Odisha news

“ଇଡ଼କୋ” କୁ ୭୦ ଏକର ଜଙ୍ଗଲ ଜମି ପ୍ରଦାନ ନେଇ ହାଇକୋର୍ଟ ରେ ଜନସ୍ଵାର୍ଥ ମାମଲା ,ପିକେଡିଏ ଓ ଜଙ୍ଗଲ ବିଭାଗ କୁ ଜବାବ ତଲବ

0
କୋଣାର୍କ : ୦୩/୫ ବିଶ୍ଵ ପର୍ଯ୍ୟଟନସ୍ଥଳୀ କୋଣାର୍କ ଚନ୍ଦ୍ରଭାଗା ଅଞ୍ଚଳର ପରିବେଶକୁ ସଂପୂର୍ଣ୍ଣ ଜଳାଞ୍ଜଳି ଦେଇ ,ଏଠାରେ ଥିବା କୋଣାର୍କ-ବାଲୁଖଣ୍ଡ ଅଭୟାରଣ୍ୟକୁ ବିପଦରେ ପକାଇ ଏହାର କିଛି ଅଂଶ ସହିତ  ଏହାର ଇକୋ–ସେନ୍ସିଟିଭ୍ ଅଞ୍ଚଳକୁ ଓ ଚନ୍ଦ୍ରଭାଗା ତୀର୍ଥ ଅଞ୍ଚଳର ଅର୍ଦ୍ଧେକ ଅଂଶ ମିଶାଇ ପ୍ରଥମ ପର୍ଯ।ୟରେ ସମୁଦ୍ର ନିକଟସ୍ଥ ପ୍ରାୟ ୭୦ଏକର ଜମିକୁ ସରକାରୀ ସଂସ୍ଥା ଇଡକୋ ଜରିଆରେ ଖଣ୍ଡ ଖଣ୍ଡ କରି ହୋଟେଲ ମାଲିକମାନଙ୍କୁ ବିକ୍ରି କରିବା ଉଦ୍ୟମକୁ ସ୍ଥାନୀୟ ଜନସାଧାରଣ,ବିଭିନ୍ନ ଜଙ୍ଗଲ ସୁରକ୍ଷା ସମିତି  ତଥା ବିଭିନ୍ନ ପରିବେଶବିତ ଘୋର ବିରୋଧ କରିଛନ୍ତି।
ଏ ନେଇ ରୁଜ୍ଜୁ ହୋଇଥିବା ଜନସ୍ଵାର୍ଥ ମାମଲାରେ ଉଛନାୟାଳୟ ପକ୍ଷରୁ  ପିକେଡିଏ  ଓ ଜଙ୍ଗଲ ବିଭାଗ କୁ ଜବାବ ତଲବ କରାଯାଇଛି ।ଘଟଣାରୁ ପ୍ରକାଶ ,ମୌଜା କୋଣାର୍କ ହାଲ ଖାତା ନମ୍ବର ୫୨୮ ,ହାଲ ପ୍ଲଟ ନମ୍ବର ୨୧୩୭,୨୧୪୩,୨୨୨୬, ଓ ହାଲ ଖାତା ନମ୍ବର ୫୩୧ ,ହାଲ ପ୍ଲଟ ନମ୍ବର ୨୧୩୬,୨୦୧୫/୨୭୬୯ ,୨୦୧୫ ସମ୍ବନ୍ଧ ମୋଟ ୭୦ ଏକରରୁ ଉର୍ଦ୍ଧ୍ଵ ଜମି ଇଡକୋ ଜରିଆରେ ହୋଟେଲ ମାଲିକମାନଙ୍କୁ ବିକ୍ରି କରିବା ପାଇଁ ପ୍ରସ୍ତୁତି ଚାଲିଛି । ଏହି ସମସ୍ତ ଅଞ୍ଚଳରେ ବନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ଘଞ୍ଚ ଜଙ୍ଗଲ ସୃଷ୍ଟି କରାଯାଇଛି । ପ୍ରାୟ ୮୦ ହଜାରରୁ ଉର୍ଦ୍ଧ୍ଵ ଝାଉଁ ଗଛ  ବର୍ତମାନ ଏହି ଜମିଉପରେ ରହିଅଛି ଏବଂ ଏହି ସମସ୍ତ ଅଂଚଳ ଜଙ୍ଗଲ ବିଭାଗ ଦ୍ଵାରା ନିଯୁକ୍ତ ବିଭିନ୍ନ ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା କମିଟି ଦ୍ଵାରା ରକ୍ଷଣା ବେକ୍ଷଣ କରାଯାଉଅଛି ।
ଏହି ପ୍ରସ୍ତାବିତ ଜମି ସମ୍ପୂର୍ଣ ଭାବେ ଅତି ସଂବେଦନଶୀଳ ସି॰ଆର॰ଜେଡ୍॰  ଓ   ଇକୋ–ସେନ୍ସିଟିଭ୍ ଅଂଚଳ ମଧ୍ୟରେ ଆସୁଅଛି । ଆହୁରି ମଧ୍ୟ ଏହି ପ୍ରସ୍ତାବିତ ଜମିର କିଛିକାଂଶ  କୋଣାର୍କ-ବାଲୁଖଣ୍ଡ ଅଭୟାରଣ୍ୟ ମଧ୍ୟରେ ଆସୁଥିବାବେଳେ ଅଧାରୁ ଅଧିକ ମାଘ ମେଳା ପଡିଆ ପାଇଁ ମାଷ୍ଟର ପ୍ଳାନରେ ପୁରୀ କୋଣାର୍କ ଉନ୍ନୟନ ସଂସ୍ଥା ଦ୍ଵାରା ସଂରକ୍ଷିତ ରଖାଯାଇଛି । ଏହି ସବୁ କାରଣରୁ ଉକ୍ତ ସ୍ଥାନରେ କୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥାକୁ ଲିଜ ସୂତ୍ରରେ କିମ୍ବା ଅନ୍ୟ କୌଣସି ପ୍ରକାରର ହସ୍ତାନ୍ତର ବେଆଇନ ହୋଇଥିଲେ ମଧ୍ୟ ,କିପରି ତାହା ପ୍ରସାଶନ ପକ୍ଷରୁ କରାଯାଉଛି ,ସେଥିନେଇ ସାଧାରଣରେ ଘୋର ଉଦବେଗ ପ୍ରକାଶ କରାଯାଇଛି । ଏଥିନେଇ ବିଭିନ୍ନ ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା କମିଟି ଓ ବିଭିନ୍ନ ପରିବେଶବିତ ମାନଙ୍କ ପକ୍ଷରୁ ଆନ୍ଦୋଳନ ଚାଲୁ ରହିଛି ।   ବିଶେଷ ଭାବେ ପୁରୀ ର ବରିଷ୍ଟ ପରିବେଶବିତ  ସରୋଜ କୁମାର ଜେନା ଓ ଅସ୍ତରଙ୍ଗ ଅଂଚଳର ଜାତିସଂଘ ପୁରସ୍କାର ପ୍ରାପ୍ତ ଯୁବ ପରିବେଶ କର୍ମୀ ସୌମ୍ୟରଂଜନ ବିଶ୍ୱାଳ ସରକାରଙ୍କ ର ଏପରି ଭୁଲ ନିଷ୍ପତି କୁ ଘୋର ବିରୋଧ କରିଛନ୍ତି । କିନ୍ତୁ ଏହାକୁ ଖାତିର ନକରି ବେଆଇନ ହସ୍ତାନ୍ତର ପ୍ରକ୍ରିୟା ଚାଲୁ ରଖାଯାଇଥିବାରୁ ସ୍ଥାନୀୟ ଜନସାଧାରଣ ବିନୟକ ସ୍ଵାଇଁ ଓ ଅନ୍ୟମାନଙ୍କ  ପକ୍ଷରୁ ଉପରୋକ୍ତ ଅଭିଯୋଗସବୁକୁ  ଭିତ୍ତି କରି ଏକ ଜନସ୍ଵାର୍ଥ ମାମଲା  W.P.(C) No.3763/2021 ରୁଜ୍ଜୁ କରାଯାଇଥିଲା  ।
ଉକ୍ତ କେସଟି ଏପ୍ରିଲ ୨୯ ତାରିଖରେ ବିଚାର ପାଇଁ ଥିଲା। ମାମଲାରେ ଉଚନ୍ୟାୟଳୟ  ପକ୍ଷରୁ  ପିକେଡିଏ  ଓ ଜଙ୍ଗଲ ବିଭାଗ କୁ ଜବାବ ତଲବ କରାଯାଇଛି। ଆବେଦନକାରୀ ଗ୍ରାମବାସୀଙ୍କ ପକ୍ଷରୁ କୋଣାର୍କ ବାର ଆସୋସିଏସନ ସଭାପତି ଆଇନଜୀବୀ ଶ୍ରୀଜୟ କୁମାର ବରାଳ ଓ ଆଇନଜୀବୀ ଶିବଶଙ୍କର ମହାନ୍ତି ପରିଚାଳନା କରୁଛନ୍ତି I ଯଦି ସରକାର ଏହି ଭୁଲ ନିଷ୍ପତ୍ତିକୁ ରଦ୍ଦ ନ କରନ୍ତି ତେବେ  କୋଣାର୍କବାସୀଙ୍କ ପକ୍ଷରୁ  ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବବୋଲି  ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା କମିଟି ସଭାପତି ଭାଗିରଥି ସ୍ଵାଇଁ ,ଭୂ-ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ସଭାପତି ସୁକାନ୍ତ ମହାନ୍ତି, ରାଜ୍ୟ ସିପିଆଇ  ନେତା ମନୋରଞ୍ଜନ ପରିଡା , , ବରିଷ୍ଠ ସମାଜସେବୀ ରାଜକିଶୋର ମହାପାତ୍ର ,ଭାସ୍କର ବେହେରା,ପ୍ରମୁଖ ଚେତାବନୀ ଦେଇଛନ୍ତି।
Leave A Reply