Odisha news

ନୂଆ କୃଷି ଆଇନକୁ ବିରୋଧ କରି ଭାରତ ବନ୍ଦ : ସୁରକ୍ଷା କଡ଼ାକଡ଼ି କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ

0

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା କୃଷକ ଆନ୍ଦୋଳନ ଆଜି ୧୧ ଦିନରେ ପହଞ୍ଚିଛି। ‌ଏ ମଧ୍ୟରେ କେନ୍ଦ୍ର ସରକାରଙ୍କ ସହ ଅନେକ ଆଲୋଚନା ସତ୍ତ୍ବେ ସମାଧାନର କୌଣସି ବାଟ ବାହାରିପାରି ନଥିବାରୁ ଆନ୍ଦୋଳନରତ ୪୦ଟି କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି (ମଙ୍ଗଳବାର) ଭାରତ ବନ୍ଦ ଡାକରା ଦିଆଯାଇଛି। ତେବେ ଏହି ବନ୍ଦ ସମୟରେ ଶାନ୍ତି ବଜାୟ ରଖିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କହିଛନ୍ତି କେନ୍ଦ୍ର ସରକାର। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ଗାଇଡଲାଇନ ଜାରି କରାଯାଇଛି।

ଏହି ଗାଇଡଲାଇନରେ, ଭାରତ ବନ୍ଦ ସମୟରେ କରୋନା କଟକଣାର ଯେମିତି ଉଲ୍ଲଂଘନ ନହୁଏ, ସେ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିଶ୍ଚିିତ କରିବାକୁ କୁହାଯାଇଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ କୁହାଯାଇଛି ଯେ ଭାରତ ବନ୍ଦ ସମୟରେ ଶାନ୍ତି ବଜାୟ ରଖିବା ଆବଶ୍ୟକ ଏବଂ ଏହି ସମୟରେ ଯେମିତି ଦେଶର କୌଣସି ସ୍ଥାନରେ କୌଣସି ଅଘଟଣ ନଘଟେ ସେ ଦିଗ ପ୍ରତି ଧ୍ୟାନ ଦେବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୁହାଯାଇଛି।

ଉଲ୍ଲେଖଯାଗ୍ୟ, କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆଜକୁ ୧୧ଦିନ ହେଲାଣି ଧାରଣାରେ ବସିଛନ୍ତି ଚାଷୀ। ସରକାରଙ୍କ ସହ କଥାବାର୍ତ୍ତା ପରେ କୌଣସି ସମାଧାନର ବାଟ ବାହାରି ପାରିନଥିବାରୁ କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି ଶାନ୍ତିପୂୂର୍ଣ୍ଣଭାବେ ଭାରତ ବନ୍ଦ ଡାକରା ଦିଆଯାଇଛି।

Leave A Reply