କୋଣାର୍କ – ବଡଦିନ ଉପଲକ୍ଷେ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ, ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ଓ ଦେବୀପୀଠ ରାମଚଣ୍ଡୀ ପୀଠ ଲୋକାରଣ୍ୟ ହୋଇପଡିବା ଯୋଗୁଁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇ ଗୁରୁତର ଟ୍ରାଫିକ ସମସ୍ଯା ସୃଷ୍ଟି ହୋଇଛି। ଖବରରୁ ପ୍ରକାଶ ଯେ ବଡଦିନ ପାଇଁ କୋଣାର୍କ, ଚନ୍ଦ୍ରଭାଗା ଓ ରାମଚଣ୍ଡୀ ପୀଠରେ ପର୍ଯ୍ୟାପ୍ତ ପୋଲିସ ବ୍ୟବସ୍ଥା କରାଯାଇନଥିବାରୁ ପ୍ରବଳ ଯାନବାହାନ ଚଳାଚଳ ଯୋଗୁଁ ଟ୍ରାଫିକ ସମସ୍ଯା ସୃଷ୍ଟି ହୋଇଥିଲା। ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର, ଚନ୍ଦ୍ରଭାଗା ବେଳାଭୂମି ଓ ମା ରାମଚଣ୍ଡୀଙ୍କୁ ଦର୍ଶନ କରିବା ପାଇଁ ଓଡିଶା ତଥା ଓଡିଶା ବାହାରୁ ଲକ୍ଷ ଲକ୍ଷ ସଂଖ୍ୟାରେ ପର୍ଯ୍ୟଟକ ମାନଙ୍କ ସମାଗମ ହୋଇଥିଲା। ଏହି ସମାଗମକୁ ଦୃଷ୍ଟିରେ ରଖି କୋଣାର୍କ, ଚନ୍ଦ୍ରଭାଗା ଓ ରାମଚଣ୍ଡୀ ପୋଲିସ ବିଶେଷ କରି ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକ ମାନଙ୍କ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ କରିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଟ୍ରାଫିକ ନିୟନ୍ତ୍ରଣ କରିବା ଦିଗରେ ପୋଲିସ ଫେଲ ମାରିଥିବା ଦେଖିବାକୁ ମିଳିଛି। ଆଉ ୬ଦିନ ମଧ୍ୟରେ ନୂଆବର୍ଷ ପଡୁଥିବାରୁ ଟ୍ରାଫିକ ନିୟନ୍ତ୍ରଣ ଓ ସମ୍ବେଦନଶୀଳ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରି ପର୍ଯ୍ୟଟକ ମାନଙ୍କ ସୁରକ୍ଷା ଦିଗରେ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯିବା ଜରୁରୀ ବୋଲି ପର୍ଯ୍ୟଟକ ମାନଙ୍କ ମହଲରେ ଦାବି ହେଉଛି। ଆଜି ବଡଦିନ ଉପଲକ୍ଷେ ବିଶ୍ବ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିରର ଐତିହ୍ୟ, ସଂସ୍କୃତି ଓ କଳାକୃତି ଦେଖିବା ପାଇଁ ପର୍ଯ୍ୟଟକ ମାନଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ସେହିପରି ପୁରାଣ ବର୍ଣ୍ଣିତ ଚନ୍ଦ୍ରଭାଗା ବେଳାଭୂମି କୂଳରେ ପର୍ଯ୍ୟଟକ ମାନଙ୍କ ଭିଡ ପରିଲକ୍ଷିତ ହେବା ସହ ବଣଭୋଜିର ଆଶର ଦେଖିବାକୁ ମିଳିଛି। କୋଣାର୍କ ନିକଟସ୍ଥ ପ୍ରସିଦ୍ଧ ଶକ୍ତିପୀଠ ମା ରାମଚଣ୍ଡୀ ମନ୍ଦିରରେ ବଡଦିନ ଉପଲକ୍ଷେ ଭିଡ ଦେଖିବାକୁ ମିଳିଛି। ମା ଙ୍କ ଦର୍ଶନ କରିବା ପାଇଁ ଭକ୍ତମାନଙ୍କର ସମାଗମ ସହ ପୂଜାର୍ଚ୍ଚନା କରିଥିଲେ।