ସୌଭାଗ୍ୟବତୀ ଗିରି : କି କରୋନା ଆସିଛି କେଜାଣି l ଖାଲି ରୋଗ ନୁହେଁ ତା ସାଙ୍ଗରେ ଯୋଡି ହେଇ ଆସିଛି ଆହୁରି ଅନେକ ଅସୁବିଧା l ଲୋକଙ୍କ ଚାକିରୀ ଯାଇଛି,ବେକାରୀ ସମସ୍ୟା ବଢିଛି,କରୋନା ଯୋଦ୍ଧାମାନେ ଦିନରାତି ବ୍ୟସ୍ତ,ବ୍ୟବସାୟୀ ମାନଙ୍କ ରୋଜଗାର ବନ୍ଦ ହେଇଛି,ପିଲାମାନଙ୍କ ପାଠପଢା ବନ୍ଦ l ଏମିତି ଅନେକ ଅସୁବିଧା l ତା’ପରେ ଏବେ ଆଉ ଗୋଟେ ବଡ ସମସ୍ୟା ହେଲା ଚୋରି l କି ସହର କି ଗାଁ ସବୁଠି ଏବେ ଏଇ ସମସ୍ୟା l ରାତି ସାରା ପେଚା ଭଳି ଅନେଇ ରହିବାକୁ ପଡୁଛି l ଟିକିଏ ଅସାବଧାନ ହେଲେ ସକାଳକୁ ହରିଲୁଟ୍ l
ଆମ ଅଞ୍ଚଳରେ କାହିଁ କେଜାଣି ଏ ସମସ୍ଯା ଟା ଟିକେ ବେଶୀ ବଢି ଯାଇଛି l ଆଗ ଅପେକ୍ଷା ବହୁତ୍ ସତର୍କତା ର ସହ ରହିବାକୁ ପଡୁଛି l ତଥାପି ରାତି ପାହିଲା ବେଳକୁ ଗୋଟେ ଚୋରି କେସ୍ l ପାଖ ଘର ମାଉସୀ ସବୁଦିନେ ସୂଚେଇ ଦିଅନ୍ତି ” ଭଲକରି କବାଟ ଝରକା ବନ୍ଦ କରୁଥିବ l କେଜାଣି ଆଜି କାହା ଭାଗ୍ୟ ଖରାପ l “
ହେଲେ କାଲି ମୁଁ ଦେଖିଲି ଗୋଟେ ନୂଆ ଧରଣର ଚୋରି l ସବୁଦିନ ସକାଳୁ ଉଠି ମର୍ଣିଙ୍ଗ୍ ୱାକ୍ ଯିବା ମୋର ଗୋଟେ ଅଭ୍ୟାସ l ଏମିତି ବି ଲକ୍ ଡାଉନ୍ l ଘରେ ଖାଇପିଇ ବସି ରହିଲେ ବି ସ୍ୱାସ୍ଥ୍ୟ ଖରାପ ହେବାର ବହୁତ୍ ଆଶଙ୍କା l ମୁଁ ଭୋର୍ ରୁ ଉଠି ପାଖାପାଖି ୩ କିଲୋମିଟର ଯାଏ l ସେଇଠୁ ପୁଣି ଫେରେ l ବାଟରେ ଗଲା ବେଳେ ପଡେ ଗୋଟେ ଛୋଟ ବସ୍ତି l ଆଗରୁ ସବୁଦିନ ମୁଁ ସେଇଠି କିଛି ସମୟ ଅଟକି ସେ ପିଲାଙ୍କ ସହିତ ଟିକେ ଗପ ମାରେ l ସେଇ ବସ୍ତି ର ଛୋଟିଆ ଛୋଟିଆ ଛୁଆଙ୍କ ସାଙ୍ଗେ ମୋର ଭାରି ସାଙ୍ଗ l ମୁଁ ଗଲେ କାହା ହାତରେ ବିସ୍କୁଟ୍ ପ୍ୟାକେଟ୍ ଟେ କି କାହା ହାତରେ ଚକଲେଟ୍ ଟେ ଧରେଇ ଦିଏ l
