ଭୋପାଳ: ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ତାଙ୍କ ନାମ ଉପରେ ଦଳୀୟ ଶୀର୍ଷ ନେତୃତ୍ବଙ୍କ ମୋହର ବାଜିବା ପରେ ସୋମବାର ବସିଥିବା ବିଧାୟକ ଦଳ ବୈଠକରେ ତାଙ୍କ ନାମକୁ ନେଇ ସହମତି ହୋଇଥିଲା । ରାଜ୍ୟରେ ଦୁଇ ଉପମୁଖ୍ୟମନ୍ତ୍ରୀ ରାଜେଶ ଶୁକ୍ଳା ଓ ଜଗଦୀଶ ଦେଓରା ମଧ୍ୟ ରହିବେ। ସେହିପରି ନରେନ୍ଦ୍ର ସିଂ ତୋମର ବିଧାନସଭା ବାଚସ୍ପତି ହେବେ ।
ବିଧାୟକ ଦଳ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଦଳର ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା ମୁଖ୍ୟ କେ ଲକ୍ଷ୍ମଣ ଏବଂ ସମ୍ପାଦକ ଆଶା ଲାକ୍ରା ମଧ୍ୟ ଉପସ୍ଥିତ ଥିଲେ।
ମଧ୍ୟପ୍ରଦେଶରେ ଡିସେମ୍ବର ୩ତାରିଖରେ ନିର୍ବାଚନ ଫଳାଫଳ ଆସିଥିବା ବେଳେ ୮ ଦିନ ପରେ ଦଳୀୟ ହାଇକମାଣ୍ଡ ତାଙ୍କ ନାମ ଚୂଡ଼ାନ୍ତ କରିଛନ୍ତି। ମୋହନ ଯାଦବ ଉଜ୍ଜୈନ ଦକ୍ଷିଣରୁ ତୃତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଯାଦବ ଜୁଲାଇ ୨୦୨୦ରୁ ୨୦୨୩ ପର୍ଯ୍ୟନ୍ତ ଶିବରାଜ ସିଂ ଚୌହାନ କ୍ୟାବିନେଟରେ ଶିକ୍ଷାମନ୍ତ୍ରୀ ଥିଲେ ଏବଂ ୨୦୧୩ ରୁ ଲଗାତାର ବିଧାୟକ ଅଛନ୍ତି।
ଗତ ନଭେମ୍ବର ୧୭ରେ ହୋଇଥିବା ନିର୍ବାଚନରେ ମଧ୍ୟପ୍ରଦେଶରେ ୨୩୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୧୬୩ ଟି ଆସନ ଜିତି କ୍ଷମତା ବଜାୟ ରଖିଥିବା ବେଳେ କଂଗ୍ରେସ ୬୬ ଟି ଆସନ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା ।