ହିମାଂଶୁ ଶେଖର ଆ·ର୍ଯ୍ୟ : ନିକଟ ଅତୀତରେ ଶିଶୁ ଦିବସ ପାଳନ ଅବସରରେ ରାଜ୍ୟ ସରକାର “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏଥିରେ “ମୋ ସ୍କୁଲ ଶିଖାଇଥିଲା ଅ-ଏବେ ଡାକୁଛି ଆ” ଭଳି ମନଲୋଭା ସ୍ଲେଗାନ ରିହିଛି । ଉଦେ୍ଦଶ୍ୟ ହୋଉଛି ସ୍କୁଲର ବିକାଶରେ ପୁରାତନ ଛାତ୍ର ଓ ସାଧାରଣ ଲୋକଙ୍କୁ ସାମିଲ କରିବା । ଏଥିପାଇଁ ସରକାର ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଘୋଷଣା କରିଛନ୍ତି । ସ୍କୁଲର ବିକାଶ ପାଇଁ ପୁରାତନ ଛାତ୍ର ବା ବଦାନ୍ୟ ବ୍ୟକ୍ତି ଯେତିକି ଅର୍ଥ ସହାୟତା ଦେବେ ତାର ଦ୍ୱିଗୁଣ ରାଜ୍ୟସରକାର ଯୋଗାଇଦେବେ ।
ଏହି ଅର୍ଥରେ ସ୍କୁଲର ଭିତ୍ତିଭୂମି ବିକାଶ,ପାଠାଗାର ଓ ବିଜ୍ଞାନଗାର ନିର୍ମାଣ,କ୍ରୀଡାର ବିକାଶ,ଖେଳ ପଡିଆର ଉନ୍ନତି, ସ୍ୱାସ୍ଥ୍ୟଶିବିର ଆୟୋଜନ ଓ ବୃକ୍ଷ ରୋପଣ ଇତ୍ୟାଦି କାର୍ଯ୍ୟକ୍ରମ ଜରିଆରେ ସ୍କୁଲକୁ ଏକ ଆଦର୍ଶ ବିଦ୍ୟାଳୟରେ ପରିଣତ କରାଯିବ । ଏହାର ସଫଳ ରୁପାୟନ ପାଇଁ ବିଭିନ୍ନ ଜିଲ୍ଳାରେ ପ୍ରସ୍ତୁତି ବୈ÷ଠକ କରାଯାଇ ସ୍ଥାନୀୟ ବୁଦ୍ଧିଜୀବୀ,ଶିକ୍ଷାବିତ୍ ଓ ସାମ୍ବାଦିକ ମାନଙ୍କ ମତାମତ ଲୋଡାଯାଇଛି । ଏଦିଗରେ ଠିକଣା ପଦକ୍ଷେପ ରାଜ୍ୟ ସାରକାର ନେଉଛନ୍ତି ମାତ୍ର ଶିକ୍ଷାକ୍ଷେତ୍ରରେ ପୂର୍ବରୁ ନିଆଯାଇଥିବା ଅନ୍ୟାନ୍ୟ ଯୋଜନାପରି ଏହା କେତେ ସଫଳ ହେବ ତାହା ସମୟ ହିଁ କହିବ!
