ଡାକ୍ତର ଦିଲ୍ଲୀପ କୁମାର ମହାରଣା : ସାଧାରଣରେ କୁଷ୍ଠ ରୋଗ ଆଉ ଅଛୁଅାଁ ହୋଇ ରହିନାହିଁ । ସାଧାରଣତଃ ଏହା କୁଷ୍ଠ ମାଇକୋବ୍ୟାକ୍ଟେରିଅମ ଲେପ୍ରି ଓ ମାଇକୋବ୍ୟାକ୍ଟେରିଅମ୍ ଲେପ୍ରୋମାଟୋସିସ୍ ନାମକ ଦୁଇ ପ୍ରକାର ବ୍ୟାକ୍ଟେରିଆ ଦ୍ୱାରା ହୋଇଥାଏ । ଅଧିକାଂଶ କ୍ଷେତ୍ରରେ ଆମ ଶରୀର ଏହି କୁଷ୍ଠ ରୋଗ ଜୀବାଣୁକୁ ନଷ୍ଟ କରିଦେଇଥାନ୍ତି । ଏଣୁ ବହୁତ କମ୍ ଲୋକ ଏହି ରୋଗରେ ପଡ଼ିଥାନ୍ତି । ଏହି ରୋଗ ତିନି ପ୍ରକାରର ଦେଖାଯାଇଥାନ୍ତି । ସେଥିଭିତରୁ ଗୋଟିଏ ହେଉଛି ସ୍ନାୟୁ କୁଷ୍ଠ ରୋଗ । ଯାହାକି ପ୍ରଭାବିତ ଅଙ୍ଗଗୁଡ଼ିକର ସମ୍ବେଦନଶୀଳତାକୁ ନଷ୍ଟ କରିଦିଏ । ପ୍ରଭାବିତ ଅଞ୍ଚଳକୁ କାଟିଲେ କିମ୍ବା ଚିମୁଟିଲେ ମଧ୍ୟ ରୋଗୀ କିଛି ଜାଣି ପାରନ୍ତି ନାହିଁ ଅର୍ଥାତ୍ ରୋଗୀ ପ୍ରଭାବିତ ସ୍ଥାନରେ ଯନ୍ତ୍ରଣା ଅନୁଭବ କରନ୍ତି ନାହିଁ । ସେହିପରି ଆଉ ଗୋଟିଏ ହେଉଛି ଗ୍ରନ୍ଥି କୁଷ୍ଠ ରୋଗ, ଏହା ମଣିଷ ଶରୀରରେ ବିଭିନ୍ନ ରଙ୍ଗର ଦାଗ ସହିତ କେତେକ କ୍ଷେତ୍ରରେ ଘା’ମଧ୍ୟ ସୃଷ୍ଟି କରିଥାଏ । ତେବେ ମିଶ୍ରିତ କୁଷ୍ଠ ରୋଗ ହେଉଛି ଏହା ପ୍ରଭାବିତ ସ୍ଥାନରେ ସମ୍ବେଦନଶୀଳତା ନଷ୍ଟ କରିବା ସହ ଦାଗ ମଧ୍ୟ ହୋଇଥାଏ ।
କୁଷ୍ଠ ରୋଗର ସଂକ୍ରମଣର କାରଣ ଏଯାତ୍ ଜଣାପଡ଼ିନାହିଁ କିନ୍ତୁ ଏହା ଜୀବାଣୁ ଦ୍ୱାରା ହୋଇଥାଏ । ଯେତେବେଳେ କୁଷ୍ଠ ରୋଗର ଜୀବାଣୁ ଶରୀରରେ ପ୍ରବେଶ କରେ ଏହା ମରିଯାଏ । କିନ୍ତୁ ଯେଉଁମାନଙ୍କ ଠାରେ ରୋଗପ୍ରତିରୋଧକ ଶକ୍ତି କମ୍ ଥାଏ ସେମାନଙ୍କ କ୍ଷେତ୍ରରେ ଏହା ଦେଖାଯାଇନଥାଏ । ସେମାନେ ଏହି ରୋଗରେ ଆକ୍ରାନ୍ତ ହେବାର ବଡ଼ ସମ୍ଭାବନା ଥାଏ । ଏହାଛଡ଼ା ପର୍ଯ୍ୟାପ୍ତ ପରିମାଣର ପୌଷ୍ଟିକ ଆହାର ନମିଳିବା ଏବଂ ଦୀର୍ଘ ସମୟ ଧରି ଦୂଷିତ ଖାଦ୍ୟ ଖାଇବା ଦ୍ୱାରା କୁଷ୍ଠରୋଗ ହେବାର ଆଶଙ୍କା ଥାଏ । କୁଷ୍ଠ ରୋଗର ଲକ୍ଷଣ ହେଉଛି ଏହି ରୋଗ ପ୍ରାରମ୍ଭରେ ଆଦୌ ଲକ୍ଷଣଯୁକ୍ତ ହୁଏ ନାହିଁ । ସ୍ନାୟୁ, ଚର୍ମ, ଶ୍ୱାସନଳୀ, ଚକ୍ଷୁ ଇତ୍ୟାଦିରେ ଏହି ରୋଗ ଗ୍ରାନୁଲୋମା ଆକାରରେ ଦେଖାଯାଏ । ରୋଗ ପ୍ରଭାବିତ ସ୍ଥାନରେ କୌଣସି ଯନ୍ତ୍ରଣା ହୁଏନାହିଁ, ଏଣୁ ଉଦ୍ଧ୍ୱର୍ ଓ ନିମ୍ନ ଅବୟବର ପ୍ରାନ୍ତ ଭାଗ (ପାଦ ଓ ହାତର ଆଙ୍ଗୁଳିମାନ) ପୁନଃ ପୁନଃ କ୍ଷତପ୍ରାପ୍ତ ହୋଇ କ୍ଷୟ ହୋଇଯାଏ । ପ୍ରଭାବିତ ସ୍ଥାନରୁ ପାଣି ବାହାରିବା । ଘା’ ହୋଇଥିଲେ ତାହା ଭଲ ନ ହେବା ଏବଂ ଲଗାତାର ଭାବେ ରକ୍ତସ୍ରାବ ହେବା । ଧୀରେ ଧୀରେ ପ୍ରଭାବିତ ଅଂଶ ନଷ୍ଟ ହୋଇଯିବା ଏହି ରୋଗର ଲକ୍ଷଣ ।
ଏହାର ଚିକିତ୍ସା ହେଉଛି ସମସ୍ତ କୁଷ୍ଠରୋଗୀଙ୍କୁ ଚିହ୍ନଟ କରି ଚିକିତ୍ସା କରାଯାଇପାରିଲେ ଏହି ରୋଗକୁ ନିୟନ୍ତ୍ରଣ କରାଯାଇପାରିବ । ଡି.ଡି.ଏସ୍. ଦ୍ୱାରା ଏହି ରୋଗ ଭଲ ହୋଇଥାଏ । କୌଣସି ଔଷଧ ସେବନ ପୂର୍ବରୁ ଡାକ୍ତରଙ୍କୁ ପରାମର୍ଶ ନେବା ଆବଶ୍ୟକ । କୁଷ୍ଠରୋଗକୁ ନେଇ ସେପରି ଭୟଭୀତ ହେବାର କୌଣସି କାରଣ ନାହିଁ । ସରକାର ବିଭିନ୍ନ ରାଜ୍ୟର ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲା ଡାକ୍ତରଖାନା ଓ ବଡ଼ଡାକ୍ତରଖାନାରେ ଏହାର ମାଗଣା ପରାମର୍ଶ ଓ ଚିକିତ୍ସା ସେବା ପାଇଁ ସମସ୍ତ ପ୍ରକାର ସୁବିଧା ଓ ବନେ୍ଦାବସ୍ତ କରିଛନ୍ତି । ଏହାର ସୁଯୋଗ ନେବା କଥା । କୁଷ୍ଠରୋଗୀ ମାନଙ୍କୁ ନେଇ ଆମ ମାନଙ୍କ ଭିତରେ ସେପରି ଭ୍ରାନ୍ତ ଧାରଣା ରହିବା କଥା ନୁହେଁ । ଜଣେ ରୋଗୀକୁ ପ୍ରାଥମିକ ଅବସ୍ଥାରେ ଡାକ୍ତରୀ ପରାମର୍ଶ ସହ ପରୀକ୍ଷା ନିରୀକ୍ଷା ଓ ନିୟମିତ ଔଷଧପତ୍ର ସେବନ କରିବା ଉଚିତ । ଏହା ସହ ସ୍ୱାସ୍ଥ୍ୟ ପରିବେଶ ଭିତରେ ନିୟମିତ ଡ୍ରେସିଂ କରିବା ସହ ଏ ନେଇ ବିଭିନ୍ନ ସଚେତନଧର୍ମୀ କାର୍ଯ୍ୟକ୍ରମର ଆୟୋଜନ ହେବା ଉଚିତ ।
