କୋଣାର୍କ (ଆପ୍ର): ଜାତୀୟ ପତାକା ସମଗ୍ର ଦେଶ ପାଇଁ ଗର୍ବର ପ୍ରତୀକ । ଆମର ପତାକାକୁ ଆହୁରି ସମ୍ମାନ ଜଣାଇବା ପାଇଁ ଭାରତ ସରକାର ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ପ୍ରଚଳନ କରିଛନ୍ତି । ଏହା ଭାରତୀୟମାନଙ୍କୁ ନିଜ ଘରେ ପତାକା ଉତ୍ତୋଳନ କରିବାକୁ ପ୍ରେରଣା ଯୋଗାଇଥାଏ । ପତାକା ସହିତ ଆମର ସମ୍ପର୍କ ସର୍ବଦା ବ୍ୟକ୍ତିଗତ ଅପେକ୍ଷା ଅଧିକ ଆନୁଷ୍ଠାନିକ । ସ୍ୱାଧୀନତାର ୭୫ ବର୍ଷରେ ତ୍ରିରଙ୍ଗା ପତାକାକୁ ବ୍ୟକ୍ତିଗତ ସହିତ ସଂଯୋଗର କାର୍ଯ୍ୟକ୍ରମ ନୁହେଁ ବରଂ ଏହା ଏକ ରାଷ୍ଟ୍ର ନିର୍ମାଣ ପ୍ରତି ଆମର ପ୍ରତିବଦ୍ଧତାର ପ୍ରତୀକ ହୋଇଥାଏ । ଏହି ପଦକ୍ଷେପ ପଛରେ ଉଦେ୍ଦଶ୍ୟ ହେଉଛି ଲୋକଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବା ଏବଂ ଆମର ଜାତୀୟ ପତାକା ବିଷୟରେ ସଚେତନ ସୃଷ୍ଟି କରିବା । ଏହିକ୍ରମରେ ପର୍ଯ୍ୟଟନ ମନ୍ତ୍ରାଳୟ, ଭାରତ ସରକାର, ଭୁବନେଶ୍ୱର ଅଫିସ୍ ଦ୍ୱାରା ଓଡ଼ିଶାର ମୁଖ୍ୟ ପର୍ଯ୍ୟଟନସ୍ଥଳୀ କୋଣାର୍କଠାରେ ଦେଶଭକ୍ତି ଜାଗ୍ରତ କରିବା ଲକ୍ଷ୍ୟରେ ତ୍ରିରଙ୍ଗା ରାଲି କାର୍ଯ୍ୟକ୍ରମ କରାଯାଇଥିଲା । ୧୦୦ରୁ ଊଦ୍ଧ୍ୱର୍ କାର୍ଯ୍ୟକର୍ତ୍ତା ଭାଗନେଇ କୋଣାର୍କ ମନ୍ଦିର ପରିକ୍ରମା କରିଥିଲେ । ପର୍ଯ୍ୟଟକଙ୍କ ପାଇଁ ଆଜାଦୀ କା ଅମୃତ ମହୋତ୍ସବ, ସେଲ୍ଫି ପଏଣ୍ଟ ସ୍ଥାପନ କରାଯାଇଥିଲା । ପର୍ଯ୍ୟଟକମାନେ ସେଲ୍ଫି ପଏଣ୍ଟରେ ଫଟୋ ଉଠାଇ ବେଶ୍ ମଜା ଉଠାଇଥିଲେ ।
କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ସୂଚନା ଅଧିକାରୀ ଜଗନ୍ନାଥ ବେହେରା ପରିଚାଳନା କରିଥିଲେ । ନାଟ୍ୟଦୀପ ସଂସ୍ଥାର କାଳନ୍ଦୀ ଚରଣ ସ୍ୱାଇଁ, ନିତ୍ୟାନନ୍ଦ ମହାରଣାଙ୍କ ସମେତ ଅନେକ କର୍ମକର୍ତ୍ତା ସହଯୋଗ କରିଥିଲେ ।
Next Post