ଡାକ୍ତର ଦିଲ୍ଲୀପ କୁମାର ମହାରଣା : ଏହା ଭିତରେ ଶୀତ ବଢ଼ିଛି । ଅଳ୍ପ ଦିନ ପାଇଁ ହେଲେ ବି ସାଧାରଣତଃ ଶୀତଋତୁ ଶେଷ ବେଳକୁ ପାଣିପାଗଜନିତ ଆକସ୍ମିକ ଶୀତ ଓ କୁହୁଡ଼ିର ଥଣ୍ଡା ଅନେକଙ୍କ ଶାରୀରିକ ସମସ୍ୟା ସୃଷ୍ଟି କରିଥାଏ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଜଳ ଅନିବାର୍ଯ୍ୟ । ସୁସ୍ଥ ଶରୀର ପାଇଁ ଦିନକୁ ୩-୪ ଲିଟର ପାଣି ଆବଶ୍ୟକ । ଏହା ସାଙ୍ଗକୁ ସକାଳୁ ଏକ ଲିଟର ଉଷୁମ ପାଣି ଶରୀରର ଯାବତୀୟ ସମସ୍ୟାକୁ ଦୂର କରି ଏକଦମ୍ ଫିଟ ରଖିବାରେ ସହାୟକ ହୋଇଥାଏ । ଏଥିପାଇଁ କୌଣସି ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି କି ପରିଶ୍ରମ କରିବାକୁ ପଡ଼ିବନି । କେବଳ ଦୁଇ ମିନିଟ ପାଣି ଉଷୁମ କରି ଏହାକୁ ପିଇବେ ଆଉ ସୁସ୍ଥ ରହିବେ । ଉଷୁମ ପାଣିରେ କି କି ସମସ୍ୟା ଦୂର ହୋଇପାରିବ ଏବେ ଜାଣିବା…
ପାଚନ କି୍ରୟା ସୁଦୃଢ଼ : ଯଦି ଖାଦ୍ୟ ହଜମ ହେଉନଥାଏ, ବଦହଜମି ହେଉଥିଲେ, ତାହାଲେ ଜାଣିବେ ଯେ ପାଚନ କ୍ରିୟା ସୂଚାରୁ ରୂପେ କାର୍ଯ୍ୟକାରୀ ହେଉନାହିଁ । ଏଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ, ପିଅନ୍ତୁ ଉଷୁମ ପାଣି । ଏହି ସମସ୍ୟାକୁ ସହଜରେ ଦୂର ହେବ । ପ୍ରତିଦିନ ସକାଳୁ ଉଷୁମ ପାଣି ପିଇଲେ ଏହା ପାଚନ କ୍ରିୟାର ଗ୍ରନ୍ଥିକୁ ସୂଚାରୁ ରୂପେ କାର୍ଯ୍ୟକାରୀ କରିଥାଏ । ଏହା ଖାଦ୍ୟକୁ ନମନୀୟ କରିଦିଏ । ଫଳରେ ପାଚନ କ୍ରିୟା ଉପରେ ଅଧିକ ଚାପ ପଡ଼େ ନାହିଁ । ପାଚନ ପଦ୍ଧତିର କମ୍ ଶକ୍ତି ପ୍ରୟୋଗରେ ଖାଦ୍ୟ ଶୀଘ୍ର ହଜମ ହୋଇଥାଏ । ଏହାଦ୍ୱାରା ଛାତି ଜଳାପଡ଼ା ମଧ୍ୟ ଦୂର ହୋଇଯାଏ ।
ଉତ୍ତମ ଶ୍ୱାସକ୍ରିୟା : ଶ୍ୱାସକ୍ରିୟା ନଳୀକୁ ସଫା ରଖିବାରେ ଉଷୁମ ପାଣି ସହାୟକ ହୋଇଥାଏ । ଥଣ୍ଡାରୁ କଫ ଜମି ଶ୍ୱାସକ୍ରିୟାରେ ଅସୁବିଧା ହେଲେ ଉଷୁମ ପାଣି ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଯାଏ । ଉଷୁମ ପାଣି ବଦଳରେ ମଧ୍ୟ କଡ଼ା କରି ପିଇପାରିବେ । ଥଣ୍ଡା ହୋଇଥିବା ସମୟରେ ଉଷୁମ ପାଣିରେ ଲୁଣ ମିଶାଇ ଗାର୍ଗିଲିଂ କଲେ ମଧ୍ୟ ଗଳା ସଂକ୍ରମଣରୁ ରକ୍ଷା ମିଳିଥାଏ । ସକାଳୁ ଓ ସନ୍ଧ୍ୟାରେ ଗାର୍ଗିଲିଂ କରନ୍ତୁ । ରାତିରେ ମଧ୍ୟ ଶୋଇବା ପୂର୍ବରୁ ଏପରି କରିପାରିବେ । ଏହାଦ୍ୱାରା ଆରମ ଲାଗିବ ଓ ଶୋଇବା ସମୟରେ ଶ୍ୱାସକ୍ରିୟାରେ ଅସୁବିଧା ହେବନାହିଁ ।
