କେନ୍ଦ୍ରାପଡା-୧୦/୦୫ ଗୁଜୁରାଟ ର ସୁରଟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ୨୦୦ କେନ୍ଦ୍ରାପଡା ବାସିନ୍ଦା ଫସି ରହିଥିବା ଜଣା ପଡିଛି । ଘରକୁ ଆସିବା ପାଇଁ ନାମ ପଞ୍ଜିକରଣ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୈାଣସି ବ୍ୟବସ୍ଥା କରାଯାଇ ନଥିବାରୁ ଏହି ପ୍ରବାସୀ ମାନେ ହଇରାଣ ହରକତ ହୋଇ ଭୋକ ଉପାସରେ ଗାଡି କୁ ଅପେକ୍ଷା କରି ରହିଛନ୍ତି । ସୂଚନା ମୁତାବକ କେନ୍ଦ୍ରାପଡା ବ୍ଲକର କଂସାର, ଆୟବା, ପୁରୁଷୋତମପୁର, ଗଣ୍ଡାକିଆ, ନରଣପୁର, ବାଲିଗୋଠ ପ୍ରଭୃତି ଅଂଚଳର ପ୍ରାୟ ୨୦୦ ବ୍ୟକ୍ତି ଦୀର୍ଘ ଦିନ ହେଲା ସୁରଟ ଜିଲ୍ଲାର ଉଦ୍ଧନା ନୟାଗାଓଁ, ଜିନେ୍ଦାଲି ଠାରେ ଶ୍ରମିକ ଭାବେ କାର୍ଯ୍ୟକରି ଜୀବିକା ଅର୍ଜନ କରୁଥିଲେ ।
କରୋନା ଲକଡାଉନ କଟକଣାରେ ଦେଢ ମାସରୁ ଅଧିକ ବନ୍ଦୀଭାବେ ରହିବା ପରେ ସରକାର ପ୍ରବାସୀ ମାନଙ୍କୁ ଆଣିବା ପାଇଁ ବ୍ୟବସ୍ଥା କରିଛନ୍ତି । ସୁରଟରୁ ଓଡିଆ ମାନଙ୍କୁ ଅଣିବା ପାଇଁ ସ୍ଥାନୀୟ ଯୋଗାଯୋଗ ଦାୟୀତ୍ୱ ସେଠାକାର ଓଡିଅ ସମାଜକୁ ଦିଆ ଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାର ପ୍ରବାସୀଙ୍କ ଦୈାରାତ୍ମରେ କେନ୍ଦ୍ରାପଡାର ପ୍ରବାସୀ ମାନେ ଅସି ପାରୁ ନାହାନ୍ତି । ଏମାନଙ୍କ ପାଇଁ କରାଯାଇଥିବା ବ୍ୟବସ୍ଥାକୁ ଯୋର ଜବରଦସ୍ତ ବାତିଲ କରି ଗଞ୍ଜାମ ର ପ୍ରବାସୀ ମାନେ ଯୋର ଜବରଦସ୍ତ ଗାଡିରେ ବସିବା ଦ୍ୱାରା ଏହି ୨୦୦ ରୁ ଉଦ୍ଧ୍ୱର୍ ବ୍ୟକ୍ତି ଘରକୁ ଫେରିବା ଅସମ୍ଭବ ହୋଇ ପଡିଛି ।
ନିଯୁକ୍ତି ଦାତା ମିଲ ମାଲିକ ଘରକୁ ଫେରିବା ଖବର ଜାଣିବା ପରେ ଆଉ ଧରାଛୁଆଁ ନଦେଇ ସରକାରଙ୍କ ଉପରେ ଛାଡି ଦେଇଛି । କାମଧନ୍ଦା ନଥିବା, ଜୋରଗାର ନଥିବା ଏହି ପ୍ରବାସୀମାନେ ଭୋକ ଉପାସରେ ଘରକୁ ଫେରିବା ବାଟ ଚାହିଁ ବସିଛନ୍ତି । ସ୍ଥାନୀୟ ପ୍ରଶାସନ କୈାଣସି ଦାୟିତ୍ୱ ନେବାକୁ ରାଜି ହେଉ ନଥିବା ବେଳେ ଏମାନଙ୍କୁ ଘରକୁ ଫେରିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ ସେମାନଙ୍କ ପରିବାର ଲୋକମାନେ ଦାବି କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଏହି ବ୍ୟକ୍ତି ମାନଙ୍କୁ ଉଦ୍ଧାର କରିବା ପାଇଁ ସୁରଟରୁ ପ୍ରକାଶ ପ୍ରଧାନ, ସୁଜିତ ସ୍ୱାଇଁ, ବିଶ୍ୱ ରଞ୍ଜନ ପରିଡା, ଖଗେଶ୍ୱର ବିଶ୍ୱାଳ, ପ୍ରଭାକର ମହାନ୍ତି, ଶ୍ରୀକାନ୍ତ ରାଉତ ପ୍ରମୁଖ ନିବେଦନ କରିଛନ୍ତି ।