ଭଞ୍ଜନଗର : ବିଷାକ୍ତ ଛତୁ ଖାଇ ୧୧ ଜଣ ଗୁରୁତର । ରବିବାର ସଂଧ୍ୟାରେ ସୋରଡା ଥାନା ଅନ୍ତର୍ଗତ କୁଲାଙ୍ଗି ସିଆରିମାଳ ଇଲାକାର ନୂଆଁଗାଁରେ ଗୋଟିଏ ପରିବାର ୫ଜଣ ସଦସ୍ୟ ବିଷାକ୍ତ ଛତୁ ଖାଇ ଗୁରୁତର ହୋଇପଡିଥିଲେ ।
ଘରର ମୁରବୀ ରବି ସେଠୀ ଗାଆଁ ପାଖ ଜମିରେ ଫୁଟିଥିବା କିଛି ଛତୁ ତୋଳି ଆଣିଥିଲେ । ଘରେ ସଂଧ୍ୟାରେ ଛତୁ ତରକାରୀ କରାଯାଇ ପରିବାର ସମସ୍ତ ସଦସ୍ୟ ତାକୁ ଖୁସିରେ ଖାଇଥିଲେ । ହେଲେ ଅଳ୍ପ ସମୟ ମଧ୍ୟରେ ଏମାନଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା ।
ପ୍ରଥମେ ଦେଢବର୍ଷର ପୁଅ ରିତେଶ ବାନ୍ତି କରିବା ଆରମ୍ଭ କରିଥିଲା । ପରେ ୫ବର୍ଷର ପୁଅ ପ୍ରୀତେଶ ସେଠୀଙ୍କ ସ୍ୱାସ୍ଥ୍ୟ ବିଗିଡିଥିଲା । ଚାହୁଁ ଚାହୁଁ ପରିବାର ସମସ୍ତ ସଦସ୍ୟ ରବି ସେଠୀ, ପୁଷ୍ପା ସେଠୀ, ସରିତା ସେଠୀଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହେବାସହ ସଭିଏଁ ବାରମ୍ବାର ବାନ୍ତି କରିବା ଆରମ୍ଭ କରିଥିଲେ । ପରିବାରର ଏଭଳି ଅବସ୍ଥା ଦେଖି ପାଖ ପଡୋଶୀମାନେ ଏମାନଙ୍କୁ ତୁରନ୍ତ ଭଞ୍ଜନଗର ମେଡିକାଲରେ ଆଣି ବିଳମ୍ବିତ ରାତିରେ ଭର୍ତ୍ତି କରିଥିଲେ ।
ଠିକ୍ ସେହିପରି ଭଞ୍ଜନଗର ଥାନା ଅନ୍ତର୍ଗତ ବେଲଗୁଣ୍ଠା ବ୍ଲକର ତନରଡା ଗ୍ରାମରେ ମଧ୍ୟ ବିଷାକ୍ତ ଛତୁ ଖାଇ ୬ଜଣ ଗୁରୁତର ଅସୁସ୍ଥ ହୋଇଥିବା ଜଣାପଡିଛି । ତନରଡା ଗ୍ରାମର ଗୋଟିଏ ପରିବାରର କାଳିଆ ସ୍ୱାଇଁ, ସୁବ୍ରତ ସ୍ୱାଇଁ, ସୁରଜ ସ୍ୱାଇଁ, ନମିତା ସ୍ୱାଇଁ ଓ ରତ୍ନମାଳା ସ୍ୱାଇଁ ବିଷାକ୍ତ ଛତୁ ଖାଇବା କାରଣରୁ ଅସୁସ୍ଥ ହୋଇପଡିଥିଲେ । ଏମାନଙ୍କ ସହ ଜଣେ ପଡୋଶୀ ପୂର୍ଣ୍ଣିମା ବାଡତ୍ୟା ମଧ୍ୟ ବିଷାକ୍ତ ଛତୁ ପ୍ରଭାବରୁ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ରାତିସାରା ଡାକ୍ତରୀ ଟିମ୍ ଏହି ଅସୁସ୍ଥଙ୍କ ଚିକିତ୍ସା କରିବାପରେ ଶେଷରେ ଏମାନଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ଜଣାପଡିଛି । ତେବେ ୨୪ଘଣ୍ଟା ଏମାନଙ୍କୁ ଅବଜରଭେସନ୍ରେ ରଖାଯାଇଥିବା ମେଡିକାଲ ସୁପରିଟେଣ୍ଡଣ୍ଟ ଡାକ୍ତର ସୀତାଂଶୁ ଶେଖର ଶତପଥୀ ଉଲ୍ଲେଖ କରିଛନ୍ତି । ତେବେ ଏମାନେ ସଭିଏଁ ବିପଦମୁକ୍ତ ଥିବା ସେ ସ୍ପଷ୍ଟ କରିଛନ୍ତି ।