କୋରେଇ ୨୫ା୦୬ : ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଧେଶରେ ଆଜି ବୈତରଣୀରୋଡ ବଜାରରେ ଥିବା ପାର୍ବତୀ ଫର୍ଣ୍ଣିଚର ଦୋକାନ ଉପରେ ଚଢାଉ କରି ଆନୁମାନିକ ୭୦ ହଜାର ଟଙ୍କାର କାଠ ଜବତ କରବା ସହ ଉକ୍ତ ଦୋକାନର ମାଲିକଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସୂଚନା ଥାଉକି ବୈତରଣୀରୋଡ ବଜାରରେ ରବିନ୍ଦ୍ର କୁମାର ମହାରଣା ପାର୍ବତୀ ଫର୍ଣ୍ଣିଚର ନାମରେ ଏକ ଦୋକାନ କରି ସେଠାରେ ଚୋରାରେ କାଠ ମଗାଇ ବିଭିନ୍ନ ପ୍ରକାର ଫର୍ଣ୍ଣିଚର ତିଆରି କରି ବିକ୍ରି କରାଯାଉଥିବା ଖବର ଭିଜିଲାନ୍ସ ଏସପି ଜାଣିବା ପରେ ଡିସିଏଫ ରଜନୀ କାନ୍ତ ମହାନ୍ତିଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇ ଶ୍ରୀ ମହାନ୍ତି ଆଜି ସକାଳ ୮ ଟା ସମୟରେ ବୈତରଣୀରୋଡ ବଜାରରେ ପହଁଚି ଯାଜପୁରରୋଡ଼ ରେଞ ଅଫିସର ଦେବନ୍ଦ୍ର କୁମାର ପଟ୍ଟନାୟକଙ୍କୁ ଖବର ଦେଇଥିଲେ ।
ଖବର ପାଇ ରେଞ ଅଫିସର ବୈତରଣୀରୋଡ଼ ବଜାରରେ ପହଁଚିବା ପରେ ଉଭୟ ରବିନ୍ଦ୍ର ମହାରଣାଙ୍କ ପର୍ଣ୍ଣିଚର ଦୋକାନରେ ଚଢାଉ କରି ୨୧୯ ଖଣ୍ଡ ୬୩ ସିଫ୍ଟ୍ ପୁଟିଆ କାଠକୁ ଜବତ କରିବା ସହ ଦୋକାନର ମାଲିକ ରବିନ୍ଦ୍ର କୁମାର ମହାରଣାଙ୍କୁ ଗିରଫ କରି ଯାଜପୁରରୋଡ଼ ରେଞ ଅଫିସକୁ ନେଇ ଯାଇଥିଲେ । ଜବତ କାଠ ଗୁଡ଼ିକର ଆନୁମାନିକ ମୂଲ୍ୟ ୭୦ ହଜାର ଟଙ୍କା ହେବ ବୋଲି ରେଞ ଅଫିସର ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିବା ବେଳେ ଆସନ୍ତା କାଲି ଅଭିଯୁକ୍ତଙ୍କୁ ଡାକ୍ତରୀ ମଇନା କରାଯିବା ପରେ କୋର୍ଟଚାଲଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ଆଜିର ଏହି ଚଢାଉରେ ଭିଜିଲାନ୍ସ ସ୍କ୍ୱାର୍ଡ କ୍ଷୀରୋଦ ପ୍ରଧାନ, ପ୍ରଦିପ୍ତ ଖୁଂଟିଆ, ପ୍ରଶାନ୍ତ କୁମାର ରାଉତ, ରମେଶ କୁମାର ସ୍ୱାଇଁ ଓ ଫରେଷ୍ଟର ବେଣୁଧର ବେହେରା ଏବଂ ପ୍ରେମାନନ୍ଦ ରାଉତରାୟଙ୍କ ସମେତ ରେଞ ସ୍କ୍ୱାର୍ଡ ଉପସ୍ଥିତ ଥିଲେ ।