ଯୁଧିଷ୍ଠିର ମହାରଣା : ବିଶ୍ୱର ଅନ୍ୟତମ ସର୍ବବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ରର ମର୍ଯ୍ୟାଦା ପାଇଛି ଭାରତ । ପୂଜ୍ୟ ବାପୁଜୀଙ୍କ ନେତୃତ୍ୱରେ ଗୋରା ଫଉଜ ଏହି ଦେଶରୁ ବିତାଡ଼ିତ ହେବାପରେ ଅନେକ ଦେଶପ୍ରେମୀଙ୍କର ଅପୂର୍ବ ବଳୀଦାନର ଫଳ ଆଜି ଭାରତ ପାଇଛି । ବିଶ୍ୱର ଅନ୍ୟତମ ଅଭିବୃଦ୍ଧି, ପ୍ରଗତିଶୀଳ ରାଷ୍ଟ୍ର ଭାବେ ଭାରତର ସ୍ଥାନ ଅନନ୍ୟ ଓ ସ୍ୱତନ୍ତ୍ର । ତେବେ ଭାରତରେ କୃଷକ ଆନେ୍ଦାଳନ ଏକ ପ୍ରକାର କେନ୍ଦ୍ର ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିବାବେଳେ ଆଗତ ନିର୍ବାଚନରେ ନିଜ ଦଳର ରାଜନୈତିକ ପାଣିପାଗକୁ ଲକ୍ଷ୍ୟ ରଖି କିଛିଦିନ ତଳେ ତୃଣମୂଳ କଂଗ୍ରେସର ପ୍ରତିଷ୍ଠାତା ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏପରି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ତାହା କେବଳ ଗଣମାଧ୍ୟମ ପାଇଁ ନୁହେଁ ସମଗ୍ର ଭାରତ ବର୍ଷର ବୁଦ୍ଧିଜୀବୀ ନାଗରିକଙ୍କ ପାଇଁ ଅନେକ ଚିନ୍ତା ଓ ଆଲୋଚନାର ପ୍ରସଙ୍ଗ ସୃଷ୍ଟି କରିଛି । ମମତା ବାନାର୍ଜୀ ଅନେକ ବିବାଦୀୟ ଓ ଚର୍ଚ୍ଚିତ ପ୍ରସଙ୍ଗକୁ ଗରମ କରି ନିଜ ରାଜନୀତିର ଗୋଟି ଚାଳନା ପାଇଁ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇ ଚର୍ଚ୍ଚା ଭିତରକୁ ଆସିଛନ୍ତି । କିନ୍ତୁ ତାଙ୍କର ଅଖଣ୍ଡ ଭାରତ ବର୍ଷରେ ଚାରିଦିଗରେ ଚାରୋଟି ରାଜଧାନୀ ପ୍ରତିଷ୍ଠା ଓ ସେଥିମଧ୍ୟରୁ ଗୋଟିଏ କୋଲକାତାରେ ପ୍ରତିଷ୍ଠା ହେବା ମନ୍ତବ୍ୟ ସ୍ୱଭାବିକ ଭାବେ ବିତର୍କର ଦାନା ବାନ୍ଧିଛି । ତାଙ୍କର ପ୍ରସ୍ତାବନା ଓ ଦାବିକୁ କେତେ ଜଣ ଗ୍ରହଣ କରିବେ ଏବଂ ଏହାର ଯଥାର୍ଥତା ଓ ବାସ୍ତବତା କେତେ, ତାହା ବଡ଼ କଥା ନୁହେଁ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜଣେ ମୁଖ୍ୟମନ୍ତ୍ରୀ ଭାବେ ସେ ଏଭଳି ଦାବି ଉଠାଇ ସଂଘୀୟ ବ୍ୟବସ୍ଥାରେ ଏକ ନୂଆ ବିଚାର ପ୍ରବେଶ କରିବାକୁ ଚାହୁଁଛନ୍ତି, ଯାହା ପଶ୍ଚିମବଙ୍ଗର ପ୍ରାକ୍ ନିର୍ବାଚନ ରାଜନୀତିକୁ ଉତ୍ତପ୍ତ କରିବାକୁ ଏକ ଭ୍ରମଜାଲ ସୃଷ୍ଟି କରିଛି ।
