ଖୋର୍ଦ୍ଧା,: ରାଜ୍ୟରେ ମାଡିଚାଲିଛି କରୋନା । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଗଞ୍ଜାମ ରେ ସ୍ଥିତି ସୁଧୁରୁଥିବାବେଳେ ଏବେ କିନ୍ତୁ ଖୋର୍ଦ୍ଧା ଜିଲାରେ ସ୍ଥିତି ସଙ୍ଗିନ ଆଡକୁ ଗତି କରୁଛି । ରବିବାର ଦିନ ଗଞ୍ଜାମ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨ ରହିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ (ଭୁବନେଶ୍ୱର କୁ ମିଶାଇ) ୬୦୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାଯାଇଛି । ତେବେ କରୋନା ଆକ୍ରାନ୍ତଙ୍କ ଲିଷ୍ଟରେ ଗଞ୍ଜାମକୁ ଟପି ସର୍ବାଗ୍ର ରେ ରହିଛି ଖୋର୍ଦ୍ଧା ଜିଲା ।
ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଗତ କିଛି ଦିନ ଧରି ଖୋର୍ଦ୍ଧା ରାଜଧାନୀ ସମେତ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିଛି । ଦିନକୁ ଦିନ ରେକେର୍ଡ ସଂଖ୍ୟକ ଆକ୍ରାନ୍ତ ବୃଦ୍ଧି ପାଉଥିବା ନଜରକୁ ଆସିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖି ଲୋକଙ୍କ ମଧ୍ୟରେ ଛନକା ପସିଲାଣି ।
ଜରୁରୀ କାମ ନଥିଲେ କେହି ବାହାରକୁ ଆସିବାକୁ ଅମଙ୍ଗ ହେଉଥିବା ଦେଖିବାକୁ ମିଳିଛି । କରୋନା ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଜିଲା ପ୍ରଶାସନକୁ ଅଡୁଆରେ ପକାଇଛି । କିପରି ଏହି ସଂକ୍ରମଣକୁ ରୋକାଯିବ ତାହାକୁ ନେଇ ପ୍ରଶାସନ ଦିନ ରାତି ଅଙ୍କ କଷିବାରେ ଲାଗିଛି । ଆଜି ଗୋଟିଏ ଦିନରେ ଖୋର୍ଦ୍ଧା ଜିଲାରେ (ବିଏମସିକୁ ବାଦ ଦେଇ)ସର୍ବମୋଟ ୧୫୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରେ ବାଣପୁରରେ ୧୦, ବାଲୁଗାଁରେ ୦୯, ଟାଙ୍ଗିରେ ୧୬, ଖୋର୍ଦ୍ଧା ରୁ ୨୨, ବେଗୁନିଆରେ ୦୬, ବୋଲଗଡରେ ୧୩, ଜଟଣୀରେ ୧୩, ମେଣ୍ଡାଶାଳରେ ୩,ବାଲକାଟିରେ ୯, ବାଲିପାଟଣାରେ ୨୫ଏବଂ ଡିଏଚଏଚ(ଖୋର୍ଦ୍ଧା) ରୁ ୧୨ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।