ସେମାନଙ୍କ ଖୁସି ର ପରିମାଣ ଏତେ ଥାଏ ଯେ ମତେ ଲାଗେ ଯେମିତି ମୁଁ କ’ଣ ଗୋଟେ ବଡ କାମ କରି ପକେଇଛି l ହେଲେ ଏ କରୋନା ପାଇଁ ମୁଁ ଏବେ ଆଉ ବାଟରେ କୋଉଠି ବି ଅଟକୁନି l ସିଧାସିଧା ନିଜ ବାଟରେ ଯାଏ ଆଉ ଫେରେ l ସେ ଛୁଆଙ୍କ ପାଖକୁ ବି ଯାଏନି l ଖାଲି ଦୂରରୁ ଦେଖେ ସେମାନଙ୍କୁ l କାଲି ଗଲା ବେଳକୁ ସେ ବସ୍ତିରେ ପୋଲିସ୍ l ମତେ ଆଶ୍ଚର୍ଯ୍ୟ ଲାଗିଲା l ପୋଲିସ୍ ର ଏଠି କି କାମ l ଟିକେ ନିରେଖି ଦେଖିଲି l ସାତ ଆଠ ବର୍ଷର ପିଲା ଟାଏ ଠିଆ ହେଇଛି l ପୋଲିସ୍ ତାକୁ କ’ଣ ଏଣୁତେଣୁ ପଚାରିବାରେ ବ୍ୟସ୍ତ l ମୁଁ ସିନା ଏତେ ବଡ ହେଲିଣି l
ହେଲେ ପୋଲିସ୍ କୁ ମୋର ଏବେ ବି ଭାରି ଡର l ମୁଁ ଆଉ ସେଠି ଠିଆ ନ ହେଇ ମୋ ବାଟରେ ଚାଲିଲି l ହେଲେ ଘଟଣା ଟା ଜାଣିବାକୁ ଇଚ୍ଛା ଥାଏ l ତା’ପର ଦିନ ସେଇଠି ଅଟକିଲି l ସେଇ ପିଲାଟା ବାହାରେ ବୁଲୁଥାଏ l ମୁଁ ତାକୁ ହାତ ଠାରି ଡାକିଲି l ସେ ଆସିଲାରୁ ମୁଁ ପଚାରିଲି କାଲି କ’ଣ ହେଇଥିଲା କି ଏଠି ? କ’ଣ ପୋଲିସ୍ ଆସିଥିଲା ? ସେ କହିଲା ଦିଦି,ମୋ ନାଁ ରେ ଜଣେ ବଡଲୋକିଆ ବାବୁ ମିଛରେ ଚୋରି କେସ୍ ଦେଇ ଦେଇଥିଲେ l” ତୁ ତ ଏଡିକି ବକଟେ ପିଲା l ତୁ ପୁଣି କାହାର କ’ଣ ଚୋରି କଲୁ ଯେ ତୋ ନାଁ ରେ ଚୋରି କେସ୍ ?
” ମୁଁ କିଛି ଚୋରି କରିନି ଦିଦି l ସେଥିପାଇଁ ତ କହିିଲି ଏଇଟା ମିଛ ଚୋରି କେସ୍ l ” ପିଲାଟା ର ନିରୀହ ମୁହଁ କହି ଦେଉଥିଲା ଯେ ସେ ନିର୍ଦ୍ଦୋଷ l ତଥାପି ମୁଁ ପଚାରିଲି ତୁ ଯଦି ଚୋରି କରିନୁ ସେ ତୋ ନାଁ କାହିଁ କହିଲେ l ଆଉ ଏତେ ପିଲା ଅଛନ୍ତି l ଆଉ କାହା ନାଁ ତ କହିଲେନି l ମୁଁ ଟିକେ ମୁରବୀପଣିଆ ଦେଖେଇବା ଆରମ୍ଭ କରିଦେଲି l