ଆମ ଶିକ୍ଷା ବ୍ୟବସ୍ଥା କଥା ଆଲୋଚନା କଲେ ଜଣାପଡେ ଯେ, ସ୍ୱାଧୀନତା ପରେ ଅନେକ କମିଶନ ଶିକ୍ଷା କ୍ଷେତ୍ରରେ ବସିଛି । ମାତ୍ର ଶିକ୍ଷା ବ୍ୟବସ୍ଥାର ସେପରି କିଛି ଆଖିଦୃଶିଆ ପରିବର୍ତ୍ତନ ଘଟିନାହିଁ । ଶିକ୍ଷାର ବିକାଶ ପାଇଁ ଆବଶ୍ୟକ ହେଉଥିବା ଅର୍ଥର ଅଭାବ ହିଁ ଏହାର ପ୍ରମୁଖ କାରଣ । ବିଭିନ୍ନ ସମୟରେ ଗଠନ କରାଯାଇଥିବା ଶିକ୍ଷା କମିଶନ ଓ ଶିକ୍ଷା କମିଟିର ସୁପାରିଶ ହେଉଛି ଶିକ୍ଷା ବାବଦରେ ବ୍ୟୟ ବରାଦ ବୃଦ୍ଧି କରିବା ପାଇଁ ।
ଏସବୁ କମିଶନ ଓ କମିଟିର ସୁପାରିଶ ଶୀତଳ ଭଣ୍ଡାରରେ ପଡିରହିିଛି । ୧୯୬୪ ମସିହାରେ ଗଠିତ କୋଠାରି କମିଶନ କେନ୍ଦ୍ର ବଜେଟ୍ର ୧୦ ଭାଗ ଓ ରାଜ୍ୟ ବଜେଟ୍ର ୩୦ ଭାଗ ଶିକ୍ଷାକ୍ଷେତ୍ରରେ ବ୍ୟୟ କରିବାକୁ ସରକାରଙ୍କୁ ସୁପାରିଶ କରିଥିଲେ । କିନ୍ତୁ ଅଦ୍ୟାବଧି ଶିକ୍ଷା କ୍ଷେତ୍ରରେ ବ୍ୟୟ ନିର୍ଦ୍ଧାରିତ ସୁପାରିଶ ଠାରୁ ବହୁଦୂରରେ । ବରଂ କେନ୍ଦ୍ର ବଜେଟ୍ରେ ଶିକ୍ଷାପାଇଁ ବ୍ୟୟ ୪.୪ ପ୍ରତିଶତରୁ ରୁ ୩.୩ ପ୍ରତିଶତକୁ ହ୍ରାସ ପାଇଥିବାବେଳେ ଆମ ରାଜ୍ୟ ବଜେଟରେ ୧୦.୪ ଭାଗ ଶିକ୍ଷା ପାଇଁ ବ୍ୟୟବରାଦ କରାଯାଉଛି । କାରଣ ଆମ ଦେଶ ତଥା ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବ୍ୟୟକୁ ଏକ ବୋଝ ବୋଲି ବିବେଚନା କରାଯାଏ, ପରିସମ୍ପତ୍ତି ନୁହେଁ । ବିଶେଷକରି ୧୯୯୦ ଦଶକ ପରଠାରୁ ଆମ ଦେଶ ଜଗତୀକରଣକୁ ଆପଣେଇ ନେଲାପରେ ଶିକ୍ଷାକ୍ଷେତ୍ରରେ ଏହାର ପ୍ରତିକୂଳ ପ୍ରଭାବ ବହୁଳ ଭାବରେ ପରିଲକ୍ଷିତ ହୋଇଛି । ଏହାର ପ୍ରଭାବ ଆମ ରାଜ୍ୟରେ ମଧ୍ୟ ଅନୁଭୂତ ହୋଇଛି ।
ରାଜ୍ୟରେ ପ୍ରାଥମିକ ଶିକ୍ଷା ବିଗିଡିବାର ପ୍ରମୁଖ କାରଣ ହେଉଛି ଆବଶ୍ୟକ ଶିକ୍ଷକ ଓ ଭିତ୍ତିଭୂମିର ଅଭାବ ।
ଶିକ୍ଷା ଅଧିକାର ଆଇନ ଅନୁସାରେ ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରେ ୨ ଲକ୍ଷ ୨୪ ହଜାର ୩୩୦ ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି । ଅଛନ୍ତି ୧ ଲକ୍ଷ ୧୫ ହଜାର ୮୩୩ ଜଣ ନିୟମିତ ଶିକ୍ଷକ । ବଳକା ୧ ଲକ୍ଷ ୮ ହଜାର ୪୯୭ ଜଣ ନିୟମିତ ଶିକ୍ଷକ ପଦବୀ ସ୍ଥାନରେ ୭୩ ହଜାର ୭୩୬ ଜଣ ନିୟମିତ ଶିକ୍ଷା ସହାୟକ ଓ ଗଣଶିକ୍ଷକଙ୍କୁ ନେଇ ଶିକ୍ଷା ବ୍ୟବସ୍ଥା ଚଲାଇଛନ୍ତିି । ଖାଲିଥିବା ଶିକ୍ଷକ ପଦବୀ ପୂରଣ ହେବା ତ ଦୂରର କଥା, କେଉଁଠି ୫ଟି ଶ୍ରେଣୀକୁ ଜଣେ ଶିକ୍ଷକ ତ ଆଉ କେଉଁଠି ୭ଟି ଶ୍ରେଣୀକୁ ଦୁଇ ବା ତିନି ଜଣ ଶିକ୍ଷକରେ ସ୍କୁଲ ଚାଲିଛି ।ସେହିପରି ଭିତ୍ତିଭୂମିର ଅଭାବ ଶିକ୍ଷାର ବିକାଶରେ ଏକ ପ୍ରମୁଖ ସମସ୍ୟା ରୂପେ ଉଭାହୋଇଛି ।
ଏପର୍ଯ୍ୟନ୍ତ ରାଜ୍ୟରେ ଥିବା ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାନୀୟଜଳ, ପରିମଳ ବ୍ୟବସ୍ଥା, ବିଜୁଳି ଆଲୋକ, ସୁସ୍ଥ ଶିକ୍ଷଣୀୟ ପରିବେଶ ଭଳି ଆବଶ୍ୟକତାକୁ ପୂରଣ କରାଯାଇପାରିନାହିଁ । ‘ଓପେପା’ ତରଫରୁ ମିଳିଥିବା ସୂଚନା ମୁତାବକ ରାଜ୍ୟରେ ଥିବା ମୋଟ ୫୧ ହଜାର ୯୪ଟି ସ୍କୁଲ ମଧ୍ୟରୁ ୧୨ ହଜାର ୩୬୪ଟି ସ୍କୁଲରେ ଶୌଚାଳୟ ନାହିଁ । ୫୦ ପ୍ରତିଶତରୁ ଅଧିକ ସ୍କୁଲରେ ବାଳକ ଓ ବାଳିକାଙ୍କ ପାଇଁ ଅଲଗା ଅଲଗା ଶୌଚାଳୟ ନାହିଁ । ସେହିପରି ୪୧ ହଜାର ୩୮୨ଟି ସ୍କୁଲରେ ଖେଳପଡିଆ ନଥିଲା ବେଳେ ୪୩ ହଜାର ସ୍କୁଲକୁ ବିଦୁ୍ୟତ୍ ସଂଯୋଗ ନାହିଁ । ୧୨ ହଜାର ୨୦୦ ସ୍କୁଲରେ ମଧ୍ୟାହ୍ନ ଭୋଜନ ରାନ୍ଧିବା ପାଇଁ ରୋଷେଇଘର ନଥିଲା ବେଳେ ୧୮ ହଜାର ୫୦୦ ସ୍କୁଲରେ ପାଚେରୀ ନାହିଁ । ସବୁଠାରୁ ପରିତାପର ବିଷୟ ଯେ ୩୫୦ ସ୍କୁଲର ନିଜସ୍ୱ ଘର ନାହିଁ । ଗୋଟିଏ ପଟେ ଶିକ୍ଷକମାନଙ୍କର ଅଭାବ ଓ ଅନ୍ୟପଟେ ଭିତ୍ତିଭୂମିର ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ଦକ୍ଷତା ହ୍ରାସ ପାଇବାରେ ଲାଗିଛି । ‘ପ୍ରଥମା’ ପ୍ରସ୍ତୁତ କରିଥିବା ରିପୋର୍ଟ ଅନୁଯାୟୀ ୫୩.୩ ପ୍ରତିଶତ ପ୍ରଥମ ଶ୍ରେଣୀ ପିଲା ଦ୍ୱିତୀୟ ଶ୍ରେଣୀର ଗଣିତ କରିବାକୁ ସକ୍ଷମ ନୁହନ୍ତି । ସେହିପରି ୪୫.୮ ପ୍ରତିଶତ ପ୍ରଥମ ଶ୍ରେଣୀ ପିଲା ଦ୍ୱିତୀୟ ଶ୍ରେଣୀ ବହି ପଢି ପାରନ୍ତି ନାହିଁ ।
