ନିଆରା ଜନନାୟକ ଡକ୍ଟର ମହତାବ : ଜାନୁଆରୀ ୨ ତାରିଖ ଉକ୍ରଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୩୪ ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ….
ହିମାଂଶୁ ଶେଖର ଆଚାର୍ଯ୍ୟ : ସବୁ ମଣିଷର ଜନ୍ମ ଏକ ପ୍ରକାର କିନ୍ତୁ ସୁଗୁଣ ଓ ସୁକର୍ମ ହିଁ ତାକୁ କାଳଜୟୀ କରିଥାଏ । ମରିବି ସିଏ ମରଣଜୟୀ ହୋଇଥାଏ । ଏମିତି ଏକ ଅବିସ୍ମରଣୀୟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଉକôଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ । ଏକାଧାରରେ ସେ ଥିଲେ ପ୍ରଖ୍ୟାତ ଜନନାୟକ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ,ସୁସାହିତି୍ୟକ ଓ ଦକ୍ଷ ସଂପାଦକ । ଏବେବି ତାଙ୍କ କର୍ମମୟ ଜୀବନର କଥା ଓ ଗାଥା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉସô ହୋଇ ରହିଛି । ଏହି ଯୋଗଜନ୍ମା ବରପୁତ୍ର ଜନ୍ମ ନେଇଥିଲେ ୧୮୯୯ ମସିହା ନଭେମ୍ବର ୨୧ ତାରିଖରେ ଓ ତାଙ୍କର ଘଟଣାବହୁଳ ଜୀବନର ଅବସାନ ଘଟିଲା ୧୯୮୭ ମସିହା ଜାନୁୟାରୀ ୨ ତାରିଖରେ । ଆଜି ହେଉଛି ତାଙ୍କର ୩୪ ତମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ଓଡିଶା ପ୍ରତି ତାଙ୍କର ଅବଦାନ ଓ ତାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିବା ଏହି ଆଲେଖ୍ୟର ମୁଖ୍ୟ ଉଦେ୍ଦଶ୍ୟ ।
ହରେକୃଷ୍ଣ ମହତାବ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ସେ ଥିଲେ ଏକାଧାରରେ ଜଣେ ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ, ସୁସାହିତି୍ୟକ, ସୁଶାସକ, ଦକ୍ଷ ସମ୍ପାଦକ, ମହାନ୍ ଦେଶପ୍ରେମୀ, ଏ÷÷ତିହାସିକ ,ସୁସଂଗଠକ ଓ ସର୍ବୋପରି ନବଉକ୍ରଳର ନିର୍ମାତା । ଥରେ ଯାହା ସିଏ ଚିନ୍ତା କରୁଥିଲେ ତାକୁ କାର୍ଯ୍ୟରେ କରି ଦେଖାଉଥିଲେ । ଏଥିରୁ ତାଙ୍କୁ କେହି ବିଚୁ୍ୟତ କରିପାରୁନଥିଲେ । ତାଙ୍କ ବ୍ୟତିରେକ ଓଡିଶା ରାଜନୀତିର କୌଣସି ସଂଜ୍ଞା, ସ୍ଥିତି ନାହିଁ । ସମସ୍ତ ଉଲ୍ଲେଖଯୋଗ୍ୟ ରାଜନୀତିକ ଉତ୍ଥାନ-ପତନରେ ତାଙ୍କର ହାତଥିବା ଅନେକ ବିଶ୍ୱାସ କରୁଥିଲେ । ସତରେ ସେ ଥିଲେ ଏକ ରାଜନୀତିକ ବିସ୍ମୟ, ଯାହାଙ୍କ ଚିନ୍ତାରେ, କଥାରେ, ଲେଖାରେ ଓ କାର୍ଯ୍ୟରେ ଗୋଟିଏ ଜାତିର ଶ୍ୱାସ-ପ୍ରଶ୍ୱାସ ଏମିତି ସ୍ପନ୍ଦିତ ହେଉଥିଲା ।ସେ ଖାଲି ଜଣେ ବ୍ୟକ୍ତି ବିଶେଷ ନଥିଲେ, ଥିଲେ ଏକ ସ୍ୱୟଂସଂପୂର୍ଣ୍ଣ ଅନୁଷ୍ଠାନ ।
