Odisha news

ସୋସିଆଲ୍ ମିଡିଆରେ କିଡ୍ନୀ ମାଫିଆ : ସବ୍ୟସାଚୀଙ୍କ ପାଇଁ ବର୍ତ୍ତିଗଲେ ସୋମନାଥ

0

ଭୁବନେଶ୍ୱର,(ନି.ପ୍ର): ମହାମାରୀ କରୋନା ପ୍ରଭାବରେ ସବୁଠି ଆର୍ଥିକ ସଙ୍କଟ ପ୍ରତିଫଳିତ ହେଉଛି । ଆର୍ଥିକ ସଙ୍କଟକୁ ମୁକାବିଲା କରିବାପାଇଁ କିଏ କେମିତି ମାନସିକତା ନେଉଛନ୍ତି ତାହା ସହଜରେ ଅନୁମେୟ ହୋଇଛି କିଡ୍ନୀ ସେଲ୍ କରିବାକୁ ପ୍ରସ୍ତୁତ ହୋଇଥିବା ସେମାନାଥ ଗାହଣଙ୍କ ସମସ୍ୟାରୁ । ସେ ପରିବାରର ଆର୍ଥିକ ସମସ୍ୟାକୁ ମୁକାବିଲା କରିବାକୁ ଯାଇ କିଡ୍ନୀ ସେଲ୍ କରିବାକୁ ପ୍ରସ୍ତୁତ ହେଉଥିବା ଜାଣିଥିଲେ ଓଲିଉଡ୍ ଷ୍ଟାର ସବ୍ୟସାଚୀ ମିଶ୍ର ।

ସେ ଜାଣିବାପରେ ଘଟଣାର ଦୃଢତାର ସହ ହସ୍ତକ୍ଷେପ କରିବା ସହ ତାଙ୍କ ପରାମର୍ଶରେ ଡିସିପି ଭୁବନେଶ୍ୱରରେ ଅଭିଯୋଗ କରିଛନ୍ତି ସୋମନାଥ । ପ୍ରକୃତରେ ଏହା କିଡନୀ ଲୁଟ୍ ର୍ୟାକେଟ୍ ନା ଠକଙ୍କ ଅଭିନବ କୌଶଳ ତାହା ସ୍ପଷ୍ଟ ହୋଇନାହିଁ । କାରଣ ସେ ର୍ୟାକେଟ୍ ଏକ ଆକାଉଣ୍ଟ ନମ୍ବର ଦେଇ ପ୍ରାଥମିକ ଭାବେ ଛଅ ହଜାର ୮୦୦ ଟଙ୍କା ଦାଖଲ କରିବାକୁ କହିଥିଲେ । ତିନି କୋଟି ଟଙ୍କା କିଡ୍ନୀ ବାବଦକୁ ଡିଲ୍ ହୋଇଥିବାବେଳେ ୬,୮୦୦ ଟଙ୍କା ଆକାଉଣ୍ଟରେ ଦାଖଲ କରିବାକୁ କହିବାରୁ ସନେ୍ଦହ ପ୍ରକାଶ କରିଥିଲେ ସୋମନାଥ । ପରେ ସବ୍ୟସାଚୀଙ୍କ ହସ୍ତକ୍ଷେପରୁ ସବୁ ଫସର ଫାଟିଗଲା ।

ସୋମନାଥ ଗାହଣ । କରୋନା ପୂର୍ବରୁ ଏକ ହୋଟେଲ୍ ଖୋଲିଥିଲେ । କରୋନା ଯୋଗୁ ହୋଟେଲ୍ ବନ୍ଦ ହୋଇଗଲା । ହୋଟେଲ୍ ଘରର ମାଲିକ ତାଙ୍କୁ ବାରମ୍ବାର ଭଡା ମାଗିଲେ । ଏପରିକି ୬୦,୦୦୦ରୁ ଉଦ୍ଧ୍ୱର୍ ଟଙ୍କା ଘର ଭଡା ବାବଦକୁ ଦେବାକୁ ପଡିଲା ଏବଂ ପରିବାରର ଅନ୍ୟାନ୍ୟ ଆର୍ଥିକ ସମସ୍ୟା ମୁକାବିଲାରେ ଜଟିଳ ସମସ୍ୟା ଦେଖାଦେଲା । ସୋମନାଥ ଏହିଭଳି ମାନସିକ ସ୍ଥିତିରେ ଥିବାବେଳେ ଫେସବୁକ୍ରୁ ଠାବ କଲେ ‘ସେଲ୍ ୟୁର କିଡନୀ’ ଶିର୍ଷକ ଏକ ବିଜ୍ଞାପନ । ସେ ବିଜ୍ଞାପନ ଦେଖି ଯୋଗାଯୋଗ କରିବାକୁ ସେମାନେ କିଡ୍ନୀ କିଣିବା ସର୍ମ୍ପକରେ ସୂଚନା ଦେଲେ । ପରେ ଏକ ୱାଟସ୍ଅପ୍ ଜରିଆରେ ସୋମନାଥଙ୍କୁ ମାଫିଆ ଦିଲ୍ଲୀ ମହର୍ଷି ବାଲ୍ମିକି ହସ୍ପିଟାଲକୁ ଆସିବାକୁ କହିଲେ । ଆସିବା ପୂର୍ବରୁ ସେମାନେ ଦେଇଥିବା ଏକ ନିର୍ଦ୍ଧିଷ୍ଟ ଆକାଉଣ୍ଟରେ ୬,୮୦୦ ଟଙ୍କା ଦାଖଲ କରିବାକୁ କହିଲେ ।

