ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ସରିଲା ୩୫ଟି ତୁମ୍ବ ଓ ସୁତାବାଡିଆ କାମ
ପୁରୀ,୧୦ା୫ :ରଥ ନିର୍ମାଣର ତୃତୀୟ ଦିବସରେ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ତୁମ୍ବ, ବିନ୍ଧ ଓ ଗୁଜ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଆଜି ସୁଦ୍ଧା ୩୫ଟି ତୁମ୍ବ ଓ ଏହାର ସୁତାବାଡିଆ କାମ ଶେଷ ହୋଇଛି । ୬ଟି ତୁମ୍ବର ବିନ୍ଧ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି । ପ୍ରତି ରଥ ପାଇଁ ଗୋଟିଏ ଲେଖାଏଁ ଅଖ ତିଆରି କାର୍ଯ୍ୟ ଆରମ୍ଭ ହୋଇଛି ।
ଭଉଁରୀ ଦିନ ୩ରଥର ଦୁଇଟି ଲେଖାଏଁ ଚକ ସହିତ ଗୋଟିଏ ଲେଖାଏଁ ଅଖ କିପରି ଡେରାଯିବ ସେଥିପାଇଁ ମହାରଣା ଓ ଭୋଇ ସେବକମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । ରଥଖଳାକୁ ଆସିବା ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସମସ୍ତ ବିଶ୍ୱକର୍ମା ମହାରଣା ଓ ରଥଭୋଇମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଥିଲା । ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ପୂର୍ବରୁ ସମସ୍ତ ବିଶ୍ୱକର୍ମା ଓ ରଥଭୋଇମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ରଥଖଳାରେ ସମସ୍ତଙ୍କୁ ବାରମ୍ବାର ସାନିଟାଇଜର ଦିଆଯାଉଛି ।
ରଥଖଳାରେ ଚକ, ଅଖ ଏବଂ ଗୁଜ ତିଆରି କାମ ଚାଲିଥିବା ବେଳେ ଦୋଳବେଦୀ କୋଣ ଅସ୍ଥାୟୀ କମାରଶାଳାରେ ଆବଶ୍ୟକୀୟ କଣ୍ଟା, ବଳା, ଚାବି ଓ ପନ୍ଦାରୀ ଆଦି ଲୌହ ସରଞ୍ଜାମ ପ୍ରସ୍ତୁତ କରାଯାଉଛି । ପ୍ରାୟ ୨୦ରୁ ଉଦ୍ଧ୍ୱର୍ କମାର ସେବାୟତ ଲୌହ ସରଞ୍ଜାମ ତିଆରିରେ ଲାଗିଛନ୍ତି । ପ୍ରଥମ ଥର ପାଇଁ ଚଳିତବର୍ଷ ରଥଖଳାକୁ କନାରେ ସମ୍ପୂର୍ଣ୍ଣ ଆବୃତ୍ତ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି । ରଥଖଳାରେ ସିସିଟିଭି ଲଗାଯିବା ସହ ରଥଖଳା ଚତୁଃପାଶ୍ୱର୍ ୨ଶହ ମିଟର ଅଞ୍ଚଳକୁ ବ୍ୟାରିକେଡିଂ କରାଯାଇଛି । ସଂପ୍ରତି ୧୫୦ଜଣ ବିଶ୍ୱକର୍ମା ମହାରଣା, ରଥଭୋଇ, ରୂପକାର ଓ କମାର ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
ପୁରୀ ଗ୍ରୀନ୍ ଜୋନରେ ଥିବାରୁ ଏହି ସେବାୟତମାନଙ୍କର କେବଳ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛ । ଆବଶ୍ୟକ ପଡ଼ିଲେ ସେମାନଙ୍କ କୋଭିଡ ଟେଷ୍ଟ ମଧ୍ୟ କରାଯିବ ବୋଲି ସୂଚନା ମିଳିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କ ଯାତାୟାତର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ରାତିରୁ ମହାରଣା, ଭୋଇ, ରୂପକାର ଓ କମାର ସେବାୟତଙ୍କୁ ୩ଟି ଭକ୍ତ ନିବାସରେ ରଖାଯାଇ ରଥ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯିବ ବୋଲି ସୂଚନା ମିଳିଛି ।