ପୁରୁଷୋତ୍ତମପୁର : (ସୁଶାନ୍ତ କୁମାର ପଟ୍ଟନାୟକ) : ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ଏକ ରକ୍ତଦାନ ଶିବିର। ଖଲ୍ଲିକୋଟ ରାଣୀ ସାହେବାକଂ ୮୩ ତମ ଜନ୍ମ ଜୟନ୍ତୀ ଅବସରରେ ଖଲ୍ଲିିକୋଟ ଓ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକରେ ରକ୍ତଦାନ ଶିବିର ଆୟୋଜିତ ହେଉଥିବା ବେଳେ ଏହି ରକ୍ତଦାନ ଶିବିରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗତ ୧୧ ନଭେମ୍ବରରେ ବେଗୁନିଆପଡ଼ା ଠାରେ ରାଣୀ ସାହେବାକଂ ଜନ୍ମ ଜୟନ୍ତୀ ପାଇଁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ୨୦ ନଭେମ୍ବରରେ ପୁରୁଷୋତ୍ତମପୁର ବ୍ଳକର ଭୂତ ସରସିଂ ଠାରେ ମଧ୍ୟ ଏଥିପାଇଁ ହୋଇଥିଲା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ।
ତେବେ ପୁଣି ଭୂତ ସରସିଂ ଠାରେ ବିଜେଡ଼ିର ଅନ୍ୟ ଏକ ଅସନ୍ତୁଷ୍ଟ ଗୋଷ୍ଠୀକଂ ଉଦ୍ଯମରେ ଶୁକ୍ରବାର ରକ୍ତଦାନ ଶିବିର କରାଯାଇଥିବା ନେଇ ଚର୍ଚ୍ଚା ଚାଲିଛି। ବିଗତ ଦିନର ରକ୍ତଦାନ ଶିବିର ମାନଙ୍କରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଆସିକା ସାଂସଦ ପ୍ରମିଳା ବିଷୋୟୀ ଉପସ୍ଥିତ ଥିବା ବେଳେ ଏବେ କେବଳ ସାଂସଦ ପ୍ରମିଳା ବିଷୋୟୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟମଣି ପଣ୍ଡାଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକର ବହୁ ବିଜେଡି କର୍ମକର୍ତ୍ତା ସମେତ ବେଗୁନିଆପଡ଼ା ବ୍ଳକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ସେଠୀ, ବ୍ଲକ ବିଜେଡି ସଂପାଦକ ଶରତ ପାଣ୍ଡିକଂ ଉପସ୍ଥିତ ଦେଖିବାକୁ ମିଳିଥିଲା। ତେବେ ଏହି କାର୍ଯ୍ୟକ୍ରମକୁ ଲକ୍ଷ କଲେ ବିଜୁ ଜନତା ଦଳରେ କେଉଁଠି ନା କେଉଁ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ମଧ୍ୟ ନଜରକୁ ଆସିଛି ।