ଏହି ଘଟଣା ତାଙ୍କ ସହିତ ସୋସିଆଲ୍ ମିଡିଆରେ ଆଲୋଚନା ଚାଲିଥିବାବେଳେ ସବ୍ୟସାଚୀଙ୍କୁ ଟ୍ୱିଟ୍ କରି ସୋମନାଥ ତାଙ୍କ ଆର୍ଥିକ ସମସ୍ୟା ସମ୍ପର୍କରେ କହିଲେ । ଏପରିକି ୩ କୋଟି ଟଙ୍କାରେ କିଡ୍ନୀ ବିକ୍ରୀ କରିବାକୁ ନିଷ୍ପିତ୍ତି ନେଇଥିବା ଟ୍ୱିଟ୍ରେ ସୋମନାଥ କହିଥିଲେ । ସୋମନାଥଙ୍କଠାରୁ ବିସ୍ତୃତ ଭାବରେ ଜାଣିବାପରେ ସବ୍ୟସାଚୀ ସୋମନାଥଙ୍କୁ ପରାମର୍ଶ ଦେଇଥିଲେ ଏତଲା କରିବାକୁ । ଯାହାଫଳରେ ସୋମନାଥ ମଙ୍ଗଳବାର ଭୁବନେଶ୍ୱର ଡିସିପିଙ୍କ ପାଖେ ଏକ ଅଭିଯୋଗ କରିଛନ୍ତି । କେବଳ ସୋମନାଥ ନୁହଁନ୍ତି ସୋମନାଥଙ୍କ ପୂର୍ବରୁ ଅନୁରୂପ ଭାବେ ଚନ୍ଦ୍ରଶେଖରପୁରର ସୁକାନ୍ତ ସାହୁ ଓ ବାଲେଶ୍ୱରର ତପନ କୁମାର ମାଝି ମାଫିଆଙ୍କ କବଳରେ ପଡିଥିଲେ । ବିଶେଷଜ୍ଞଙ୍କ କହିବାନୁଯାୟୀ, ସେମାନେ କିଡ୍ନୀ ଚୋରୀ ମାଫିଆ ନୁହନ୍ତି ଠକ ହୋଇପାରନ୍ତି । କାରଣ ବହୁ କୋଟି ଟଙ୍କାର ଲୋଭ ଦେଖାଇଲେ ଆର୍ଥିକ ସମସ୍ୟାରେ ପଡିଥିବା ବ୍ୟକ୍ତି ବିଶେଷ ତାଙ୍କ ଜାଲରେ ଫସିଯିବେ । ସେମାନେ ପ୍ରାଥମିକ ଭାବେ ଯେତିକି ଟଙ୍କା ମାଗୁଛନ୍ତି ତାହା ଲୁଟ୍ କରିବା ସେମାନଙ୍କ ଉଦେ୍ଦଶ୍ୟ ହୋଇପାରେ ବୋଲି ମତ ଦେଉଛନ୍ତି ବିଶେଷଜ୍ଞ । ଅଙ୍ଗ ପତ୍ୟେଙ୍ଗ ବିକ୍ରୀ ବଟା ହୁଏ ନାହିଁ । ତାହାକୁ ଦାନ କରିବାପାଇଁ ବିଭିନ୍ନ ନିୟମ କାନୁନ୍ ରହିଛି । ତେଣୁ ଟଙ୍କା ଠକିବାପଇଁ ହୁଏତ ଏହା ଠକଙ୍କର ଅଭିନବ କୌଶଳ ହୋଇଥାଇପାରେ । ଯେଉଁ ମହର୍ଷି ବାଲ୍ମିକୀ ହସ୍ପିଟାଲର ଠିକଣା ସେମାନେ ଦେଇଛନ୍ତି ତାହାକୁ ଯାଞ୍ଚ କରାଯିବା ସହ ଆକାଉଣ୍ଟ ନମ୍ବର ଓ ଅନ୍ୟାନ୍ୟ ଦିଗକୁ ଆଧାରକରି ତଦନ୍ତ କରାଗଲେ ସୋସିଆଲ୍ ମିଡିଆରେ ସଜାଗ ହୋଇଥିବା ଏହିପରି ର୍ୟାକେଟର ସଠିକ୍ ତଥ୍ୟ ମିଳିପାରିବ ବୋଲି ମତ ପ୍ରକାଶ ପାଉଛି । କରୋନା ସମୟରେ କେବଳ ଓଡିଶା ନୁହେଁ ଦେଶ ତଥା ପୃଥିବୀ ବିଭିନ୍ନ ଅଞ୍ଚଳରେ ମଧ୍ୟ ସାଇବର ଠକ ସକ୍ରିୟ ହୋଇ ସୋସିଆଲ୍ ଜରିଅରାରେ ଲୁଟ୍ପାଟ୍ ଚଳାଇଛନ୍ତି । ତେଣୁ ଏଥିପ୍ରତି ସର୍ତ୍ତକ ରହିବାକୁ ପୋଲିସ ଓ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି ।

Leave A Reply