ଭାରତରେ ଏକାଧିକ ରାଜଧାନୀ ସୃଷ୍ଟି ହେବାପୂର୍ବରୁ ଅନେକ ନେତା ମଧ୍ୟ ଦାବି କରି ମନ୍ତବ୍ୟ ଦେଇଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ତ ତିନିଟି ରାଜଧାନୀର ପରିକଳ୍ପନା କରି ତାହାକୁ କାର୍ଯ୍ୟକାରୀ କରିବାକୁ ଆରମ୍ଭ କରିଛନ୍ତି । ଠାଏ ବିଧାନସଭା, ଠାଏ ସଚିବାଳୟ ଓ ଅନ୍ୟଗୋଟେ ସ୍ଥାନରେ ହାଇକୋର୍ଟ । ଏହି ତିନି ଅଲଗା ସ୍ଥାନକୁ ରାଜଧାନୀ ମାନ୍ୟତା ପ୍ରଦାନ କରାଯିବ । ଜାମ୍ମୁ-କାଶ୍ମୀରରେ ମଧ୍ୟ ପ୍ରତିକୂଳ ପାଣିପାଗ ଦୃଷ୍ଟିରୁ ଦୁଇଟି ରାଜଧାନୀ ଜାମ୍ମୁ ଓ ଶ୍ରୀନଗରରେ ଯଥାକ୍ରମେ ଶୀତ ଓ ଗ୍ରୀଷ୍ମକାଳରେ ଚାଲି ଆସୁଛି ଏବଂ ସେଥିପାଇଁ ପ୍ରତିବର୍ଷ ସଚିବାଳୟ ବଦଳି ଭଳି ବିଶାଳ ଓ ବ୍ୟୟବହୁଳ କାର୍ଯ୍ୟ ବହୁ ବର୍ଷ ଧରି ହୋଇଆସୁଛି । ମହାରାଷ୍ଟ୍ରରେ ମଧ୍ୟ ନାଗପୁର ଠାରେ ବର୍ଷର କିଛି ଦିନ ବିଧାନସଭା ବୈଠକ ବସୁଛି । କିନ୍ତୁ ଦେଶରେ ଏକାଥରକେ ଚାରିଟି ରାଜଧାନୀ କାମ କରିବ ଏହା ଏକ ବିଚିତ୍ର ବିଚାର ପରି ମନେହେଉଛି । ଆମ ସଂଘୀୟ ବ୍ୟବସ୍ଥାରେ କ୍ଷମତାର ମୁଖ୍ୟକେନ୍ଦ୍ର ରାଜଧାନୀ ଦିଲ୍ଲୀରେ । ସେଠି କାର୍ଯ୍ୟପାଳିକା, ବିଧାନପାଳିକା ଓ ନ୍ୟାୟପାଳିକାର ପୀଠ ରହିିଛି । ଶାସନ ଓ ପ୍ରଶାସନର ନାଭିକେନ୍ଦ୍ର ମଧ୍ୟ ସେହିଠାରେ । ଏହାକୁ ଭାଗ ଭାଗ କରାଯିବ କେମିତି? ଏଥିପାଇଁ ଭିତ୍ତିଭୂମି ବିକାଶ ଓ ସାମ୍ବିଧାନିକ ବ୍ୟବସ୍ଥା କରିବାକୁ ଯେଉଁ ବିପୁଳ ଅର୍ଥ ଲାଗିବ ତାହା ଅନାବଶ୍ୟକ ବୋଲି ମନେ ହୁଏ । ମୋଟାମୋଟି ଭାବେ ଏହା ଏକ ପିଲାଳିଆ କଥା । ଏଭଳି ପ୍ରସ୍ତାବନାରୁ ଉଗ୍ର ଆଞ୍ଚଳିକବାଦର ଗନ୍ଧ ବାରି ହେଉଛି । ରାଜ୍ୟର ବିକାଶକୁ ଅଗ୍ରାଧିକାର ଦେବା ମର୍ମରେ ସୁଶ୍ରୀ ବାନାର୍ଜୀ ଯେଉଁ ଅବାନ୍ତର ପ୍ରସ୍ତାବ ଦେଇଛନ୍ତି ତାହା ରାଜନୀତି ଈର୍ଷାପ୍ରଣୋଦିତ ବୋଲି ସ୍ପଷ୍ଟ ଜଣାପଡ଼ୁଛି । ତେବେ ମାନନୀୟା ମୁଖ୍ୟମନ୍ତ୍ରୀ ଏ କଥା ମଧ୍ୟ ଚିନ୍ତା କରିବା ଆବଶ୍ୟକ ଯେ ପୂର୍ବ ଓ ଉତ୍ତର-ପୂର୍ବ ଅଞ୍ଚଳର ରାଜ୍ୟମାନେ ତାଙ୍କର କଲିକତା ଠାରେ ରାଜଧାନୀ ପ୍ରସ୍ତାବକୁ ସମର୍ଥନ ନକରିପାରନ୍ତି । ହୁଏତ ଆଗାମୀ ଦିନରେ ଏହି ପ୍ରସ୍ତାବ ଭାରତରେ ବିଚ୍ଛିନ୍ନବାଦୀ ତନ୍ତ୍ରକୁ ପ୍ରୋତ୍ସାହନ ଦେଇପାରେ । ବାସ୍ତବରେ ଏହା ଦେଶହିତରେ ଏକ ତୃଣମୂଳୀୟ ଓ ଗଣତାନ୍ତ୍ରିକ ବିଚାର ନୁହେଁ ।
ଭାରତ ନିକଟରେ ସାଧାରଣତନ୍ତ୍ର ଦିବସ ପାଳନ କରିଛି । ଏହାପୂର୍ବରୁ ଅଖଣ୍ଡ ଭାରତର ଗୌରବର ଲାଲକିଲ୍ଲାରେ ଯେଉଁପରି ଅଘଟଣ ଘଟିଛି ତାହା ମଧ୍ୟ ଯେତିକି ନିନ୍ଦନୀୟ ତତୋଧିକ ଦୁଃଖଦାୟକ । କିନ୍ତୁ ପ୍ରଶାସନିକ ବ୍ୟବସ୍ଥା ଲୋକମାନଙ୍କ ପାଖରେ ପହଞ୍ଚୁ, ଶାସନର ବିକେନ୍ଦ୍ରୀକରଣ ହେଉ କିନ୍ତୁ ବ୍ୟବସ୍ଥାର ଉନ୍ନତି ପାଇଁ କୌଣସି ରାଜନୈତିକ ଉଦ୍ଭଟ୍ଟ ବୟାନବାଜି ଅଖଣ୍ଡ ଭାରତକୁ ଖଣ୍ଡ ଖଣ୍ଡ କରିବାର ଆଶଙ୍କା ମଧ୍ୟ ଅମୂଳକ ନୁହଁ । ଆମ ରାଜନେତାମାନେ ଯେତେ ପୋଖତ ଓ ସଂଯତ ଆଚରଣ ପ୍ରଦର୍ଶନ କରିବେ ତାହା ଦେଶ, ରାଜ୍ୟ ଓ ଗଣତନ୍ତ୍ର ପାଇଁ ସେତେ ମଙ୍ଗଳ । ରାଜନୀତିକୁ ଭଲ ଲୋକ, ଦକ୍ଷ ଲୋକ ଓ କାମିକା ଲୋକ ଅଧିକ ଆସନ୍ତୁ ଏବଂ ଏହି ପ୍ରତିନିଧିମୂଳକ ବ୍ୟବସ୍ଥାକୁ ପୁଷ୍କଳ କରନ୍ତୁ ଏହା ସମୟର ଆହ୍ୱାନ । ତାହା ନକରି ଆମ ନେତା ଏ ଯଦି ଉଚିତ ଆଚରଣ ଓ ଉଚ୍ଚାରଣ ପ୍ରଦର୍ଶନ ନକରିବେ ଏବଂ କ୍ଷମତା ଲୋଭରେ ଦେଖେଇ ହେବା ପ୍ରେମ ଓ ନିରର୍ଥକ ଚର୍ଚ୍ଚାରେ ରହିବାକୁ ବିଳାସୀ ହେବେ ସେଥିରେ ସେମାନଙ୍କୁ ବିଶେଷ ଲାଭ ମିଳିବ ନାହିଁ । ଆଜିର ଡିଜିଟାଲ ଇଣ୍ଡିଆ ପରିପ୍ରେକ୍ଷୀରେ ଆମ ତ୍ରିସ୍ତରୀୟ ଗଣତାନ୍ତ୍ରିକ ଶାସନର ସୁବିଧା ଏବେ ଲୋକଙ୍କ ହାତ ମୁଠାରେ ଥିବା ମୋବାଇଲ ଫୋନରେ କିମ୍ବା ସର୍ବସାଧାରଣ ସେବାକେନ୍ଦ୍ରରେ ମିଳିପାରୁଥିବା ବେଳେ ଦେଶରେ ଏକାଧିକ ରାଜଧାନୀ ନିର୍ମାଣ ଡାକରା ପ୍ରଗତିଶୀଳ ଚେତନାର ପରିପନ୍ଥୀ । ସରକାରଙ୍କ ଉତ୍ତରଦାୟିତ୍ୱ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତିଟି ଜନଗଣଙ୍କ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ ଓ ଅପରିହାର୍ଯ୍ୟ । ତେବେ କୌଣସି ରାଜନୈତିକ ମନ୍ତବ୍ୟ ବା ପ୍ରସଙ୍ଗ ଭାରତରେ ହିଂସା ବା ଅସ୍ୱୀୟା ସୃଷ୍ଟି ନକରୁ ଏହାକୁ ସମସ୍ତେ ଗ୍ରହଣ କରିବା ଉଚିତ ।
Prev Post
Next Post