ଖୋର୍ଦ୍ଧା,୨୯ା୪ : କରୋନା ଭୁତାଣୁ ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଥିବାବେଳେ ଆମ ଦେଶ ଓ ରାଜ୍ୟ ସେଥିରୁ ବାଦ ପଡିନି । କରୋନା ସଂକ୍ରମଣକୁ ରୋକିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ମାର୍ଚ୍ଚ ୨୨ତାରିଖରୁ ଲକଡାଉନ ଘୋଷଣା କରିଛନ୍ତି । ଏଭଳି ପରିସ୍ଥ୍ିତିରେ ଖୋର୍ଦ୍ଧା ଜିଲ୍ଲାପୁଲିସ ପକ୍ଷରୁ ବିଭିନ୍ନ ଗ୍ରାମରେ ଲୋକମାନଙ୍କୁ ସଚେତନତା କରାଯିବା ସହିତ ସୁଖିଲା ଏବଂ ରନ୍ଧା ଖାଦ୍ୟ ଓ ମାସ୍କ ବଂଟନ କରାଯାଇଛି । କରୋନା ଯୋଦ୍ଦା ସାଜିଥିବା ପୁଲିସ ବାହିନୀ ଆଜି ଖୋର୍ଦ୍ଧା ଆଦର୍ଶଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ରେ ଲୋକମାନଙ୍କୁ ରନ୍ଧାଖାଦ୍ୟ, ପାଣିବୋତଲ ଓ ଗାମୁଛା ବାଂଟିଥିଲେ ।
ସେହିପରି ସଦରଥାନା ଅନ୍ତର୍ଗତ ବାଜପୁର, ଡିହପୁର ଓ ଜଙ୍କିଆ ଥାନା ଅନ୍ତର୍ଗତ ଚନ୍ଦ୍ରମାପାଟପୁର ଗ୍ରାମର ଦ୍ୱାର ଦ୍ୱାର ବୁଲି ଲୋକମାନଙ୍କୁ ବାହାରୁ ଘରକୁ ଗଲେ ହାତକୁ ସାବୁନରେ ଭଲଭାବେ ସଫା କରିବା, ସବୁ ସ୍ଥାନରେ ସାମାଜିକ ଦୂରତ୍ୱ ରକ୍ଷା କରିବା, ଶରୀର ଅସୁସ୍ଥ ଲାଗିଲେ ତୁରନ୍ତ ଡ଼ାକ୍ତରଙ୍କ ଦ୍ୱାରା ପରୀକ୍ଷା କରିବା ଭଳି ବିଭିନ୍ନ ପରାମର୍ଶ ପ୍ରଦାନ କରିବା ସହିତ ମାସ୍କ, ସାବୁନ, ସୁଖିଲା ଖାଦ୍ୟ ଓ ପାଣି ବୋତଲ ବଂଟନ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ଏସପି ଅଜେୟ ପ୍ରତାପ ସ୍ୱାଇଁଙ୍କ ସମେତ ଆଡ଼ିସିନାଲ ଏସପି କୃତିବାସ ଜେନା, ଡିଏସପି ଶତୀଷ ପାଢୀ, ସୁନିଲ ମହାନ୍ତି ଓ ଓମପ୍ରକାଶ ପାତ୍ର, ଏସଡିପିଓ ସୁଶିଲ କୁମାର ମିଶ୍ର, ଆଦର୍ଶଥାନା ଅଧିକାରୀ ଉମାଶଙ୍କର ସିଂ, ସଦରଥାନା ଅଧିକାରୀ ଅନିତା ସାହୁ, ଜଙ୍କିଆ ଥାନା ଅଧିକାରୀ ସତ୍ୟବ୍ରତ ଲେଙ୍କା ପ୍ରମୁଖ ପୁଲିସ କର୍ମଚାରୀମାନେ ସାମିଲ ହୋଇଥିଲେ । ତେବେ ଗାଁ ଗାଁ ବୁଲି ଲୋକଙ୍କୁ ଯେଉଁ ଉପାୟରେ ପୁଲିସ ସଚେତନ କରୁଛି ତାହାକୁ ସ୍ଥାନୀୟ ଅଂଚଳରେ ପ୍ରଶଂସା କରାଯାଇଛି ।