ର ସହିତ ଆଲୁମିନିୟମ ବ୍ୟବସାୟ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ପ୍ରଦାନ କରିଥିଲେ ଯାହା ଇଣ୍ଡୋ-ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାରେ ସହାୟକ ହେବ ବୋଲି ଆଶାପ୍ରକାଶ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ନାଲକୋ ଦେଶର ସର୍ବାଧିକ ବୈଦେଶିକ ମୁଦ୍ରା ଅର୍ଜନକାରୀ କମ୍ପାନୀମାନଙ୍କ ମଧ୍ୟରେ ଅନ୍ୟତମ ତଥା ଏହାର ଗୁଣାତ୍ମକ ଉତ୍ପାଦ ପାଇଁ ମଧ୍ୟ ବିଶ୍ୱ ସ୍ତରରେ ସ୍ୱୀକୃତ ।
ଅଷ୍ଟ୍ରେଲିଆ ପ୍ରତିନିଧି ଦଳର ଅନ୍ୟ ସଦସ୍ୟମାନେ ଯଥା କନସଲ୍ ଜେନେରାଲ୍ ରୋୱାନ୍ ଆଇନ୍ସୱର୍ଥ, ଅଷ୍ଟ୍ରେଲିଆ ଉଚ୍ଚ ଆୟୋଗର ପ୍ରଥମ ସଚିବ ଆମି କେଓ, କୋଲକାତାସ୍ଥିତ ଅଷ୍ଟ୍ରେଲିଆ ବାଣିଜ୍ୟ ଏବଂ ନିବେଶ ଆୟୋଗର ବ୍ୟବସାୟ ବିକାଶ ପରିଚାଳକ ପାର୍ଥ ସେନ୍ ଏହି ଆଲୋଚନାରେ ଯୋଗ ଦେଇଥିଲେ । ସେହିପରି ନାଲକୋର ନିର୍ଦ୍ଦେଶକ (ମାନବ ସମ୍ୱଳ) ଶ୍ରୀ ରାଧାଶ୍ୟାମ ମହାପାତ୍ର, ନିର୍ଦ୍ଦେଶକ (ପ୍ରକଳ୍ପ ଓ ବୈଷୟିକ) ଶ୍ରୀ ମନସା ପ୍ରସାଦ ମିଶ୍ର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Comments are closed.