ସୂଚନାଯୋଗ୍ୟ ଯେ, କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟକାରୀ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ନିମନ୍ତେ ସରକାର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ, ପୁଷ୍ଟିକର ଅଣ୍ଡା, ମାଗଣାରେ ପାଠ୍ୟ ପୁସ୍ତକ, ପୋଷାକ ଯୋଗାଇ ଦେଉଛନ୍ତି । ବିଦ୍ୟାଳୟକୁ ସର୍ବାଙ୍ଗ ସୁନ୍ଦର କରିବା ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଉଛନ୍ତି ।
ଏସବୁ ସତ୍ତ୍ୱେ ସର୍ବଶିକ୍ଷା ଅଭିଯାନ ଦିଗହରା ହୋଇଛି । ଏକ ତଥ୍ୟ ଅନୁସାରେ ୨୦୧୧-୧୨ ମସିହାରେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲରେ ଷଷ୍ଠ ଶ୍ରେଣୀରେ ୫,୫୧,୬୮୬ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ୨୦୧୩-୧୪ ଶିକ୍ଷାବର୍ଷରେ ଅଷ୍ଟମ ଶ୍ରେଣୀରେ ପହଁଞ୍ଚିଲା ବେଳକୁ ଏହି ଛାତ୍ରଛାତ୍ରୀଙ୍କ ସଂଖ୍ୟା ଥିଲା ୨,୯୬,୩୫୩ । ଅବଶିଷ୍ଟ ଛାତ୍ରଛାତ୍ରୀ ବାଟରୁ କୁଆଡେ ଗଲେ ତା’ର ଏବେ ହିସାବ ମିଳୁନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ହିସାବ ମିଳୁନଥିବା ୨,୫୫,୩୩୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨,୪୯,୮୬୫ ହେଉଚନ୍ତି ସରକାରୀ ବିଦ୍ୟାଳୟର । ଏବେ ପ୍ରାୟ ଫେଲ୍ ବ୍ୟବସ୍ଥା ନାହିଁ । ଏସବୁ ସତ୍ତ୍ୱେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଢେଇ ଲକ୍ଷ କମିବା ବ୍ୟବସ୍ଥାଗତ ତ୍ରୁଟିକୁ ଅଙ୍ଗୁଳି ନିଦେ୍ର୍ଦଶ କରୁଛି ।
ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହେଲା ଶିକ୍ଷା ବ୍ୟବସ୍ଥାରେ ଜାତିଭେଦ । ଏଠି କିଏ ଜିଲ୍ଲାପରିଷଦ ଶିକ୍ଷକ, କନିଷ୍ଠ ଶିକ୍ଷକ,ଗଣଶିକ୍ଷକ, ଶିକ୍ଷା ସହାୟକ ତ କିଏ ବ୍ଲକ୍ଗ୍ରାଣ୍ଟ୍ ଶିକ୍ଷକ । ଯଦିଓ ନିକଟରେ ବ୍ଲକଗ୍ରାଣ୍ଟ ବ୍ୟବସ୍ଥା ଉଚ୍ଛେଦ କରାଯାଇଛି ତଥାପି ସେମାନଙ୍କୁ ପୂର୍ଣ୍ଣ ଚାକିରି ସର୍ତ୍ତାବଳୀ ଓ ଅବସରକାରଳୀନ ସୁବିଧା ସୁଯୋଗ ମିଳିନାହିଁ । କାହିଁ ଅତୀତରେ ଶିକ୍ଷକମାନଙ୍କୁ ଏପରି ଭାଗ ଭାଗ କରାଯାଉନଥିଲା? ଗୋଟିଏ ବୃତ୍ତିରେ ଥାଇ ସମାନ କାମକରି ଭିନ୍ନ ଭିନ୍ନ ବେତନ ପାଉଥିବାରୁ ଶିକ୍ଷକମାନେ ହୀନମନ୍ୟତାର ଶିକାର ହେଉଚନ୍ତି । ପରିଣାମ ସ୍ୱରୂପ, ବିଭିନ୍ନ ସମୟରେ ସେମାନେ ଆନେ୍ଦାଳନ କରୁଛନ୍ତି ଓ କୋର୍ଟ କଚେରୀର ଦ୍ୱାରସ୍ଥ ହେଉଛନ୍ତି ତାଙ୍କୁ ଶିକ୍ଷକ ସ୍କେଲ ଦେବାପାଇଁ । ସାମଗ୍ରିକ ଭାବେ ଏହାର ପ୍ରତିକୂଳ ପ୍ରଭାବ ଶିକ୍ଷା ବ୍ୟବସ୍ଥା ଉପରେ ପଡୁଛି । ସମାନ ଶିକ୍ଷା ବ୍ୟବସ୍ଥା ଓ ସମାନ କାମକୁ ସମାନ ଦରମା ହିଁ ଏହି ସମସ୍ୟାର ସମାଧାନ କରିପାରିବ ।
ସରକାରୀ ସ୍ତରରେ ସମସ୍ତ ପ୍ରକାର ପ୍ରୟାସ ସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନି । ସାମ୍ବିଧାନିକ ବିଧି ବ୍ୟବସ୍ଥା, ଜାତୀୟ ଶିକ୍ଷାନୀତି,ନିରନ୍ତର ଶିକ୍ଷା,କଳାପଟା ଅଭିଯାନ,ସର୍ବଶିକ୍ଷା ଅଭିଯାନ,ଶିକ୍ଷା ଅଧିକାର ଆଇନ ଓ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠାପରେ ବି ଶିକ୍ଷା କ୍ଷେତ୍ରରେ ଆମର ଅଗ୍ରଗତି ସନ୍ତୋଷଜନକ ହୋଇପାରି ନାହିଁ । ଏପରିକି ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହେବାର ୧୦ ବର୍ଷ ପରେ ବି ଶିକ୍ଷା ଅଧିକାର ଅନେକଙ୍କ ପାଇଁ ସ୍ୱପ୍ନ ହୋଇ ରହିଛି । ଶିକ୍ଷାନୁଷ୍ଠାନର ସମସ୍ତ କାର୍ଯ୍ୟକ୍ରମରେ ରାଜନୈତିକ ହସ୍ତକ୍ଷେପ ।
ଏହାକୁ ରାଜନୈତିକ ହସ୍ତକ୍ଷେପରୁ ମୁକ୍ତ ରଖିବାକୁ ହେବ । ସଂପ୍ରତି ମହାମାରୀ କରୋନା ଶିକ୍ଷା ବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ପ୍ରାୟ ତିନି ମାସ ହେଲା ପାଠ ପଢା ଠପ୍ । ଅନ୍ଲାଇନ୍ ଶିକ୍ଷା ବ୍ୟବସ୍ଥା ଆରମ୍ଭ କରାଯାଇଥିଲେ ମଧ୍ୟ ତାହା ସବୁ ପିଲା ବିଶେଷ କରି ଗ୍ରାମାଞ୍ଚଳର ପିଲାମାନଙ୍କ ପାଖରେ ପହଞ୍ଚିବା ସମ୍ଭବପର ନୁହେଁ । ଯେତେ ଜାହା କଲେବି ଗୁରୁଙ୍କ ସ୍ଥାନ ଗୁଗୁଲ୍ ନେଇପାରିବନାହିଁ । ଏ ଦୃଷ୍ଟିରୁ ବିଚାର କଲେ “ମୋ ସ୍କୁଲ ଅଭିଯାନ” ଆମ ଅସଜଡା ଶିକ୍ଷା ବ୍ୟବସ୍ଥାକୁ ସଜାଡିବାରେ କେତେ ସଫଳ ହେବ ତାହା ଭବିଷ୍ୟତ କହିବ ।