ପୁରୀ ରୁ କୋଣାର୍କ ଆନ୍ତର୍ଜାତିକ ଚନ୍ଦ୍ରଲୋକ ଯୁବ ଦୁଃସାହସିକ ଅଭିଯାନ ଉଦଯାପିତ।୧୦ଟି ଦେଶ ଓ ୨୦ ଟି ରାଜ୍ୟରୁ ୨୦୦ ପ୍ରତିଯୋଗୀଙ୍କ ଯୋଗଦାନ।
କୋଣାର୍କ – ସାମାଜିକ ଅନୁଷ୍ଠାନ ପ୍ରୋଜେକ୍ଟ ପଏଣ୍ଟ ଓ ପ୍ରେରଣାର ମିଳିତ ସହଯୋଗରେ ଗତ ୦୩।୦୪।୨୦୨୩ ତାରିଖ ଦିନଠାରୁ ଆରମ୍ଭ ହୋଇ ସମୁଦ୍ର କୂଳେ କୂଳେ ୩୫ କି.ମି. ଯାତ୍ରା କରିବା ପରେ ଆଜି କୋଣାର୍କ ଯାତ୍ରୀ ନିବାସ ପରିସରରେ ଉଦଯାପିତ ହୋଇଯାଇଛି। ଏହି ଉଦଯାପନ ଉତ୍ସବରେ ରାଜ୍ୟ କ୍ରୀଡ଼ା ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଅଭିଯାତ୍ରୀ ମାନଙ୍କର ଦୁଃସାହସିକ କର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ବିଶେଷତଃ ସାଂପ୍ରତିକ ପରିବେଶ ପ୍ରଦୂଷଣ ପରିପ୍ରେକ୍ଷୀରେ ଏହି ଭଳି କାର୍ଯ୍ୟକ୍ରମ ନିତ୍ୟାନ୍ତ ଆବଶ୍ୟକ ବୋଲି ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ। ପ୍ରେରଣାର ସଭାପତି ତଥା ପୂର୍ବତନ ବିଧାୟକ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଏଥିରେ ସଭାପତିତ୍ବ କରି କହିଲେ ପରିବେଶ ପ୍ରଦୂଷଣ, ଉତ୍ତାପ ବୃଦ୍ଧି, ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୂଳଲକ୍ଷ୍ୟ ଥିଲା।
ଏଥି ସହିତ ସମୁଦ୍ରକୂଳ ସଫେଇ, ବୃ୍ଷରୋପଣ ଆଦି କାର୍ଯ୍ୟ କରାଯାଇଥିଲା। ସେହିପରି ସମୁଦ୍ରକୂଳ ମୂର୍ତ୍ତିକାକ୍ଷୟ ରୋକିବା, ଜୀବ ଜନ୍ତୁ ଯଥା ହରିଣ, ବାଲି କଙ୍କଡା, ଅଲିଭ ରିଡଲେ କଇଁଛ ସୁରକ୍ଷା, ସମୁଦ୍ର ପ୍ରଦୂଷଣ ରୋକିବା ସମ୍ପର୍କରେ ଯାତ୍ରା ସମୟରେ ବିଭିନ୍ନ ଗ୍ରାମରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ସହ କୋଣାର୍କ ମନ୍ଦିର ପରିସରରେ ସଫେଇ କରିବା ଓ ଆକାଶ ଛତା ମାଧ୍ୟମରେ କୋଣାର୍କ ହେଲିପ୍ୟାଡ଼ରେ ଉଡିଥିଲେ। ଏଥିରେ ପ୍ରୋଜେକ୍ଟ ପଏଣ୍ଟର ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ କେଶରୀ ସାମନ୍ତରାୟ ସ୍ବାଗତ ଭାଷଣ ଦେବା ସହ କହିଲେ ମିଳିତ ଜାତିସଂଘର ବର୍ତ୍ତମାନ ପରିପ୍ରେକ୍ଷୀରେ ପୃଥିବୀକୁ ସୁରକ୍ଷିତ ରଖିବାକୁ ଆହ୍ୱାନ ଦିଆଯାଇଛି। ସେହି ଆଭିମୁଖ୍ୟ ଆମ ଅଭିଯାନର ମୂଳଲକ୍ଷ୍ୟ। ତେଣୁ ପ୍ରତ୍ୟେକ ଯୁବ ବନ୍ଧୁମାନେ ସୂଚାରୁରୂପେ ତାଙ୍କର ଅଭିଯାନ ସଫଳ କରିଛନ୍ତି।
ଏହି କାର୍ଯ୍ୟକ୍ରମର ସଂଯୋଜକ ବିଶିଷ୍ଟ ସମାସେବୀ ଶ୍ରୀ ରାମକୃଷ୍ଣ ମହାନ୍ତି ଏଥିରେ ଧନ୍ୟବାଦ ଦେବାସହ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଦେଶ ବିଦେଶରୁ ଆସିଥିବା ସ୍ୱେଚ୍ଛାସେବୀମାନେ ନିଜର କାର୍ଯ୍ୟଭାବ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାପରିଷଦର ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନସିଂହ ବିଶିଷ୍ଟ ଶିକ୍ଷାବିତ୍ ସଂଗୀତା ଦାସ କୋଣାର୍କ ଏନ.ଏ.ସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ରାଣୀ ତ୍ରିପାଠୀ ଓ ଟି.ଡି.ସି ଅଧ୍ୟକ୍ଷ ଡକ୍ଟର ଲେନିନ ମହାନ୍ତି, ବିଶିଷ୍ଟ ଶ୍ରୀ ପ୍ରତାପ ସାହୁ ଏନ.ୱାଇ.କେ.ଏସ୍ ଆଞ୍ଚଳିକ ଅଧିକାରିଣୀ ମିସେସ ହନି ସିହ୍ନା ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘର ସଭାପତି ଶ୍ରୀ ଡକ୍ଟର ପ୍ରକାଶ ଶ୍ରୀଚନ୍ଦନ ଭାରତୀୟ ରେଡକ୍ରସର ପୂର୍ବତନ ସମ୍ପାଦିକା ମେଜର କଳ୍ପନା ଦାଶ, ଲାଏନାସ୍ ଗଭର୍ଣ୍ଣର ଏଲ୍.ଏନ୍ ରବୀନ୍ଦ୍ର ଜେନା କ୍ଲାଫର୍ ସଭାପତି ବିକାଶ ଦାଶ ନିର୍ମାଣର ପ୍ରତିଷ୍ଠାତା ଶ୍ରୀ ପ୍ରସନ୍ନ ମହାନ୍ତି, କମଳା ନେହେରୁ ମହିଳା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଅଧିକାରିଣୀ ଡକ୍ଟର ମଧୁସ୍ମିତା ଦାଶ, ଖୋର୍ଦ୍ଧା ଜିଲ୍ଲା ରେଡ଼କ୍ରସ ଅଧିକାରୀ ସୁବୋଧ କୁମାର ଜଗଦେବ, ଅଧ୍ୟାପିକା ଅଲିଭା ବେରୁଆ ପ୍ରମୁଖ ଅତିଥି ରୂପେ ଯୋଗ ଦାନ କରିଥିଲେ।