କୋଣାର୍କ – କୋଣାର୍କ ସନ୍ନିକଟ ଚନ୍ଦ୍ରଭାଗା ସ୍ଥିତ ସେବାଶ୍ରମ ମଠ ପରିସରରେ ଗଙ୍ଗବଂଶୀ କ୍ଷେତ୍ରିୟ ଗଡ ସାମନ୍ତ ପରିଷଦର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ ଗଙ୍ଗବଂଶୀ କ୍ଷେତ୍ରିୟ ଗଡ ସାମନ୍ତ ପରିଷଦର ସଭାପତି ଅଜୟ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଅଧିବେଶନ ଓ ସାଂଗଠନିକ ବୈଠକରେ ମୁଖ୍ୟ ଅତିଥି ଭାବେ ଭରତ ଚନ୍ଦ୍ର ପାତ୍ର, ସମ୍ମାନିତ ଅତିଥି ଭାବେ କାଳନ୍ଦୀ ପାତ୍ର, ସଂଗଠନର ସଂପାଦକ ପ୍ରବୋଦ କୁମାର ପରିଡା, ଉପସଭାପତି ଅର୍ଜୁନ ପାତ୍ର, ସହସଂପାଦକ ରମାରମଣ ପାତ୍ର, ସବ୍ୟସାଚୀ ହରିଚନ୍ଦନ, ବିଜୟ କୁମାର ପାତ୍ର, କ୍ଷେତ୍ରବାସୀ ଯେନା ପ୍ରମୁଖ ଯୋଗଦେଇ ଗଙ୍ଗବଂଶୀ କ୍ଷେତ୍ରିୟ ବଂଶଜ ମାନଙ୍କର ବହୁମୁଖୀ ପ୍ରତିଭା, ଅମ୍ଲାନ କୀର୍ତୀରାଜି, ଐତିହ୍ୟ, ସଂସ୍କୃତି ଓ ପରମ୍ପରା ପ୍ରତି ସେମାନଙ୍କର ବହୁମୂଲ୍ୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ପୂର୍ବଜ ମାନଙ୍କର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ଊଜ୍ଜୀବିତ ରଖିବା, ସ୍ବତନ୍ତ୍ର କ୍ଷତ୍ରିୟ ବାଟାଲିୟନ ଗଠନ, ସ୍ବତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା ଓ ଭାରତ ବର୍ଷର ସୁରକ୍ଷା ଦିଗରେ ନିରବଛିନ୍ନ କାର୍ଯ୍ୟ କରି ଗୌରବମୟ ଅଧ୍ଯାୟ ସୃଷ୍ଟି କରିବା ଦିଗରେ ଗଙ୍ଗବଂଶୀ କ୍ଷେତ୍ରିୟ ମାନଙ୍କ ସଫଳତା ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ସଦୃଶ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସଂରକ୍ଷଣ ଓ ଜନକଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଗଙ୍ଗବଂଶୀ କ୍ଷେତ୍ରିୟ ମାନଙ୍କ ପ୍ରତି ଉଦାସୀନତା ନୀତି ପ୍ରତିପୋଷଣ କରିବା ଏ ଜାତି ପ୍ରତି କୁଠାରଘାତ ସଦୃଶ ବୋଲି ମତପ୍ରକାଶ ପାଇଥିଲା। ଏହି ବାର୍ଷିକ ଅଧିବେଶନରେ ରୂପାସ ଗଡ, ଗୋଲରାଗଡ, ଗଡ ଭିଂଗୁରା, ଗଡ ଅଣ୍ଡିଆ, ଦୁର୍ଗେଶ୍ୱର ଗଡ, ନୟରଗଡ, ଜମରସୁଆଁଗଡ, ଗଙ୍ଗେଶ୍ୱରଗଡ, ଭଁଅରାଗଡ଼ ସମେତ ୧୮ଗୋଟି ଗଡରୁ ଶତାଧିକ କ୍ଷେତ୍ରିୟ ଗଡୁଆ ମାନେ ଉପସ୍ଥିତ ରହି ବଂଶର ବହୁମୁଖୀ ପ୍ରତିଭା ଓ ଅମ୍ଲାନ କୀର୍ତୀରାଜି ଉପରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ଏହି ସଂଗଠନକୁ ସୁଦୃଢ କରିବା ପାଇଁ ଓଡିଶାର ବିଭିନ୍ନ ପ୍ରାନ୍ତରେ ଥିବା ଗଡରୁ କ୍ଷେତ୍ରିୟ ମାନଙ୍କୁ ଏକାଠି କରି ଭୁବନେଶ୍ଵର ଠାରେ ଏକ ରାଜ୍ୟ ସ୍ତରୀୟ ମହାସମାରୋହ ଆୟୋଜନ କରାଯିବ ବୋଲି ସଂଗଠନର ସଭାପତି ଅଜୟ କୁମାର ପାତ୍ର ପ୍ରକାଶ କରିଛନ୍ତି।