ମୁଁ ଆଉ କିଛି କହିବା ଆଗରୁ ସେ ମୋ ହାତ ଧରି ତାଙ୍କ ଘର ଆଡକୁ ଟାଣିନେଲା l ” ଆରେ ରହ ମୋ ହାତ ଧରି କୁଆଡେ ଟାଣି ଟାଣି ନଉଚୁ l ସରକାର ଙ୍କ କଥା ତୁ କିଛି ମାନୁନୁ ବୋଧେ l ସାମାଜିକ ଦୂରତା ରଖେ ଟିକେ l ମାନେ ମୋ ଠାରୁ ଦୂରେଇ କି ରହ l ତୁ ଛୋଟ ପିଲାଟା l ଯଦି ମତେ କରୋନା ହେଇଥିବ ତାହାଲେ ତତେ ହେବ l ” ମୁଁ ସିନା ବକରବକର ହେଉଥିଲି l ସେ ମୋ କଥା ସବୁ ଏ କାନରେ ପୁରେଇ ସେ କାନରେ ବାହାର କରି ଦେଉଥିଲା l ତାଙ୍କ ଘର ଭିତରେ ପହଞ୍ଚିଲା ପରେ ମୋ ହାତ ଛାଡିଦେଇ ଚୁପ୍ ହେଇ ଠିଆହେଲା l ବିଛଣାରେ ଶୋଇଥା’ନ୍ତି ଜଣେ ରୋଗାକ୍ରାନ୍ତ ମହିଳା l ତାଙ୍କର ଶୁନ୍ୟ ମଥା ଓ ହାତ କହି ଦେଉଥିଲା ଯେ ସେ ତାଙ୍କ ସ୍ୱାମୀଙ୍କୁ ହରେଇ ସାରିଛନ୍ତି l
ତାଙ୍କ ପାଖରେ ଏପଟସେପଟ ହେଉଥାଏ ଗୋଟେ ଦେଢ କି ଦି ବର୍ଷର ଛୁଆ l ହାଡ ଦି’ ଖଣ୍ଡ ଛାଡିଲେ ତା’ ଦେହରେ ଆଉ କିଛି ନ ଥାଏ l ମୁଁ କିଛି ପଚାରିବା ଆଗରୁ ସେ କହିଲା ଦିଦି ଇଏ ମୋ ମା’ l ଏବେ ରୋଗରେ ପଡିଛି l ଆଉ ଇଏ ମୋ ଛୋଟ ଭାଇ l ମୋ ବାପାଙ୍କୁ ମୁଁ କେବେ ଦେଖିନି l ମୁଁ ଜନ୍ମ ହେବା ଆଗରୁ ସେ କାମ କରିବାକୁ ସହର କୁ ଯାଇଛନ୍ତି l ସେ ଜଲଦି ଆସିବେ ବୋଲି ମା’ କହେ l ହେଲେ ସେ ଆସନ୍ତିନି l ତା’ର ଏଇ କଥା ପଦକ ଶୁଣି ମୁଁ ଆହୁରି ମର୍ମାହତ ହେଲି l ତାକୁ ଏବେ କିଏ ବୁଝେଇବ ଯେ ତା ବାପା କେବେ ବି ଆସିବେନି l ସେ ଅଫେରା ରାଇଜରୁ ଆଉ କ’ଣ କେହି ଫେରି ଆସିପାରେ ?
