କୋଣାର୍କ – ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ହେଉଛି ସୌର କ୍ଷେତ୍ର ଭାବରେ ବିଶ୍ବ ବିଦିତ। ବିଗତ ବର୍ଷ ମାନଙ୍କ ଭଳି ଆସନ୍ତା ୧୮ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ପବିତ୍ର ଶାମ୍ବଦଶମୀ ଯାଏ ସୌର ମହାଯଜ୍ଞ ପରିଚାଳନା ସମିତି ଆନୁକୂଲ୍ୟରେ କୋଣାର୍କ ସ୍ଥିତ ରାଜାରାମ ମଠ ପରିସରରେ ଅନୁଷ୍ଠିତ ହେବ। ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୋଣାର୍କ ଠାରେ ସୂର୍ଯ୍ୟ ନାରାୟଣଙ୍କ ଉପାସନା କରି ଅଭିଶାପ ଜନିତ କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ। ସେହି ଦିବ୍ଯ ଉପାସନାର ସ୍ମୃତି ସ୍ବରୂପ ଓଡିଶା ତଥା ଓଡିଶା ବାହାରେ ଭକ୍ତି ଓ ନିଷ୍ଠାପର ଭାବେ ଶାମ୍ବଦଶମୀ ଘରେ ଘରେ ପାଳିତ ହୋଇ ଆସୁଛି। ଏହି ପରିପ୍ରେକ୍ଷୀରେ ସୌର ମହାଯଜ୍ଞ ପରିଚାଳନା ସମିତି ଆନୁକୂଲ୍ୟରେ ଆସନ୍ତା ୧୮ ତାରିଖରେ ବିଶ୍ବ କଲ୍ୟାଣ ସୌର ମହାଯଜ୍ଞର ଅଧିବାସ, ୧୯ ତାରିଖରେ ଆହୂତି କ୍ରମ ଓ ୨୦ ତାରିଖରେ ପବିତ୍ର ଶାମ୍ବଦଶମୀ ତିଥିରେ ଏହି ଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଧାର୍ମିକ ରୀତିନୀତି ଅନୁଯାୟୀ ସଂପାଦନ କରାଯିବା ନେଇ ସୌର ମହାଯଜ୍ଞ ପରିଚାଳନା ସମିତି ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ତ୍ରିଦିବସୀୟ ବିଶ୍ବ କଲ୍ୟାଣ ସୌର ମହାଯଜ୍ଞରେ ବହୁ ସଂଖ୍ୟାରେ ଭକ୍ତ ମାନେ ଯୋଗଦାନ କରି ଭଗବାନ ସୂର୍ଯ୍ୟ ନାରାୟଣଙ୍କ ଉପାସନା, ଆଶିଷ ଓ ପୂଜାର୍ଚ୍ଚନା କରିବା ପାଇଁ ସୌର ମହାଯଜ୍ଞ ପରିଚାଳନା ସମିତି ପକ୍ଷରୁ ନିବେଦନ କରାଯାଇଛି।