ଖୋର୍ଦ୍ଧା : ଖୋର୍ଦ୍ଧା ଟାଉନଥାନା ଅନ୍ତର୍ଗତ ବାଟମଙ୍ଗଳା ହାଉସିଂବୋର୍ଡଠାରେ ରହୁଥିବା ସମ୍ବିତ କୁମାର ଖୁଁଟିଆଙ୍କ ଘରେ ପଶି କିଛି ଯୁବକ ଆକ୍ରମଣ କରିବା ସହ ହତ୍ୟାଧମକ ଦେଇଥିଲେ । ଏନେଇ ସମ୍ବିତ ଗତ ୨୪ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ପୁଲିସ କେବଳ ଏକ ମାମଲା ରୁଜୁ କରିଥିବା ଜଣାଯାଇଛି ।
ଘଟଣାରୁ ପ୍ରକାଶ, ଗତ ୨୩ତାରିଖ ଦିନ ସମ୍ବିତ କୌଣସି କାମରେ ବାହାରକୁ ଯାଇଥିଲେ । ରାତି ପ୍ରାୟ ୧୦ଟା ସମୟରେ ଓଡି.୦୨.ବିବି-୮୮୮୮ ଏବଂ ଓଡି.୦୨.ଏଓ -୧୫୫୫ ନମ୍ବର ବିଶିଷ୍ଟ ଦୁଇଟି ଚାରିଚକିଆ ଗାଡିରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବିଜେପି ନଗର(ପ୍ଲଟନଂ-୩୧/ଏ) ର ମଙ୍ଗୁଳି ପାତ୍ର(୪୪) ସାଙ୍ଗରେ ୧୫ଜଣ ସହଯୋଗୀଙ୍କୁ ଧରି ସମ୍ବିତ ଘରେ ପହଁଚିଥିଲା । ସେମାନେ ହାତରେ ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଧରି ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିବା ସହିତ ବିଭିନ୍ନ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ।
ଏପରିକି ଦୁବୃର୍ତମାନେ ତାଙ୍କ ବୃଦ୍ଧ ବାପା ଓ ମାଆଙ୍କ ସମେତ ପତ୍ନୀ ଏବଂ ଦୁଇ ଛୋଟ ଝିଅଙ୍କୁ ବନ୍ଧୁକରେ ଗୁଳିକରି ମାରିଦେବାକୁ କହିଥିବାବେଳେ ଘରକୁ ବମିଂ କରି ଉଡାଇଦେବାକୁ ଧମକ ଦେଇଥିଲେ । ତେବେ ଘରମଧ୍ୟରୁ ପିଲାଙ୍କ କାନ୍ଦବୋବାଳି ଶୁଣି ପଡିଶାଲୋକ ଧାଇଁ ଆସିବାରୁ ଦୁବୃର୍ତମାନେ ସେଠାରୁ ପଳାଇଥିଲେ । ଏନେଇ ସମ୍ବିତ ଥାନାରେ ଏକ ଲିଖିତ ଅଭିଯୋଗ ୨୪ ରେ କରିଥିଲେ । ପୁଲିସ ଏହି ଘଟଣାରେ ୨୯୨/୨୦୨୦ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିବା କହିଛି । ତେବେ କେଉଁକାରଣରୁ ମଙ୍ଗୁଳି ଏବଂ ତାଙ୍କ ସହଯୋଗୀମାନେ ସମ୍ବିତଙ୍କ ଘରେ ପଶି ଏଭଳି କାଣ୍ଡଭିଆଇଲେ ତାହାର କାରଣ ଜଣାପଡିନଥିବାବେଳେ ପୁଲିସ କାରଣ ଖୋଜୁଥିବା ପ୍ରକାଶ କରିଛି ।