ମୁଁ କହିଲି ହଉ ତୁ ଏବେ କହ ସେ ମିଛ ଚୋରୀ..ଏତିକି କହିଛି ସେ ତା ପାଟିରେ ଆଙ୍ଗୁଠି ଟା ରଖିଦେଇ ମତେ ଚୁପ୍ ହେବା ପାଇଁ ଇସାରା ଦେଲା l ମୁଁ ବି ଚୁପ୍ ହେଇଗଲି l ବାହାରକୁ ପଳେଇ ଆସିଲୁ ଆମେ l ସେ ଆରମ୍ଭ କଲା l ଦିଦି,ଏଇ କେତେ ଦିନ ହେଲାଣି ଯେବେଠୁ ତମେ ଯୋଉ ରୋଗ କଥା କହୁଥିଲ ସେଇଟା ହେଲାଣି ସେବେ ଠାରୁ ଆମ ଘରେ ଦି’ ଓଳି ଚୁଲୀ ଜଳିବା ବନ୍ଦ ହେଇ ଯାଇଛି l ମା’ କୋଉଠି କାମକୁ ଯାଇ ପାରୁନି l ଆମର ସ୍କୁଲ୍ ବନ୍ଦ l ତେଣୁ ମତେ ବି ଘରେ ଖାଇବାକୁ ପଡୁଛି l ମା’ କୁ ଆଉ କେହି କାମ ପାଇଁ ଡାକୁ ନାହାଁନ୍ତି l ମା’ ଯୋଉଠୁ ଯାହା ଯୋଗାଡ କରେ ଆମକୁ ହିଁ ଖୁଆଏ l ନିଜେ ମିଛରେ ପଛେ ଖାଇବ ବୋଲି କହି ପାଣି ପିଇଦେଇ ରହିଯାଏ l ପେଟର ଭୋକକୁ କେତେ ପେଟରେ ମାରିବ l ସେ ବି ବିଛଣାରେ ପଡିଗଲା ଏଇ ଆଠଦିନ ହେବ l
ଆର ସାଇରେ ଜଣେ ବହୁତ୍ ବଡଲୋକ ଅଛନ୍ତି l ତାଙ୍କର ବହୁତ୍ ବଡ ଘର l ବେଶୀ ପଇସା l ସେ ସବୁଦିନ ସକାଳେ ଦୁଇ ତିନି ପଟ ରୁଟି କାଉ କୁ ଖାଇବାକୁ ଦିଅନ୍ତି l ମୁଁ ସେଇଟା ଉଠେଇ ଆଣେ l ତାକୁ ପାଣିରେ ଚକୁଟି ମୋ ସାନଭାଇକୁ ଖୁଆଏ l ମା’ କୁ ବି ଦିଏ l ଆଉ ମୁଁ ବି ଟିକେ ଖାଏ l କାଲି ମୁଁ ରୁଟି ଉଠେଇକି ଆଣିଲା ବେଳେ ସେ ଦେଖିଦେଲେ l ମତେ ଦୁଇ ତିନି ଚାପୁଡା ଲଗେଇଲେ l କହିଲେ ମୋର ଏବେ ଶନିଦଶା ଚାଲିଛି l ରୋଜଗାର ପତ୍ର ସବୁ ବନ୍ଦ l ଶନିଦଶା କଟେଇବା ପାଇଁ ମୁଁ କଳାକୁକୁର ଆଉ କାଉଙ୍କୁ ଖାଇବାକୁ ଦେଉଛି l ତୁ ସେଇଟା ଉଠେଇକି ନେଇ ଯାଉଛୁ ଚୋରି କରି l ମାଡ ଖାଇ ମୁଁ ଚୁପ୍ ଚାପ୍ ସେଇଠୁ ପଳେଇ ଆସିଲି l ଠାକୁରଙ୍କ ଦୟାରୁ ଆସିଲା ବେଳେ ବାଟରୁ ପାଞ୍ଚ ଟଙ୍କିଆ କଏନ୍ ଟେ ପାଇଲି l ସେଥିରେ ଗୋଟେ ବିସ୍କୁଟ୍ ପ୍ୟାକେଟ୍ କିଣି ସାନ ଭାଇକି ଖୁଏଇଲି l
