ଆଦାନୀ ଗ୍ରୁପରେ ନିଜର ଅର୍ଥ ବିନିଯୋଗ କରିଥିବା ଏଲଆଇସିକୁ ବଡ ଝଟକା : ୫୦ ଦିନ ମଧ୍ୟରେ ଏଲଆଇସି ୫୦ହଜାର କୋଟିରୁ ଅଧିକ ଟଙ୍କାର କ୍ଷତି ସହିଛି ।
ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିପୋର୍ଟ ମାଡ଼ରେ ଏକଦା ବିଶ୍ବର ଏକ ନମ୍ବର ଧନୀ ଥିବା ଗୌତମ ଆଦାନୀ ଧରାଶାୟୀ ହୋଇପଡ଼ିଥିବା ବେଳେ, ଏହାର ପ୍ରଭାବରେ ତାଙ୍କ କମ୍ପାନିରେ ଟଙ୍କା ଲଗାଇଥିବା ଦେଶର ସର୍ବବୃହତ ଇନସ୍ୟୁରାନ୍ସ କମ୍ପାନି ଭାରତୀୟ ଜୀବନବୀମା ନିଗମ (ଏଲଆଇସି) ପ୍ରଭୂତ କ୍ଷତି ସହିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ହିଣ୍ଡେନବର୍ଗ ରିପୋର୍ଟ ବାହାରିବା ପରେ ଆଦାନୀଙ୍କର ତିନିଟି ମୁଖ୍ୟ କମ୍ପାନିର ସେୟାର କାରବାରରେ ବ୍ୟାପକ ହ୍ରାସ ଘଟିଛି। ଆକଳନ ଅନୁସାରେ, ମାତ୍ର ମାସକ ମଧ୍ୟରେ ଆଦାନୀ ଗ୍ରୁପ ଅଧିନସ୍ଥ ୧୦ଟି ତାଲିକାଭୁକ୍ତ କମ୍ପାନି ୧୨ଲକ୍ଷ କୋଟି ଟଙ୍କାର କ୍ଷତି କରିଛି।
ଏହି କ୍ରମରେ ଆଦାନୀ ଗ୍ରୁପରେ ନିଜର ଅର୍ଥ ବିନିଯୋଗ କରିଥିବା ଏଲଆଇସିକୁ ବଡ ଝଟକା ଲାଗିଛି । ଆଦାନୀଗ୍ରୁପର ସେୟାର ମୂଲ୍ୟ ହ୍ରାସ ପାଉଥିବା ବେଳେ ଗତ ୫୦ ଦିନ ମଧ୍ୟରେ ଏଲଆଇସି ୫୦ହଜାର କୋଟିରୁ ଅଧିକ ଟଙ୍କାର କ୍ଷତି ସହିଛି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଗୌତମ ଆଦାନୀଙ୍କ କମ୍ପାନିରେ ଏଲଆଇସି ସର୍ବାଧିକ ବିନିଯୋଗ କରିଥିଲା । ୨୦୨୨ ଡିସେମ୍ବର ୩୧ ସୁଦ୍ଧା ଏଲଆଇସି ଆଦାନୀ ଗ୍ରୁପରେ ୮୨,୯୭୦ କୋଟି ଟଙ୍କା ନିବେଶ କରିଥିଲା । ୫୦ ଦିନ ପରେ ଅର୍ଥାତ ୨୦୨୩ ଫେବୃଆରୀ ୨୩ ସୁଦ୍ଧା ମୂଳ ନିବେଶର କ୍ଷତିଘଟି ଏହା ୩୩,୨୪୨ କୋଟି ଟଙ୍କାରେ ପହଞ୍ଚିଛି । ଏହି ହିସାବ ଦେଖିଲେ ଏଲଆଇସିକୁ ଗତ ୫୦ ଦିନ ମଧ୍ୟରେ ୪୯,୭୨୮ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି । ଏହାସହ ଆଗାମୀ ଦିନରେ ଏହି କ୍ଷତିର ପରିମାଣ ଆହୁରି ବଢିପାରେ ବୋଲି ବଜାର ବିଶେଷଜ୍ଞ ଅନୁମାନ କରୁଛନ୍ତି।
ଏଲଆଇସି ଆଦାନୀ ଏଣ୍ଟରପ୍ରାଇଜେସ, ଆଦାନୀ ଗ୍ରୀନ ଏନର୍ଜୀ, ଆଦାନୀ ପୋର୍ଟସ୍, ଆଦାନୀ ଟୋଟାଲ ଗ୍ୟାସ, ଆଦାନୀ ଟ୍ରାନ୍ସମିଶନ, ଅମ୍ବୁଜା ସିମେଣ୍ଟ ଓ ଏସିସି ସିମେଣ୍ଟ ଭଳି କମ୍ପାନିରେ ନିବେଶ କରିଛି । ଏହି ଘଟଣା ପରେ ଏଲଆଇସିର ବିଭିନ୍ନ ପଲିସି ମାଧ୍ୟମରେ ଅର୍ଥ ନିବେଶ କରିଥିବା ପଲିସିଧାରୀମାନେ ଚିନ୍ତିତ ହୋଇଉଠିଛନ୍ତି।