ଓଜନ ହ୍ରାସ : ଯେଉଁମାନେ ଓଜନ ହ୍ରାସ ପାଇଁ ଡ଼ାଏଟିଂ ଅବା ଏକ୍ସରସାଇଜ କରୁଛନ୍ତି, ହେଲେ ସଫଳ ହେଉନାହାଁନ୍ତି । ସେମାନେ ଉଷୁମ ପାଣିକୁ ଡ଼ାଏଟିଂରେ ସାମିଲ କରିପାରିବେ । ଉଷୁମ ପାଣି ପିଇବା ଦ୍ୱାରା ଶରୀରର ତାପମାତ୍ରା ବୃଦ୍ଧି ପାଏ । ଏହା ମେଟାବୋଲିକ୍ ସ୍ତରକୁ ବଢ଼ାଏ । ମେଟାବୋଲିକ୍ ସ୍ତର ବଢ଼ିବା ଦ୍ୱାରା ଶରୀରରୁ ଅଧିକ କ୍ୟାଲୋରୀ ହ୍ରାସ ପାଏ । ସକାଳୁ ଉଷୁମ ପାଣିରେ ଲେମ୍ବୁରସ ମିଶାଇ ପିଇବା ଦ୍ୱାରା ଚର୍ବି ହ୍ରାସ ହୋଇଯାଏ । ଏକ୍ସରସାଇଜ ଓ ଯୋଗ କରିବା ଦ୍ୱାରା ଓଜନ ହ୍ରାସ ହୋଇଥାଏ ସତ ହେଲେ ଏହାସହିତ ଉଷୁମ ପାଣି ପିଇବା ଦ୍ୱାରା ଚର୍ବି ଶୀଘ୍ର ହ୍ରାସ ହୋଇ ଓଜନ କମିଯାଏ ।
କୋଷ୍ଠକାଠିନ୍ୟ ଦୂର : ସକାଳୁ ଖାଲି ପେଟରେ ପ୍ରତିଦିନ ଗରମ ପାଣି ପିଇଲେ ଅନ୍ତତନ୍ତ୍ର କାର୍ଯ୍ୟକାରୀ ହୋଇଥାଏ ଫଳରେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଯିବ । ଅଳ୍ପ ପାଣି ପିଇବା ଯୋଗୁଁ କୋଷ୍ଠକାଠିନ୍ୟ ପରି ସମସ୍ୟା ଦେଖାଯାଏ । ଗରମ ପାଣି ପିଇବା ଦ୍ୱାରା ପେଟରେ ଥିବା ମଇଳା ନମନୀୟ ହୋଇ ବାହାରିଯାଏ । ଉଷୁମ ପାଣି ପିଇବା ଦ୍ୱାରା ମଧ୍ୟ ହଜମ କ୍ରିୟା ସୂଚାରୁ ରୂପେ ହୋଇଥାଏ । ଉଷୁମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ପିଇଲେ ବହୁତ ଭଲ ।
ନାକ ଖୋଲିଯାଏ : ଥଣ୍ଡା ହୋଇଥିଲେ ନାକ ବନ୍ଦ ହୋଇଯାଏ । ପ୍ରଶ୍ୱାସ ଠିକ୍ ଭାବରେ ନେଇ ହୁଏ ନାହିଁକି ନିଶ୍ୱାସ ଠିକ୍ ଭାବରେ ଛାଡ଼ି ହୁଏନାହିଁ । ଥଣ୍ଡାରୁ ନାକରେ ପାଣି ଜମାଟ ବାନେ୍ଧ । ଏପରି ସ୍ଥଳେ ଉଷୁମ ପାଣି ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଯାଏ । ଉଷୁମ ପାଣି ପିଇବା ଦ୍ୱାରା ନାକରେ ଜମାଟ ବାନ୍ଧିଥିବା ସିଙ୍ଗାଣି ଖୋଲିଯାଏ । ମଇଳା ମଧ୍ୟ ବାହାରି ଯାଏ । ଏହାଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ଠିକ୍ ଭାବରେ ଚାଲିଥାଏ ।
ବିଷାକ୍ତ ଦ୍ରବ୍ୟ ଦୂର : ଉଷୁମ ପାଣି ପିଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ଦ୍ରବ୍ୟ ପରିସ୍ରା ଦେଇ ବାହାରିଯାଏ । ଉଷୁମ ପାଣି ପିଇଲେ ଶରୀରର ତାପମାତ୍ରା ବୃଦ୍ଧି ପାଏ । ଏହାଦ୍ୱାରା ଶରୀରରୁ ଝାଳ ବାହାରେ । ବିଷାକ୍ତ ଦ୍ରବ୍ୟ ଶରୀରରୁ ଝାଳ ଆକାରରେ ମଧ୍ୟ ବାହାରିଯାଏ । ପ୍ରତିଦିନ ଉଷୁମ ପାଣି ପିଇବା ଦ୍ୱାରା ଶୁଷ୍କ ତ୍ୱଚା କୋମଳ ହୋଇଥାଏ । ଉଷୁମ ପାଣିରେ ରକ୍ତ ସଞ୍ଚାଳନ ବୃଦ୍ଧି ହେତୁ ତ୍ୱଚାରେ ଚମକ୍ ଆସେ । ବିଶେଷ କରି ତ୍ୱଚାରୁ ମୃତ କୋଷକୁ ଦୂର କରି ନୂତନ କୋଷ ତିଆରି କରେ । ଯାହା ତ୍ୱଚାରେ ବୟସର ଛାପକୁ ପକାଇ ଦିଏନାହିଁ ।