ଡକ୍ଟର ମହତାବଙ୍କ କର୍ମମୟ,ସଂଗ୍ରାମୀ ଓ ରାଜନୈତିକ ଜୀବନ ବେଶ୍ ଚଳଚଞ୍ଚଳ ଥିଲା । ନିଜର ଅସାଧାରଣ ବ୍ୟକ୍ତିତ୍ୱ ଓ ପରାକାଷ୍ଠା ଯୋଗୁ ପ୍ରାୟ ଅର୍ଦ୍ଧସତାବ୍ଦି ଧରି ୧୯୨୪ ମସିହାରୁ ୧୯୭୪ ମସିହା ପର୍ଯ୍ୟନ୍ତ ଓଡିଶା ତଥା ଜାତୀୟ ରାଜନୀତିକୁ ପ୍ରଭାବିତ କରିଥିଲେ । ୧୯୩୭ ମସିହାରେ ରାଜ୍ୟ କଂଗ୍ରେସର ସଭାପତି ଭାବେ ସଂଗଠନରେ ପାଦ ଥାପିଥିଲେ ସେ । ପରେ ୧୯୩୮ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର କାର୍ଯ୍ୟକାରୀ ସମିତି ସଭ୍ୟରୂପେ ତାଙ୍କୁ ମନୋନୀତ କରାଯାଇଥିଲା । ଏହି ସମୟରେ ନିଜର ଅପୂର୍ବ ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ୧୯୪୬ରୁ ୧୯୫୦ମସିହା ପର୍ଯ୍ୟନ୍ତ ସେ ଓଡିଶାର ପ୍ରଧାନମନ୍ତ୍ରୀ ପରେ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଲାଭ କରିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ୧୯୫୬ ମସିହାରେ ଦ୍ୱିତୀୟ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ପଦ ମଣ୍ଡନ କରି ୧୯୬୧ ମସିହା ପର୍ଯ୍ୟନ୍ତ ସେଥିରେ ଅବସ୍ଥାପିତ ହୋଇଥିଲେ ।
ସେହିପରି ୧୯୫୦ ମସିହାରୁ ୧୯୫୨ ମସିହା ପର୍ଯ୍ୟନ୍ତ କେନ୍ଦ୍ର ଶିଳ୍ପ, ବାଣିଜ୍ୟ ଓ ଯୋଗାଣ ମନ୍ତ୍ରୀ ରୂପେ ନିଜ ଦାୟିତ୍ୱ ସୂଚାରୁରୂପେ ତୁଲାଇଥିଲେ । ୧୯୫୫-୧୯୫୬ ମସିହାରେ ବମ୍ବେ ରାଜ୍ୟର ରାଜ୍ୟପାଳ ହେବାର ସୈାଭାଗ୍ୟ ଡକ୍ଟର ମହତାବ ହିଁ ଲାଭ କରିଥିଲେ । ୧୯୬୨ ମସିହାରେ ଯେଉଁ ତିନିଜଣ ସଦସ୍ୟ ଅପ୍ରତିନ୍ଦ୍ୱନ୍ଦୀ ଭାବରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ତନ୍ମଧ୍ୟରୁ ମହତାବ ଥିଲେ ଜଣେ । ସେହିପରି ୧୯୬୬ ମସିହାରେ କଂଗ୍ରେସ ଦଳ ତ୍ୟାଗ ପରେ ୧୯୬୭,୧୯୭୧ ଓ ୧୯୭୪ ମସିହାରେ ସେ ମଧ୍ୟ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
