ଡ଼ଃ.ଅରୁନ୍ଧତୀ ଦେବୀ : “କାଳିଆ ଘୋଡ଼ାରେ ଚଢ଼ିବି ମଧୁ ବାରିଷ୍ଟର ସାଙ୍ଗେ ଲଢ଼ିବି…….’ ଓଡ଼ିଆ ଜନ ଜୀବନରେ ଏହି ଲୋକପ୍ରିୟ ଧାଡ଼ିଟି ଉକ୍ରଳ ଗୌରବ ମଧୁସୂଦନଙ୍କ କାଳଜୟୀ କୀର୍ତ୍ତିକୁ ଏହି ଜାତିର ପ୍ରତିଟି ଓଡ଼ିଆଙ୍କ ପାଇଁ ପ୍ରେରଣାର ବାର୍ତ୍ତା ବହନ କରେ । କେବଳ ରାଜନୈତିକ ଚେତନା ନୁହେଁ ଉକ୍ରଳୀୟ ଜାତୀୟତାର ପୁରୋଧା ଉକ୍ରଳ ଗୌରବ ମଧୁସୂଦନ ଥିଲେ ଯଥାର୍ଥରେ ସମଗ୍ର ଭାରତରେ ଜଣେ ବିଶିଷ୍ଟ ଜନନାୟକ । ନିଜ ତମାମ ଜୀବନକୁ ଓଡ଼ିଆ ଜାତିର ସ୍ୱାର୍ଥ ଓ ବୃହତ୍ତର ଓଡ଼ିଶା ଗଠନ ପାଇଁ ସେ ଉତ୍ସର୍ଗ କରିଥିଲେ ।
ମଧୁ ବାବୁଙ୍କ ଜାତୀୟତାର ପ୍ରେରଣା ଚିରକାଳ ପାଇଁ ଓଡ଼ିଆ ଜାତି ପାଇଁ କ୍ଲାନ୍ତିର ବହ୍ନି ସଦୃଶ ପିଢ଼ି ପିଢ଼ିକୁ ଦିଗ୍ଦର୍ଶନ ଦେଇ ଆସୁଛି । ଜଣେ କର୍ମଯୋଗୀ ଭାବେ ମଧୁସୂଦନଙ୍କ ଜୀବନ ଓ ତାଙ୍କ ଦିବ୍ୟଦୃଷ୍ଟି ସମଗ୍ର ଓଡ଼ିଶାର ସ୍ୱତନ୍ତ୍ରତା ପ୍ରତିଷ୍ଠା ପାଇଁ କ୍ରାନ୍ତୀର ମଶାଲ ପରି ଯେଉଁ ପ୍ରେରଣାର ବହ୍ନି ପ୍ରଜ୍ଜ୍ୱଳିତ କରିଯାଇଛନ୍ତି ତାହାକୁ ଏ ଜାତି କେବେ ବି ଭୁଲି ପାରିବ ନାହିଁ । କୂଳବୃଦ୍ଧ ମଧୁସୂଦନଙ୍କ ଜାତୀୟତା ଓ ତ୍ୟାଗ ବିଷୟରେ ଜାତିର ଜନକ ସମସ୍ତଙ୍କର ପ୍ରିୟ ବାପୁଜୀ ମହାତ୍ମା ଗାନ୍ଧୀ ଉଲ୍ଲେଖ କରିଛନ୍ତି – “ଜଣେ ଦେଶଭକ୍ତ ଭାବେ ମଧୁସୂଦନ ସମସ୍ତଙ୍କ ପାଇଁ ଚିରକାଳ ସ୍ମରଣୀୟ । ସେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ ବି ହିନ୍ଦୁ ଧର୍ମ ପ୍ରତି ତାଙ୍କର ବିଶ୍ୱାସ ଅନୁରାଗ ରହିଥିଲା । ସେ ନିଜ ଜୀବନକୁ ନିଶେଷ କରିଦେଇ ଦେଶବାସୀଙ୍କୁ ଜାତୀୟତାର ସନେ୍ଦଶ ଅନୁପ୍ରାଣୀତ କରିଯାଇଛନ୍ତି’ ।
ଦେଶ ସ୍ୱାଧୀନତା ପାଇଁ ଓଡ଼ିଶା ମାଟିର ଯେଉଁ କେତେଜଣ ବୀର ବିପ୍ଳବରେ ଝାସ ଦେଇଥିଲେ, ସେମାନଙ୍କ ମଧ୍ୟରୁ ଉକ୍ରଳ ଗୌରବ ମଧୁସୂଦନ ଦାସ ଅନ୍ୟତମ । ସେ ଥିଲେ ଓଡ଼ିଶାର ପ୍ରଥମ ସ୍ନାତକ ଏବଂ ଓକିଏ । ଜଣେ କବି ଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । କୁଳବୃଦ୍ଧ ନାମରେ ସେ ସର୍ବତ୍ର ଲୋକପ୍ରିୟ । ୧୮୪୮ ଏପ୍ରିଲ ୨୮ରେ ସତ୍ୟଭାମାପୁର ଗ୍ରାମରେ ଏକ ଜମିଦାର ପରିବାରରେ ତାଙ୍କର ଜନ୍ମ । ଗାଁ ସ୍କୁଲରୁ ତାଙ୍କ ବାଲ୍ୟ ଶିକ୍ଷା ଆରମ୍ଭ ହୋଇଥିଲା । ମୌଲବୀଙ୍କ ଠାରୁ ପାର୍ସୀ ଓ ଅନ୍ୟ ବିଷୟ ଶିକ୍ଷା କରିଥିଲେ । କଟକ ଉଚ୍ଚ ବିଦ୍ୟାଳୟ ପରେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କଲିକତା ୟୁନିଭର୍ସିଟିରେ ମଧୁବାବୁ ନାମ ଲେଖାଇଥିଲେ । ଏହାପରେ ଏମ୍.