“ଆଉ ତୁ କ’ଣ ଖାଇଲୁ” ? -ମୁଁ ପଚାରିଲି l ନା ଦିଦି ମୁଁ ଖାଇ ନଥିଲି l ମା’ ପଚାରିଲାରୁ ମୁଁ କହିଲି ମୁଁ ପରେ ଖାଇବି,ଯେମିତି ମା’ କୁହେ l ଠିକ୍ ସେତିକି ବେଳେ ପୋଲିସ୍ ବାବୁ ଆସି ପହଞ୍ଚିଲେ l ସେ ବଡଲୋକିଆ ବାବୁ ଜଣଙ୍କ ପରା ଥାନାରେ ମୋ ନାଁ ରେ ଅଭିଯୋଗ କରିଥିଲେ l ସେଇଥି ପାଇଁ ପୋଲିସ୍ ବାବୁ ଆସିଥିଲେ l ମୁଁ ସବୁ ସତ କହିଲି l ସେ କହିଲେ ହଉ ଆଉ କେବେ ସେମିତି କରିବୁନି l କାହାର ଜିନିଷ ନ କହି ନେଇ ଆସିବା ହେଲା ଚୋରି l ଏମିତି ବୁଝେଇକି ସେ ଚାଲିଗଲେ l
ମୁଁ କହିଲି ହଉ ମୁଁ ଯାଉଛି l ମନେମନେ ଭାବିଲି ସେ କରୋନା ଫରୋନା ଯାହା ହେଉ l ମୁଁ ତ ବହୁତ୍ ହୁସିୟାରି ରେ ରହୁଛି l ପିଲାଟା ପାଇଁ କ’ଣ ଟିକେଟିକେ ଖାଇବାକୁ ଆଣିଦେବି ଏଥର l ହଠାତ୍ ରାସ୍ତା ଉପରେ ଗୋଟାଏ ଗାଡି ରହିଲା ଭଳି ଜଣା ପଡିଲା l ଧଳା ରଙ୍ଗର ଗୋଟେ କାର୍ l ଗାଡିରୁ ଓହ୍ଲେଇଲେ ସେଇ ପୋଲିସ୍ ବାବୁ ଜଣଙ୍କ ଯାହାକୁ ମୁଁ କାଲି ଦେଖିଥିଲି l ହେଲେ ପୋଲିସ୍ ଡ୍ରେସ୍ ପିନ୍ଧି ନ ଥିଲେ l ମୁଁ ଟିକେ ଡରିଗଲି l ଭାବିଲି ପୁଣି କ’ଣ ହେଲା ? ସେ ଲୋକ କ’ଣ ପୁଣି କମ୍ପ୍ଲେନ୍ ଦେଲେ ନା କ’ଣ ? ପିଲାଟା ଭୟରେ ମୋ ଆଡକୁ ଜାକି ହେଇ ଆସିଲା l ମୁଁ ସିନା ପୋଲିସ୍ କୁ ଡରେ l
ଏବେ ପିଲାଟାଏ ମୋ ପାଖରେ ଆଶ୍ରା ନେଇ ସାରିଲାଣି ଯେତେବେଳେ ମୁଁ କେମିତି ଏଠୁ ପଳେଇବି l ସାହସ କରି କହିଲି – ” ସାର୍, ୟାର କିଛି ଭୁଲ୍ ନାହିଁ l ଅଭାବରେ ପଡି ପିଲାଟା ରୁଟି ଖଣ୍ଡେ ଉଠେଇ ଆଣିଛି l ଏଇଟା କ’ଣ ଗୋଟେ ଏତେ ବଡ ଅପରାଧ ? ଯାହା ହେଇଛି ହେଇଛି l ପ୍ଲିଜ୍, ଆପଣ ତାକୁ କ୍ଷମା କରି ଦିଅନ୍ତୁ l ” ସେ ହସିଲେ l କହିଲେ ମୁଁ ଅଲଗା କାମରେ ଆସିଛି l
ତାଙ୍କ ଗାଡି ରୁ ବାହାର କଲେ ବଡ ବଡ ପ୍ୟାକେଟ୍ ସବୁ l ଚୁଡା,ଗୁଡ,ଅଟା,ଡାଲି,ଚାଉଳ,ଚିନି ଏମିତି କେତେ କଅଣ l ସବୁ ନେଇ ସେଇ ପିଲାଟା ଘରେ ରଖି ଦେଲେ l ଏସବୁ ଦେଖି ମୁଁ ଆଶ୍ଚର୍ଯ୍ୟ ହେଇଗଲି l ମୋର ପୋଲିସ୍ ମାନଙ୍କ ପ୍ରତି ଥିବା ଡର କୁଆଡେ ଉଭେଇ ଗଲା l ଉପରକୁ ଦେଖା ଯାଉଥିବା କଠୋର ଶରୀର ଭିତରେ ଯେ ଦୟା କ୍ଷମା ରେ ଭରା ଏତେ କୋମଳ ହୃଦୟ ଟେ ଥାଏ ସେଇଟା ମୁଁ ଅନୁଭବ କରୁଥିଲି l ମୋର ଅନ୍ତରାତ୍ମା ତାଙ୍କୁ ବାରମ୍ବାର ପ୍ରଣାମ କରି ଚାଲିଥିଲା l