Odisha news

ସୁନାବେଶ ଓ ଅଧରପଣା ପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ  ସ୍ୱତନ୍ତ୍ର ଟ୍ରେନ

0
ଭୁବନେଶ୍ୱର, ଜୁଲାଇ ୨୪, ୨୦୨୬ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା-୨୦୨୬ ଅବସରରେ ଶ୍ରଦ୍ଧାଳୁମାନଙ୍କ ପାଇଁ ଆରାମଦାୟକ ଓ ନିର୍ବିଘ୍ନ ଯାତ୍ରା ସୁନିଶ୍ଚିତ କରିବା ସହ ବର୍ଦ୍ଧିତ ଯାତ୍ରୀ ଭିଡ଼କୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଓଡ଼ିଶାର ବିଭିନ୍ନ ସ୍ଥାନ ସମେତ ପଡ଼ୋଶୀ ରାଜ୍ୟଗୁଡ଼ିକରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଉଛି।

ପୁରୀକୁ ଏବଂ ପୁରୀରୁ ଚଳାଚଳ କରୁଥିବା ନିୟମିତ ଟ୍ରେନ ସେବା ବ୍ୟତୀତ, ସୁନାବେଶ ଓ ଅଧରପଣା ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଯାତାୟାତକୁ ସୁଗମ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଅନେକ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ଉତ୍ସବ ସମୟରେ ପୁରୀ ଆସୁଥିବା ଶ୍ରଦ୍ଧାଳୁଙ୍କୁ ସୁବିଧାଜନକ ରେଳ ସଂଯୋଗ ପ୍ରଦାନ କରିବା ପାଇଁ ଓଡ଼ିଶାର ପ୍ରାୟ ସମସ୍ତ ଅଞ୍ଚଳକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଟ୍ରେନ ସେବାର ଯୋଜନା କରାଯାଇଛି।

ସୁନାବେଶ ଅବସରରେ ପାରାଦୀପ, ଅନୁଗୁଳ, ଭଦ୍ରକ, ତାଳଚେର, କେନ୍ଦ୍ରାପଡ଼ା ରୋଡ, ଢେଙ୍କାନାଳ, ବାଲେଶ୍ୱର, ବ୍ରହ୍ମପୁର, କେନ୍ଦୁଝରଗଡ଼,  ଖୋର୍ଦ୍ଧା ରୋଡ ଏବଂ ଦଶପଲ୍ଲାରୁ ପୁରୀ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ।

ସେହିପରି, ପୁରୀରୁ ତାଳଚେର, ବାଦାମପାହାଡ଼, ଢେଙ୍କାନାଳ, ବାଙ୍ଗିରିପୋଷି, ରାୟଗଡ଼ା, ଭଦ୍ରକ, ଅନୁଗୁଳ, ଗୁଣୁପୁର, ରାଉରକେଲା, ଦଶପଲ୍ଲା, ସମ୍ବଲପୁର, ପଲାସା, ବିଶାଖାପାଟଣା ଏବଂ ଶାଲିମାର ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ।

ଅଧରପଣା ଅବସରରେ ଅତିରିକ୍ତ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି, ପୂର୍ବତଟ ରେଳପଥ ପକ୍ଷରୁ ବ୍ରହ୍ମପୁର, ଦଶପଲ୍ଲା, ଅନୁଗୁଳ, କେନ୍ଦୁଝରଗଡ଼, ପାରାଦୀପ, ଭଦ୍ରକ ଏବଂ ଖୋର୍ଦ୍ଧା ରୋଡ୍‌ରୁ ପୁରୀ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯିବ। ସେହିପରି  ପୁରୀରୁ ତାଳଚେର, ଢେଙ୍କାନାଳ, ବାଙ୍ଗିରିପୋଷି, ଭଦ୍ରକ, ଅନୁଗୁଳ, ଦଶପଲ୍ଲା, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, କେନ୍ଦୁଝରଗଡ଼ ଏବଂ ପାରାଦୀପ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ।

ଶ୍ରଦ୍ଧାଳୁ ଓ ତୀର୍ଥଯାତ୍ରୀମାନଙ୍କ ନିର୍ବିଘ୍ନ ଯାତ୍ରା ସୁନିଶ୍ଚିତ କରିବା ପାଇଁ ରେଳ ମନ୍ତ୍ରଣାଳୟ ଏବଂ ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଯାତ୍ରୀମାନଙ୍କ ସମସ୍ୟାର ସମାଧାନ ଏବଂ ଟ୍ରେନ ଚଳାଚଳକୁ ସୁଚାରୁ ରୂପେ ତଦାରଖ କରିବା ପାଇଁ ୨୪×୭ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରାଯାଇଛି। ଏଥିସହ ଅତିରିକ୍ତ ଟିକେଟ ବୁକିଂ ଓ ମୋବାଇଲ୍ ଟିକେଟ କାଉଣ୍ଟର, ଟ୍ରେନ ଅନୁସନ୍ଧାନ ଓ ସୂଚନା କେନ୍ଦ୍ର, ନିରନ୍ତର ସାର୍ବଜନୀନ ଘୋଷଣା, ଭିଡ଼ ପରିଚାଳନା ବ୍ୟବସ୍ଥା, ଭିଡିଓ ୱାଲ୍ ଡିସପ୍ଲେ, ମୋବାଇଲ୍‌ରେ UTS ସୁବିଧା, ତୀର୍ଥଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷା ସ୍ଥଳ, ବର୍ଦ୍ଧିତ ସୁରକ୍ଷା ବ୍ୟବସ୍ଥା, ଖାଦ୍ୟପେୟ ସେବା, ଆମ୍ବୁଲାନ୍ସ ସହ ଚିକିତ୍ସା ସହାୟତା, ନିରବଚ୍ଛିନ୍ନ ବିଦ୍ୟୁତ୍ ଓ ଜଳ ଯୋଗାଣ, ପରିଷ୍କାର ପରିଚ୍ଛନ୍ନତା, ପାନୀୟ ଜଳ ଏବଂ ପର୍ଯ୍ୟାପ୍ତ ଶୌଚାଳୟ ସୁବିଧା ଉପଲବ୍ଧ କରାଯାଇଛି।

ରଥଯାତ୍ରା ଉତ୍ସବ ସମୟରେ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ନିରାପଦ, ସୁରକ୍ଷିତ ଓ ଆରାମଦାୟକ ରେଳଯାତ୍ରା ସୁନିଶ୍ଚିତ କରିବା ପାଇଁ ପୂର୍ବତଟ ରେଳପଥ ପ୍ରତିବଦ୍ଧ।

Nalco
Leave A Reply