ଏ.ଓ.ବି.ଏଲ୍. ଡିଗ୍ରୀ ହାସଲ କଲେ । କଲିକତାରୁ ଫେରି ଓଡ଼ିଶାରେ ତାଙ୍କର ଆଇନ ଅଭ୍ୟାସ ଆରମ୍ଭ ହେଲା । କେବଳ ଓଡ଼ିଶା କାହିଁକି, ଭାରତର ଓକିଲମାନଙ୍କ ପାଇଁ ସେ ପ୍ରେରଣାର ଉତ୍ସ ପାଲଟିଗଲେ । ସେଥିଲାଗି ତାଙ୍କ ଜୟନ୍ତୀକୁ ଓଡ଼ିଶାରେ ଓକିଲ ଦିବସ ଭାବେ ପାଳନ କରାଯାଏ ।
ଏହି ପେସାରେ ସାଧାରଣ ଲୋକଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ସେ ସର୍ବଦା କାମ କରିଛନ୍ତି । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଉକ୍ରଳ ସମ୍ମିଳନୀ ଓଡ଼ିଶାର ସାମାଜିକ ଓ ବ୍ୟବସାୟିକ ସଂସ୍କାରରେ ଜାଗରଣ ଆଣିଥିଲା । ସେ ଉଭୟ ବିଧାନ ପରିଷଦ ଓ କେନ୍ଦ୍ର ବିଧାନସଭା ସଦସ୍ୟ ରହିଥିଲେ । ସାହିତ୍ୟ ସର୍ଜନାରେ ମଧୁବାବୁଙ୍କର ବେଶ ଖ୍ୟାତି ରହିଛି । ଇଂରାଜୀ ଓ ଓଡ଼ିଆରେ ସେ ଏକାଧିକ ନିବନ୍ଧ ଓ କାବ୍ୟ କବିତା ରଚନା କରିଥିଲେ । ଉକ୍ରଳ ସନ୍ତାନ, ଜାତି ଇତିହାସ ଏବଂ ଜନତାର ଭକ୍ତି ଆଦି ତାଙ୍କର ପ୍ରମୁଖ କାବ୍ୟ କୃତି । ୧୯୩୪ ଫେବୃଆରୀ ୪ ତାରିଖ ଦିନ ମଧୁବାବୁ ଇହଲୀଳା ସମ୍ବରଣ କରିଥିଲେ । ଓଡ଼ିଶାର ରାଜନୈତିକ, ସାମାଜିକ, ସାଂସ୍କୃତିକ, ସାରସ୍ୱତ କ୍ଷେତ୍ରକୁ ଦେଖିଲେ ଆଜି ସବୁଠି ସମସ୍ତଙ୍କର ପ୍ରିୟ ସ୍ୱାଧୀନଚେତା ନିର୍ଭୀକ ସ୍ୱାଭିମାନର ସତ୍ୟନିଷ୍ଠ ପୂଜାରୀ ମଧୁବାବୁଙ୍କ ବ୍ୟକ୍ତିତ୍ୱ ସ୍ମରଣକୁ ଆସୁଛି ।
ତାଙ୍କରି ଅବର୍ତ୍ତମାନରେ ତାଙ୍କରି ସ୍ମୃତିକୁ ପାଥେୟକରି ତାଙ୍କର ସ୍ୱପ୍ନର ସ୍ୱତନ୍ତ୍ର ଓଡ଼ିଶା ପାଇଁ ନିଜ ସ୍ୱାର୍ଥକୁ ପଛରେ ପକାଇ ଏହି ଜାତିର ସ୍ୱାଭିମାନ ଆଉ ସମ୍ମାନର ଟେକ ରଖି ପାରିଲେ ତାହା ହିଁ ହେବ ଏହି ଜାତିର କର୍ଣ୍ଣଧାରା ପଟ୍ଟପୁରୋଧା ଆଉ ସ୍ୱାଭିମାନର ପ୍ରତୀକ ମଧୁବାବୁଙ୍କ ପ୍ରତି ତାଙ୍କ ମହାପ୍ରୟାଣ ତିଥି ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ।