Odisha news

ଶ୍ରୀଜୟଦେଵ ଜୟନ୍ତୀ ସମାରୋହ ଉଦଘାଟିତ , ଓଡ଼ିଶୀ ନୃତ୍ୟରେ କଵି ଜୟଦେବଙ୍କୁ ଶ୍ରଦ୍ଧାଞ୍ଜଳି

0

କୋଣାର୍କ,୩/୫ ପବିତ୍ର ଅକ୍ଷୟ ତୃତୀୟା ତିଥି ଅବସରରେ ଅର୍କକ୍ଷେତ୍ର କୋଣାର୍କର ଅର୍କେଶ୍ୱର ମଣ୍ଡପରେ ତ୍ରିଦିବସୀୟ ଶ୍ରୀଜୟଦେଵ ଜୟନ୍ତୀ ସମାରୋହର ଉଦ୍ଘାଟନ ହୋଇଛି । କୋଣାର୍କ ଶ୍ରୀଜୟଦେଵ ଜୟନ୍ତୀ କମିଟିର ସଭାପତି ଗୋପାଳ ଚନ୍ଦ୍ର ବେହେରାଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବକୁ କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମହାନ୍ ଭକ୍ତ କବି ଶ୍ରୀଜୟଦେବଙ୍କ ଫଟୋରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନପୂର୍ଵକ ଉଦ୍ଘାଟନ କରିଥିଲେ ।

ମଞ୍ଚାସୀନ  ଅନ୍ୟ ଅତିଥିମାନଙ୍କ ମଧ୍ୟରେ କୋଣାର୍କ ଏନ୍ଏସି ନିର୍ଵାହୀ ଅଧିକାରୀ ତଥା ଅତିରିକ୍ତ ତହସିଲଦାର ସୌମେନ୍ଦ୍ର ତେଜ, ବଳିଷ୍ଠ ସାମ୍ବାଦିକ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ସମାଜସେବୀ ହରିଶ୍ଚନ୍ଦ୍ର ଦାଶ, ବିଶ୍ବହିନ୍ଦୁ ପରିଷଦର କୋଣାର୍କ ଶାଖା ସଭାପତି ଭାଗିରଥୀ ସ୍ୱାଇଁ, ଏନ୍ଏସି ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, ସମାଜସେବୀ ଉମେଶ ସ୍ବାଇଁ ଓ ବ୍ୟବସାୟୀ ମହାସଂଘ ସଭାପତି ପଦ୍ମଚରଣ ଵେଉରା ପ୍ରମୁଖ କଵି ଜୟଦେବଙ୍କ ଜୀବନୀ ଓ ସାହିତ୍ୟ ସାଧନା ସଂପର୍କରେ ଆଲୋଚନା କରିଥିଲେ ।

ଶ୍ରୀଜୟଦେଵ ଜୟନ୍ତୀ କମିଟିର ସଂପାଦକ ରବୀନ୍ଦ୍ରନାଥ ବାହିନୀପତି କୋଣାର୍କରେ ଶ୍ରୀଜୟଦେଵ ଜୟନ୍ତୀ ସମାରୋହର ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପରେ ସଂସ୍କୃତି ବିଭାଗ ପ୍ରାୟୋଜିତ ଓଡିଶୀ ନୃତ୍ୟ ଦଳ ଓଡ଼ିଶୀ ନୃତ୍ୟରେ ଶ୍ରୀଜୟଦେଵଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଭୁବନେଶ୍ୱରର ନୃତ୍ୟଶିଳ୍ପୀ ଶୁଭମ୍ ଓଝା ଓ ତାଙ୍କ ସହଯୋଗୀ କଳାକାରମାନେ କଵି ଜୟଦେବଙ୍କ ରଚିତ ଗୀତଗୋବିନ୍ଦର ପଦାବଳୀକୁ ନେଇ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ । ପୂର୍ବାହ୍ନରେ ଚନ୍ଦ୍ରଭାଗାସ୍ଥିତ ଜୟଦେବ ଵାଟିକାରେ ଶ୍ରୀଜୟଦେଵଙ୍କ ପ୍ରତିମୂର୍ତ୍ତୀରେ କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀଙ୍କ ସମେତ ଜୟନ୍ତୀ କମିଟିର କର୍ମକର୍ତ୍ତାମାନେ ମାଲ୍ୟାର୍ପଣ କରିଥିଲେ ।

Leave A Reply