ମହତାବଙ୍କ ଶାସନକାଳ ଓଡିଶା ପାଇଁ ଏକ ସୁବର୍ଣ୍ଣଯୁଗ ଥିଲା କହିଲେ ଭୁଲ୍ ହେବ ନାହିଁ । ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ସ୍ୱକୀୟତା, ସାହସ ଓ ନିର୍ଭୀକତା ପରିସ୍ଫୁଟ ହୋଇଥିଲା । ଆଧୁନିକ ଓଡିଶାର ନିର୍ମାତା ଭାବେ ଇତିହାସରେ ତାଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ । ଗଡଜାତ ମିଶ୍ରଣ, ଭୁବନେଶ୍ୱରରେ ନୂଆ ରାଜଧାନୀ ପ୍ରତିଷ୍ଠା, ଓଡିଶା ଟେକ୍ସଟାଇଲ୍ ମିଲ୍ ,କଟକ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠାରେ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୁମିକା ଆଜି ବି ଉଚ୍ଚ ପ୍ରଶଂସିତ ।
ବିଶେଷ କରି ଓଡିଶାକୁ ମହତାବଙ୍କ ସର୍ବଶ୍ରେଷ୍ଠ ଅବଦାନ ହେଉଛି ହୀରାକୁଦ ବନ୍ଧ । ୧୯୪୮ ମସିହା ଏପ୍ରିଲ ୧୨ ତାରିଖରେ ଭରତର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଓଡିଶାରେ ହାଇକୋର୍ଟ ପ୍ରତିଷ୍ଠା ଦିଗରେ ମହତାବ ଆଶୁ ପଦକ୍ଷେପ ନେଲେ । ସୁପ୍ରିମକୋର୍ଟର ସେତେବେଳର ପ୍ରଧାନ ବିଚାରପତିଙ୍କ ଦ୍ୱାରା ଏହା ଉଦ୍ଘାଟିତ ହୋଇଥିଲା । ଓଡିଶାରେ ଖେଳ କସରତକୁ ପ୍ରୋତ୍ସାହନ ଦେବାପାଇଁ ମହତାବଙ୍କ ଅବଦାନ ବହୁତ ବେଶୀ । ଓଡିଶା ଅଲମ୍ପିକ ଆସୋସିଏସନ୍ ତାଙ୍କ ଉଦ୍ୟମରେ ଗଠିତ ହୋଇଥିଲା । ସେ ଶେଷ ପର୍ଯ୍ୟନ୍ତ ତାର ସଭାପତି ଥିଲେ । ବାରବାଟୀ ଷ୍ଟାଡିୟମ୍ ନିର୍ମାଣରେ ସେ ସକ୍ରିୟ ଭୂମିକା ପ୍ରହଣ କରିଥିଲେ ।
ରାଜନୀତି ଓ ସାହିତ୍ୟ ସାଧନା ସହିତ ମହତାବ ସାମ୍ବାଦିକତାକୁ ନିଜ ଜୀବନର ଅଙ୍ଗ ବୋଲି ଭାବିନେଇଥିଲେ । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ସଫଳତା ସାର୍ଥକ ଜନମତ ଉପରେ ନିର୍ଭର କରେ ବୋଲି ସେ ମର୍ମେ ମର୍ମେ ଅନୁଭବ କରିଥିଲେ । ଜନମତକୁ ପ୍ରତିଫଳିତ କରିବା ପାଇଁ ସେ ପ୍ରତିଷ୍ଠା କରିଥିଲେ “ପ୍ରଜାତନ୍ତ୍ର” । ୧୯୨୩ ମସିହାରେ ଏହା ପ୍ରଥମେ ସାପ୍ତାହିକ ଭାବେ ପ୍ରକାଶ ପାଇବା ପରେ ୧୯୪୬ ମସିହାଠାରୁ ଏହା ଦୈନିକ ପ୍ରକାଶ ପାଇଆସୁଅଛି । ପ୍ରଜାତନ୍ତ୍ରର ବହୁ ବିଭାଗ ଦେଖିବାକୁ ମିଳେ । ଏହାର ଆଉ ଏକ ଆକର୍ଷଣୀୟ ବିଭାଗ ଥିଲା ଗାଁ -ମଜଲିସ୍ । ଏହାକୁ ମହତାବ ନିଜେ ଲେଖୁଥିଲେ । ଏଥିରେ ଦୁଃଖୀ, ଦରିଦ୍ର, ଶୋଷିତ ଜନସାଧାରଣଙ୍କ ପାଇଁ ସମବେଦନାର ଉଚ୍ଛ୍ୱାସ ଦେଖିବାକୁ ମିଳୁଥିଲା । ଏତଦ୍ବ୍ୟତିତ ଶିଶୁପତ୍ରିକା ମୀନାବଜାର ଓ ଝଙ୍କାରର ସେ ସ୍ରଷ୍ଟା ଥିଲେ । ପ୍ରଜାତନ୍ତ୍ର ପ୍ରଚାର ସମିତିର ସଭାପତି ଥାଇ ସେ ସାରସ୍ୱତ ବିଷୁବ ମିଳନର ପରିକଳ୍ପନା କରିଥିଲେ । ପ୍ରତିବର୍ଷ ଏହି ଉତ୍ସବରେ କବି, ଲେଖକ ଓ ସାହିତି୍ୟକମାନେ ସମ୍ବର୍ଦ୍ଧିତ ହେଉଛନ୍ତି ।ଏବେ ମଧ୍ୟ ବିଷୁବ ମିଳନ ସମାରୋହରେ ତାଙ୍କ ଶୂନ୍ୟତା ବେଶ୍ ବାରିହୋଇପଡେ ।
