Odisha news

ଚେନ ଲୁଟେରା ଗ୍ୟାଙ୍ଗର ୩ଜଣ ଗିରଫ; ଅଳଙ୍କାର ଉଦ୍ଧାର

0

ଫୁଲନଖରା : ସଦର ଥାନା ପୋଲିସ ୩ଜଣ ଚେନ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହେବା ସହିତ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଓ ରୁପା ଅଳଙ୍କାର ଉଦ୍ଧାର କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ କଟକ ଜିଲା ବାଙ୍କି ଥାନା ଅନ୍ତର୍ଗତ ନାରଗଙ୍ଗା ଅଞ୍ଚଳର ମୁନା ଓରଫ ଆଶିଷକୁମାର ଦାସ (୨୫), ସେହି ଗ୍ରାମର ପାକ ଓରଫ ପ୍ରକାଶଚନ୍ଦ୍ର ଦଳାଇ (୨୬) ଓ ଲୁଟ ଅଳଙ୍କାର ରଖିଥିବା କଟକ ଲାଲବାଗ ଥାନା ଅନ୍ତର୍ଗତ ମହମଦିଆବଜାରରେ ରହୁଥିବା ପଶ୍ଚିମବଙ୍ଗ ମେଦିନପୁର ଜିଲା ଅନ୍ତର୍ଗତ ଘନ୍ତାଲ ଥାନା ପୋତାପୁର ଅଞ୍ଚଳର ସଂଜୟ ସାସମଲ (୨୯) । ସେମାନଙ୍କଠାରୁ ୧୧ଟି ସୁନା ଚେନ ଯାହାର ଓଜନ ୧୩୪ଗ୍ରାମ, ୧୪ଗ୍ରାମର ସୁନା ମୁଦି ଓ ଲକେଟ ଏବଂ ୧୦୭ ଗ୍ରାମର ରୁପା ଅଳଙ୍କାର ଉଦ୍ଧାର ହୋଇଛି । ଏତଦ ସହିତ ସେମାନେ ବ୍ୟବହାର କରୁଥିବା ଏକ ବଜାଜ ପଲସର ଓ ପ୍ୟାସନ ପ୍ରୋ ବାଇକ ସହିତ ୪ଟି ମୋବାଇଲ ଫୋନ ଜବତ ହୋଇଛି ।

ସଦର ଥାନା ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଜୁନ ମାସ ୧୭ ତାରିଖରେ ବାରଙ୍ଗ ବେଲଗଛିଆ ଅନ୍ତର୍ଗତ ଜୟପୁର ଗ୍ରାମର ବିଘ୍ନେଶ୍ୱର ସାହୁ ଓ ତାଙ୍କ ପତ୍ନୀ ଏକ ଆକ୍ଟିଭା ସ୍କୁଟିରେ ସଦର ଥାନା ଅଧିନ ଉଷୁମା ଗ୍ରାମକୁ ନିଜ ବନ୍ଧୁ ଘରକୁ ଯାଉଥିଲେ । ଏକ କଳା ରଙ୍ଗର ବଜାଜ ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ସେମାନଙ୍କୁ ପିଛା କରି ୧୬ ନମ୍ବର ଜାତୀୟ ରାଜପଥ ପ୍ରତାପନଗରୀ ପୋଲ ନିକଟରେ ବିଘ୍ନେଶ୍ୱର ପତ୍ନୀଙ୍କ ବେକରୁ ଏକ ସୁନା ଚେନ ଛିଣ୍ଡାଇ ଭୁବନେଶ୍ୱର ଆଡ଼େ ପଳାଇଥିଲେ ।

ଏଥିରେ ମହିଳା ଜଣକ ଆହତ ହୋଇଥିଲେ । ଏ ସଂକ୍ରାନ୍ତରେ ସଦର ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ଗିରଫ ହୋଇଥିବା ଅଭିଯୁକ୍ତମାନେ କଟକ ରିଙ୍ଗରୋଡ଼ ଏବଂ ୧୬ ନମ୍ବର ଜାତୀୟ ରାଜପଥରେ ଅଧିକାଂଶ ବାଇକ ଚାଳକଙ୍କୁ ଟାର୍ଗେଟ କରୁଥିଲେ । ସେମାନଙ୍କ ନାମରେ କଟକ ସଦର ସମେତ ମର୍କତନଗର, ବାଦାମବାଡ଼ି ଓ ମଧୁପାଟଣା ଥାନାରେ ଅନେକ ମାମଲା ରହିଛି । ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସୁଧାଂଶୁଭୂଷଣ ଜେନା ସୂଚନା ଦେଇଛନ୍ତି ।

Leave A Reply