ହାଇଦ୍ରାବାଦ: ଜାତିସଂଘ ନିରାପତ୍ତା ପରିଷଦର ସଭାପତି ଏବେ ଭାରତ ରହିଛି। ତେଣୁ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ପୂର୍ବରୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଏହି ବୈଠକରେ ଅଧ୍ୟକ୍ଷତା କରି ନଥିବାବେଳେ ମୋଦୀଙ୍କ ଭାଗ୍ୟରେ ଏହି ସୂଯୋଗ ଆସିଛି। ଭାରତ ପକ୍ଷରୁ ଜାତିସଂଘରେ କାର୍ଯ୍ୟ କରିଥିବା ପୂର୍ବତନ ସ୍ଥାୟୀ ପ୍ରତିନିଧି ସୟିଦ ଆକବରୁଦ୍ଦିନ କହିଛନ୍ତି।
୧୫ ସଦସ୍ୟ ବିଶିଷ୍ଟ ନିରାପତ୍ତା ପରିଷଦ ବୈଠକରେ ଗତ ୭୫ ବର୍ଷ ମଧ୍ୟରେ ଭାରତ ପ୍ରଥମ ଥର ପାଇଁ ଅଧ୍ୟକ୍ଷତା କରିବ। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ବିଶ୍ବ ସ୍ତରରେ ସମ୍ମୁଖଭାଗରୁ ନେତୃତ୍ବ ନେବାକୁ ଭାରତର ନେତୃବର୍ଗ ଆଗ୍ରହ ପ୍ରଦର୍ଶନ କରୁଛନ୍ତି ବୋଲି ଆକବରୁଦ୍ଦିନ କହିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଥର ଲାଗି ନରେନ୍ଦ୍ର ମୋଦୀ ଏହି ବୈଠକରେ ଅଧ୍ୟକ୍ଷତା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯଦିଓ ଏହା ଏକ ଆଭାସୀ ବୈଠକ ତଥାପି ଐତିହାସିକ। ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ପି ଭି ନରସିଂହରାଓ ୧୯୯୨ ମସିହାରେ ଯେତେବେଳେ ଜାତିସଂଘ ନିରାପତ୍ତା ପରିଷଦର ବୈଠକରେ ଯୋଗଦେଇଥିଲେ ସେତେବେଳେ ସେ ଏଥିପାଇଁ ଉଦ୍ୟମ କରିଥିଲେ ବୋଲି ସେ ସୂଚନା ଦେଇଛନ୍ତି। ରବିବାର ଭାରତ ଜାତିସଂଘ ନିରାପତ୍ତା ପରିଷଦର ଅଧ୍ୟକ୍ଷ ଦାୟିତ୍ବ ନେଇଛି। ଚଳିତମାସରେ ସାମୁଦ୍ରିକ ସୁରକ୍ଷା, ଶାନ୍ତିରକ୍ଷା, ଆତଙ୍କବାଦ ନିରୋଧ ଭଳି କାର୍ଯ୍ୟକ୍ରମ ଆୟୋଜନ କରିବ। ଅନ୍ତର୍ଜାତୀୟ ସ୍ତରରେ ଗୁରୁତ୍ବ ରଖୁଥିବା ଏସବୁ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ବୈଦେଶିକ ସଚିବ ହର୍ଷ ଶ୍ରୀଙ୍ଗଲା ମଧ୍ୟ ଅଧ୍ୟକ୍ଷତା କରିବେ।
ପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଭାବେ ଫ୍ରାନ୍ସ କାର୍ଯ୍ୟ କରୁଥିଲା। ଫ୍ରାନ୍ସଠାରୁ ଭାରତ ପାଖକୁ ଏହି ଦାୟିତ୍ବ ଆସିଛି। ଏଥିସହିତ ନିରାପତ୍ତା ପରିଷଦ ପକ୍ଷରୁ ସିରିୟା, ଇରାକ, ସୋମାଲିଆ, ୟେମେନ ଏବଂ ମଧ୍ୟପ୍ରାଚ୍ୟ ଉପରେ ଆଲୋଚନା ହେବ। ସେହିଭଳି ସୋମାଲିଆ, ମାଳି, ଲେବାନନରୋ ଜାତିସଂଘର ଅନ୍ତରୀଣ ଫୋର୍ସ ମୁତୟନ ପ୍ରସଙ୍ଗରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ସଂକଳ୍ପନାମା ଗୃହୀତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଜାତିସଂଘରେ ଅବସ୍ଥିତ ଭାରତର ରାଷ୍ଟ୍ରଦୂତ ଟି ଏସ ତିରୁମୂର୍ତ୍ତି ସୂଚନା ଦେଇଛନ୍ତି। ଅଗଷ୍ଟ ପହିଲାରେ ଭାରତ ଜାତିସଂଘ ନିରାପତ୍ତା ପରିଷଦର ଅଧ୍ୟକ୍ଷତା ଦାୟିତ୍ବ ଗ୍ରହଣ କରିଥିବାବେଳେ ଅଗଷ୍ଟ ୨ ତାରିଖ ବା ଭାରତ ପାଇଁ ସୋମବାର ହେବ ପ୍ରଥମ କାର୍ଯ୍ୟଦିବସ। ୨ ତାରିଖରେ ତିରୁମୂର୍ତ୍ତି ଏକ ସାମ୍ବାଦିକ ସମ୍ମିଳନୀ କରି ଅଗଷ୍ଟ ମାସର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେବେ।
Comments are closed.