Odisha news

ବନାଖଣ୍ଡି ସେବା ସମବାୟ ସମିତି ପକ୍ଷରୁ ଧାନମଣ୍ଡି ଉଦଘାଟିତ: ପ୍ରଥମ ଦିନରେ ୫ଜଣ ଚାଷୀଙ୍କ ୨୦୦ କୁଇଣ୍ଟାଲ ଧାନ ଉଠିଲା।

0
କୋଣାର୍କ – କୋଣାର୍କ ଥାନା ଅଧିନସ୍ଥ ବନାଖଣ୍ଡି ଗ୍ରାମପଞ୍ଚାୟତର ଅଗ୍ରଣୀ  ସମବାୟ ସମିତି ବନାଖଣ୍ଡି ସେବା ସମବାୟ ସମିତି ପକ୍ଷରୁ କୃଷି ଓ କୃଷକ ମାନଙ୍କର କଲ୍ୟାଣ ନିମନ୍ତେ ଜୁଣେଇ ହାଟ ଠାରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ଜିଲ୍ଲା ଯୋଗାଣ ବିଭାଗ ଓ ସମବାୟ ବିଭାଗ ନିର୍ଦ୍ଦେଶ କ୍ରମେ ବନାଖଣ୍ଡି ସେବା ସମବାୟ ସମିତିର ସଭାପତି ତଥା କୃଷକ ନେତା ଲିଙ୍ଗରାଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଧାନମଣ୍ଡି ଶୁଭ ଉଦଘାଟନ ସମାରୋହରେ ଅତିଥି ଭାବରେ ସେବା ସମବାୟ ସମିତିର ଧାନ ମାନ ନିର୍ଦ୍ଧାରଣ କମିଟି ଅଧ୍ୟକ୍ଷ ତଥା ପୂର୍ବତନ କାଉନସିଲର ରଣଜିତ ରାଉତରାୟ, ସମିତିର ସଂପାଦକ କୌଳାସ ଚନ୍ଦ୍ର ମୁଦୁଲି, ସମିତିର ବୋର୍ଡ ମେମ୍ବର ସୁଶାନ୍ତ କୁମାର ସେଠ ଓ କୋଣାର୍କ ସାମ୍ବାଦିକ ସଂଘର ଉପସଭାପତି ତଥା କୃଷକ ନେତା ଭାଗିରଥି ସ୍ଵାଇଁ ପ୍ରମୁଖ ଯୋଗଦାନ କରି ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ରାଜ୍ୟ ସମବାୟ ବିଭାଗର ମିଳିତ ଆନୁକୁଲ୍ୟରେ କୃଷକ ମାନଙ୍କର ଉତ୍ପାଦିତ ଧାନ ଫସଲ ସରକାରୀ ନିର୍ଦ୍ଧାରିତ ମୂଲ୍ୟରେ କ୍ରୟ କରିବା ପାଇଁ ଜୁଣେଇ ହାଟ ପରିସରରେ ଧାନମଣ୍ଡି ଖୋଲିବା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଅଭିହିତ କରିଥିଲେ।  ଧାନମଣ୍ଡି ଶୁଭାରମ୍ଭ ପରିପ୍ରେକ୍ଷୀରେ ବନାଖଣ୍ଡି ସେବା ସମବାୟ ସମିତିର ୫ଜଣ ଚାଷୀଙ୍କ ଠାରୁ ୨୦୦ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ସମିତି ପକ୍ଷରୁ ପର୍ଯ୍ୟାୟ କ୍ରମେ କୃଷକ ମାନଙ୍କୁ ଟୋକନ ବଣ୍ଟନ କାର୍ଯ୍ୟ ଶେଷ କରାଯିବା ସହ ଧାନମଣ୍ଡି ମାଧ୍ୟମରେ ଧାନ କ୍ରୟ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ସମିତିର ସଂପାଦକ କୌଳାସ ଚନ୍ଦ୍ର ମୁଦୁଲି ପ୍ରକାଶ କରିଛନ୍ତି।
Nalco
Leave A Reply