କୁଆଖିଆ : ରସୁଲପୁର ବ୍ଲକ ଅଂଚଳର ବିଶେଷକରି ବ୍ରାହ୍ମଣୀ ନଦୀରେ ବନ୍ୟା ଯୋଗୁ ରସୁଲପୁର ବ୍ଳକର ଅନେକ ବୁଣାକାର ଓ ହସ୍ତଶିଳ୍ପୀଙ୍କ ପ୍ରଭୁତ କ୍ଷତି ହୋଇଥିଲା । ଏଭଳି ଅସମୟରେ ଚକ ଗୋପାଳପୁରର ବନ୍ୟା ବିପନ୍ନ ବୁଣାକାରଙ୍କ ସହ ସାମନ୍ତରାପୁର, ଅତଲାପୁର ଓ କୁଳଗାଁର କଂସାପିତଳ ହସ୍ତଶିଳ୍ପୀଙ୍କୁ ସହାୟତାର ହାତ ବଢାଇଛି ସର୍ବ ଭାରତୀୟ ସ୍ତରର ସ୍ୱେଚ୍ଛାସେବୀ ସଂଗଠନ ଗୁଂଜ । ଏହି ରିଲିଫ ବଂଟନ କାର୍ଯ୍ୟକ୍ରମକୁ ବୁଣାକାର ଓ ହସ୍ତଶିଳ୍ପୀଙ୍କ ବିକାଶ ପାଇଁ କାର୍ଯ୍ୟକରୁଥିବା ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ଅରୂପା ଓ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ଆଜି ମା ତାରିଣୀ ତନ୍ତୁବାୟ ସହଯୋଗ ସମିତି ଲି ପରିସରରେ ରିଲିଫ ବଂଟନ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଗୁଂଜର ଓଡିଶା ମୁଖ୍ୟ ସୁରେଶ କୁମାର, ଜିଲ୍ଲା ସଂଯୋଜକ ଶଙ୍କର୍ଷଣ ପୁହାଣ, ଅରୂପାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶୋକ କୁମାର ସାହୁ , ଓଡିଶା ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି ଓ ସଂପାଦକ ପ୍ରିୟରଂଜନ କର ଉପସ୍ଥିତ ରହି ଚକ ଗୋପାଳପୁର , ଅତଲାପୁର, କୁଳୁଗାଁ ଓ ସାମନ୍ତରାପୁରର ଦେଢଶହ ବୁଣାକାର ଓ ହସ୍ତଶିଳ୍ପୀ ପରିବାରକୁ ଗୁଂଜ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ସୂଚନା ଥାଉକି, ଗତ ୨୮ ତାରିଖରେ ଚକ ଗୋପାଳପୁର ନିକଟରେ ବ୍ରାହ୍ମଣୀ ନଦୀବନ୍ଧରେ ଘାଇ ହେତୁ ଗାଁରେ ପାଣି ପଶି ଏଠାକାର ବୁଣାକାରଙ୍କ ନାହିଁନଥିବା କ୍ଷତି ଘଟିଥିଲା ।
ଏ ସଂପର୍କରେ ଖବର ପାଇବା ପରେ ଓଡିଶା ଶିଳ୍ପୀ ମହାସଂଘର ରାଜ୍ୟ ସଭାପତି ଉଦୟ ମହାନ୍ତି , ସଂପାଦକ ପ୍ରିୟରଂଜନ କର ଓ ସଂଗଠନ ସଂପାଦିକା ସରୋଜିନୀ ଦାସ ଚକ ଗୋପାଳପୁର ପରିଦର୍ଶନରେ ଆସିଥିଲେ । ତତସହିତ ବ୍ରାହ୍ମଣୀ ନଦୀର ବନ୍ୟାଘେରରେ ଥିବା ନିକଟସ୍ଥ ଅତଲାପୁର, ବାଲିପାଟଣା ଓ ସାମନ୍ତରାପୁରର କଂସା ପିତଳ କାରିଗରଙ୍କ ଦୁର୍ଦ୍ଦଶା ବୁଲି ଦେଖିଥିଲେ ।
ଏଠାକାର ବନ୍ୟା ବିପନ୍ନ ଶିଳ୍ପୀ ଓ ବୁଣାକାରଙ୍କୁ ସହାୟତା ଯୋଗାଇ ଦେବାକୁ ଅରୂପାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଶୋକ କୁମାର ସାହୁଙ୍କ ମାଧ୍ୟମରେ ଗୁଂଜକୁ ଅନୁରୋଧ କରାଯାଇଥିଲା । ଗୁଂଜର ଓଡିଶା ମୁଖ୍ୟ ସୁରେଶ କୁମାରଙ୍କ ଉଦ୍ୟମ କ୍ରମେ ବନ୍ୟାବିପନ୍ନ କାରିଗରଙ୍କୁ ଗୁଂଜ ସହାୟତାର ହାତ ବଢାଇ ଆଜି କିଟ ପ୍ରଦାନ କରିଛି । ଏହି କାର୍ଯ୍ୟକ୍ରମରେ ଓଡିଶା ଶିଳ୍ପୀ ମହାସଂଘର କୋଷାଧ୍ୟକ୍ଷ ଅଶୋକ କୁମାର ଗୁଇଁଙ୍କ ସହ ସଦସ୍ୟ ମକର ଧ୍ୱଜ ଗୁଇଁ, ଅମୂଲ୍ୟ ସୁର, ଦୁର୍ଯ୍ୟୋଧନ ଚାନ୍ଦ, ବଟକୃଷ୍ଣ ସାହୁ, ଶ୍ରୀଧର ସାହୁ, ରଂଗାଧର ସାହ,ୁ ରେବତୀ ଗୁଇଁ ଦିଲ୍ଲିପ ଗୁଇଁ ଜୀବନ ବେହେରା ବାଇଧର ଦାସ ପ୍ରମୁଖ ସହଯୋଗ କରିଥିଲେ ।