ମହତାବଙ୍କର ସାହିତ୍ୟ କ୍ଷେତ୍ରରେ ମଧ୍ୟ ଗଭୀର ପ୍ରବେଶ ଓ ଅନୁରାଗ ଥିଲା । ସେ ଥିଲେ ଜଣେ ଲବ୍ଧପ୍ରତିଷ୍ଠ ସାହିତି୍ୟକ । ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ଲେଖନୀ ଚାଳନାରୁ ସେ ବିରତ ହୋଇନଥିଲେ । ତାଙ୍କର ପ୍ରବନ୍ଧଗୁଡିକ ଯେପରି ଭାବୋଦ୍ଦୀପକ, ତାଙ୍କ ଉପନ୍ୟାସଗୁଡିକ ସେପରି ପ୍ରାଣବନ୍ତ ଥିଲା । ଏଥିସହିତ ଗଳ୍ପ, ଏକାଙ୍କିକା ଓ କାବ୍ୟ କବିତା ଲେଖିବାରେ ସେ ମାହିର ଥିଲେ । ତାଙ୍କର ପ୍ରକାଶିତ ଉପନ୍ୟାସ ଗୁଡିକ ହେଲା ପ୍ରତିଭା, ଅବ୍ୟାପାର, ନୂତନ ଧର୍ମ, ଟାଉଟର, ତୃତୀୟ ପର୍ବ ଓ ୧୯୭୫ । ପ୍ରବନ୍ଧଗୁଡିକ ଭିତରେ ରହିଛି ସମାଜ ଉପରେ ସାହିତ୍ୟର ପ୍ରଭାବ, ହଜାରେ ବର୍ଷରେ ଓଡ଼ିଆ ସାହିତ୍ୟ, ଭାରତୀୟ ସଂସ୍କୃତିକୁ ଓଡ଼ିଶାର ଅବଦାନ, ଗୀତା ଓ ଜନତା ଓ ସାହିତ୍ୟ ଓ ରାଜନୀତି । ବହୁ ବିଶିଷ୍ଟ ଲୋକଙ୍କ ପରି ସେ ଆତ୍ମଜୀବନୀ ଲେଖିଛନ୍ତି – ‘ସାଧନାର ପଥେ‘ ।
ଏହା ଉଚ୍ଚକୋଟୀର ଆତ୍ମଜୀବନୀ । ବିଶେଷକରି ତାଙ୍କ ରଚିତ ‘ଓଡିଶା ଇତିହାସ’ ଏକ ଅନନ୍ୟ ସୃଷ୍ଟି ଯାହା ଭବିଷ୍ୟତ ଗବେଷକମାନଙ୍କୁ ଯୁଗଯୁଗ ଧରି ପ୍ରେରଣା ଦେଇଆସୁଥିବ । ଐତିହାସିକ ମଜୁମ୍ଦାରଙ୍କ ଭାଷାରେ ଓଡିଆ ଭାଷାରେ ଆଧୁନିକ ବୈଜ୍ଞାନିକ ପଦ୍ଧତିରେ ଯେଉଁ କେତୋଟି ପୂର୍ଣ୍ଣାଙ୍ଗ ଇତିହାସ ରଚିତ ହୋଇଛି, ତନ୍ମଧ୍ୟରୁ ‘ଓଡିଶା ଇତିହାସ’ ଶ୍ରେଷ୍ଠ ଗ୍ରନ୍ଥ । ଏଥିପାଇଁ ୧୯୫୦ ମସିହାରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ, ୧୯୫୬ ମସିହାରେ ଉକ୍ରଳ ବିଶ୍ୱବିଦ୍ୟାଳୟ, ୧୯୫୮ ମସିହାରେ ସାଗର ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନଜନକ ଡି.ଲିଟ୍. ଉପାଧିରେ ଭୂଷିତ କରିଥିଲେ ।
ଡକ୍ଟର ମହତାବଙ୍କ ଜନ୍ମ ୧୮୯୯ ମସିହା ନଭେମ୍ବର ୨୧ ତାରିଖରେ, ମୃତୁ୍ୟ ୧୯୮୭ ମସିହା ଜାନୁୟାରୀ ୨ ତାରିଖରେ । ହେଲେ ତାଙ୍କ ଦେହାନ୍ତର ଦିନ ଯେତେ ଗଡିଗଡି ଯାଉଛି ତାଙ୍କ ସୁଗୁଣର ସୁମନ ସେତେ ବେଶି ପାଖୁଡା ମେଲାଉଛି । ଆଉ ସେ ବାସକୁ ଆଘ୍ରାଣ କରୁଛନ୍ତି ରାଜ୍ୟବାସୀ ।
