ନୂଆଦିଲ୍ଲୀ : ମାରୁତି ସୁଜୁକି ନିଜର ଲୋକପ୍ରିୟ କାର ଅଲଟୋ ୮୦୦ର ଉତ୍ପାଦନ ବନ୍ଦ କରିଦେଇଛି । ବିଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଏହା ଭାରତର ସବୁଠାରୁ ଅଧିକ ବିକ୍ରି ହେଉଥିବା କାର ଥିଲା । ଏହା ବଦଳରେ କମ୍ପାନି ଅଲଟୋ କେ-୧୦ ଉପରେ ଅଧିକ ଫୋକସ କରିବ ।
କମ୍ ଦାମରେ ଏହି କାର୍ ଭଲ ମାଇଲେଜ୍ ଦେଇ ଚାଲିଥିଲା ଏବଂ ବିକ୍ରି ଦୃଷ୍ଟିରୁ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଶୀର୍ଷ କାର୍ ମଧ୍ୟରେ ରହିଥିଲା। ଭାରତର ଲକ୍ଷ ଲକ୍ଷ ମଧ୍ୟବିତ୍ତ ପରିବାରର କାର କିଣିବା ସ୍ବପ୍ନକୁ ଏହା ସାକାର କରିଥିଲା । ୨୦୦୦ ମସିହାରେ ପ୍ରଥମ ମାରୁତି ସୁଜୁକି ଅଲଟୋ ୮୦୦ ଲଞ୍ଚ ହୋଇଥିଲା ।
ସୂଚନାଯୋଗ୍ୟ, ଭାରତରେ ମାରୁତିର ପ୍ରଥମ କାର୍ ୮୦୦ର ବଜାର ଉପରେ ଏକତରଫା ଆଧିପତ୍ୟ ଜାହିର କରିଥିଲା । କିନ୍ତୁ ଅଲ୍ଟୋ ୮୦୦ ଲଞ୍ଚ୍ ହେବାର କିଛି ମାସ ପରେ ମାରୁତି ୮୦୦ର ଏହି ଆଧିପତ୍ୟ ରହିନଥିଲା । ଲୋକମାନେ ୮୦୦ ସ୍ଥାନରେ ଅଲଟୋକୁ ପସନ୍ଦ କରିଥିଲେ । ଫଳରେ ଧୀରେ ଧୀରେ ମାରୁତି ୮୦୦ ବଜାରରୁ ଅଦୃଶ୍ୟ ହୋଇଯାଇଥିଲା ।
ଏ ସଂର୍କରେ ମାରୁତି ସୁଜୁକି ଇଣ୍ଡିଆର ସେଲ୍ସ ଆଣ୍ଡ ମାର୍କେଟିଂ ର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି ଯେ ଯେଉଁ ଏଣ୍ଟ୍ରି ଲେଭେଲ ସେଗମେଣ୍ଟରେ ଅଲଟୋ ୮୦୦ ବିକ୍ରି ହେଉଥିଲା, ସେଠାରେ ଗତ କିଛି ବର୍ଷ ହେବ ଚାହିଦାରେ ବ୍ୟାପକ ହ୍ରାସ ଘଟିଚାଲିଥିଲା । ଏହାର କାରଣ ହେଉଛି ଗତ କିଛି ବର୍ଷ ହେବ ଗ୍ରାହକମାନେ ଦାମୀ କାର୍ ପ୍ରତି ଆଗ୍ରହ ଦେଖାଇବା ଆରମ୍ଭ କରିଛନ୍ତି । ଏହାଛଡ଼ା ଅଲଟୋ କେ-୧୦ ର ଚାହିଦା ବୃଦ୍ଧି ପାଇଛି । ଏସବୁକୁ ଦୃଷ୍ଟିରେ ରଖି ଅଲଟୋ ୮୦୦ର ଉତ୍ପାଦନ ବନ୍ଦ କରାଯାଇଛି ।