ଖୋର୍ଦ୍ଧା : ସୋମବାର ଖୋର୍ଦ୍ଧା ସହରରେ କରୋନା ମହାମାରୀ ପାଇଁ ୭ଦିନ ଧରି ସଟ୍ଡ଼ାଉନ କରାଯିବ ବୋଲି ପ୍ରଚାର ଜୋର ଧରିଥିଲା । ଏ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ସହ ଦ୍ୱନ୍ଦରେ ପଡ଼ିଥିଲେ ସାଧାରଣ ଜନତା । ତେବେ ଏହା ଏକ ଗୁଜବ ପ୍ରଚାର ବୋଲି ଖୋରଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ସୂଚାନ ଦେଇଥିଲେ । ପୂର୍ବ ଭଳି ଜୁଲାଇ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ନିୟମ ପାଳନ କରାଯିବ ବୋଲି ସାମ୍ବାଦିକଙ୍କ ଦୃଷ୍ଟି ଆକର୍ଷଣରେ ଜିଲ୍ଲାପାଳ ସୂଚନା ଦେଇଥିଲେ । ପ୍ରତି ଶନିବାର ରବିବାର ସପ୍ତାହନ୍ତ ସଟ୍ଡ଼ାଉନ ପୂର୍ବ ପରି ୭ ଠାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଅନ୍ୟ ପଟେ ମାର୍ଚ୍ଚ ମାସ ଠାରୁ ମେ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଲୋକମାନେ ନିୟମକୁ କଡ଼ାକଡ଼ି ପାଳନ କରୁଥିଲେ । ତେବେ ଖୋରଧା ଉପକଣ୍ଠରୁ ବ୍ୟାରିକେଟ୍ ଉଠିଯିବା ପରେ ସାଧାରଣ ଲୋକେ କୋହଳ ମନଭାବ ଅବଲମ୍ବନ କଲେ ।
ଏହାକୁ ଦୃଷ୍ଟିରେ ରଖି ଜୁଲାଇ ଓ ଅଗଷ୍ଟ ମାସ ଏକ ସମ୍ବଦନଶୀଳ ହୋଇଥିବାରୁ ସହର ଏବଂ ଖୋରଧା ଉପକଣ୍ଠର ପ୍ରମୁଖ ସ୍ଥାନରେ ଆଜି ଠାରୁ ବ୍ୟାରିକେଟ କରାଯିବା ସହ ପୋଲିସ ଦ୍ୱାରା ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ରାଉତ ସୂଚନା ଦେଇଥିଲେ । ଅନ୍ୟପଟେ ମାକ୍ସ ବ୍ୟବହାର କରୁ ନଥିବା ବ୍ୟକ୍ତି, ସଟ୍ ଡ଼ାଉନ ସମୟରେ ଏବଂ ଧାର୍ଯ୍ୟ ସମୟ ପରେ ବ୍ୟବସାୟ ପ୍ରତିଷ୍ଠାନ ଖୋଲିଥିବା ବ୍ୟବସାୟୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କ ଠାରୁ ମୋଟା ଅଙ୍କରେ ଫାଇନ ଆଦାୟ କରାଯିବ ବୋଲି ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ କହିଥିବା ବେଳେ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ବିନା କାରଣରେ ବାହାରେ ନ ବୁଲିବା ଓ ଘରେ ରହି ସୁରକ୍ଷିତ ରହିବା ପାଇଁ ସାଧାରଣ ଲୋକଙ୍କୁ ଅନୁରୋଧ କରିଥିଲେ ।