ପିଆରଏମର କୋଭିଡ୍ ପରୀକ୍ଷଣ କେନ୍ଦ୍ର ପରିଦର୍ଶନ କଲେ ସାଂସଦ, ପ୍ରତିଦିନ ବହୁସଂଖ୍ୟାରେ ରକ୍ତ ନମୁନା ପରୀକ୍ଷଣ ପାଇଁ ଗୁରୁତ୍ୱ
ବାରିପଦା : ମଙ୍ଗଳବାର ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶେଶ୍ୱର ଟୁଡୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପରିଦର୍ଶନ କରିବା ସହ ନୂତନ ଭାବେ କିଣାଯାଇଥିବା କୋଭିଡ୍-୧୯ ସ୍ୱାବ ପରୀକ୍ଷଣ ନିମନ୍ତେ ଯନ୍ତ୍ର ଗୁଡିକ ବୁଲି ଦେଖିଥିଲେ । ମାଇକ୍ରୋବାୟୋଲୋଜି ବିଭାଗରେ ଆରଟିପିସିଆର ଲେବ୍ରୋଟରୀ ଭିତରେ ଏହି ପରୀକ୍ଷଣ କରାଯାଉଥିବାର ଲକ୍ଷ୍ୟ କରାଯାଥିଲା । ଏହି ଅତ୍ୟାଧୁନିକ ଯନ୍ତ୍ରଦ୍ୱାରା ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କ୍ୱାରାଣ୍ଟାଇନ୍ ସେଣ୍ଟରେ ରହୁଥିବା ପ୍ରବାସୀ ଶ୍ରମିକ ମାନଙ୍କର ରକ୍ତ ନମୁନା ପରୀକ୍ଷା କରିବାର ବ୍ୟବସ୍ଥା ସାଙ୍ଗକୁ ଜିଲ୍ଲାର ଯେକୌଣସି ବ୍ୟକ୍ତି କୋଭିଡ୍-୧୯ ଲକ୍ଷଣ ଦେଖାଯାଉଥିଲେ ତାଙ୍କର ମଧ୍ୟ ରକ୍ତ ନମୁନା ପରୀକ୍ଷା କରାଯାଇପାରିବ । ଏଠାରେ ସୂଚନାଯୋଗ୍ୟ ଯେ, ବିଧିବଦ୍ଧ ଭାବେ ଜୁନ୍ ୧ ତାରିଖରୁ ରକ୍ତ ନମୁନା ପରୀକ୍ଷା କରାଯାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସନ୍ତୋଷ ଜନକ ସଂଖ୍ୟାରେ ପରୀକ୍ଷଣ ହୋଇପାରିନାହିଁ ।
ଜଣେ ମାତ୍ର ଡିପାଟମେଣ୍ଟର ଏଚଓଡିଙ୍କ ସହିତ ଅସ୍ଥାୟୀ ଭାବେ ନିଯୁକ୍ତି ପାଇଥିବା ଅଳ୍ପ ସଂଖ୍ୟକ ଟେକନିସିୟାନ୍ ଏ ସବୁ କାର୍ଯ୍ୟ ପାଇଁ ଯଥେଷ୍ଟ ନୁହେଁ ବୋଲି ଜାଣିବାକୁ ମିଳିଥିଲା । ବିଳମ୍ବରେ ହେଉ ପଛେ ଏହି ମୂଲ୍ୟବାନ ରକ୍ତ ନମୁନା ପରୀକ୍ଷା ଯନ୍ତ୍ର ଅଣାଯାଇଥିଲେ ମଧ୍ୟ ଜିଲ୍ଲା ପ୍ରବାସୀଙ୍କ ଯାହା ଆଶା ଆକାଂକ୍ଷା ସତରେ କଣ ପରୂଣ ହୋଇପାରିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଭିଯୋଗ ମିଳୁଛି ଯେ, ଲକ୍ଷଣ ଦେଖା ଯାଉନଥିଲେ ମାତ୍ର ତିନି ଚାରିଦିନ କ୍ୱାରାଣ୍ଟାଇନ୍ ସେଣ୍ଟରେ ରଖିବାପରେ ପ୍ରବାସୀଙ୍କର କୌଣସି ରକ୍ତ ନମୁନା ପରୀକ୍ଷା ନ କରି ଘରକୁ ପଠାଯାଉଛି । ଏପରିକି ରକ୍ତ ନମୁନା ନେଗେଟିଭ ଆସିଲେ ପ୍ରବାସୀଙ୍କୁ ମଧ୍ୟ ତୁରନ୍ତ ଘରକୁ ପଠାଇ ଦିଆଯାଉଛି ।
ସତରେ କଣ ସରକାର ଗାଇଡ୍ଲାଇନ୍ ବଦଳାଉଛନ୍ତି ନା ପ୍ରଶାସନିକ ଅଧିକାରୀ ମାନେ ନିଜ ଇଚ୍ଛାରେ ଏ ପ୍ରକାର ନିଷ୍ପତ୍ତି ନେଉଛନ୍ତି ତାହା ମଧ୍ୟ ସନେ୍ଦହ ଜନକ । କିନ୍ତୁ ଏତିକି କୁହାଯାଇପାରେ ଯଦି ମନଇଚ୍ଛା ଏସବୁ କରାଯାଉଛି ତାହାହେଲେ ଏହି ଜିଲ୍ଲାପାଇଁ ଭବିଷ୍ୟତରେ ଯେକୌଣସି ବିପଦକୁ ଏଡାଇ ଦିଆଯାଇ ନପାରେ ତାହାର ଜ୍ୱଳନ୍ତ ଉଦାହରଣ ବେତନଟୀ ବ୍ଲକରେ ବାଳକର ମୃତୁ୍ୟ ଘଟଣା । ତେଣୁ ତୁରନ୍ତ କିପରି ଭାବେ ସମସ୍ତେ ପ୍ରବାସୀଙ୍କର ରକ୍ତ ନମୁନା ପରୀକ୍ଷଣ ଯଥେଷ୍ଟ ସଂଖ୍ୟାରେ ରକ୍ତ ନମୁନା ପରୀକ୍ଷା କରାଯାଇ ପାରିବ ସେଥିପ୍ରତି ସାଂସଦ ଶ୍ରୀ ଟୁଡୁ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଗସ୍ତ ସମୟରେ ସାଂସଦଙ୍କ ସହ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଛୋଟଲାଲ ମହାନ୍ତ, ହେମନ୍ତ ସାହା ଓ ହେମନ୍ତ ସୋରେନ ପ୍ରମୁଖଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।