Odisha news

ଶଳାଙ୍କୁ ଭିଣୋଇର ମରଣାନ୍ତକ ଆକ୍ରମଣ

0

ଭୁବନେଶ୍ୱର,(ନି.ପ୍ର): ଘରୋଇ କଳହକୁ କେନ୍ଦ୍ର କରି ଭିଣୋଇକୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ରବିବାର ଶଳାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଭିଣୋଇ ହେଲେ ଖୋର୍ଦ୍ଧା ମକୁନ୍ଦପ୍ରସାଦର କାଳୁ ବାରିକ(୩୨) । ସେ ଏଠାରେ ସ୍ଥାନୀୟ ଫୁଲେଶ୍ୱରୀ ବସ୍ତିରେ ରୁହନ୍ତି । ତାଙ୍କ ଜାମିନ୍ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

କାଳୁ ଏଠାରେ ବସ୍ତିରେ ରହିବା ସହ ଖଣ୍ଡଗିରି ଅଞ୍ଚଳରେ ଏକ ସେଲୁନ୍ କରି ପରିବାର ପୋଷଣ କରୁଥିଲେ । ହେଲେ ତାଙ୍କ ପତ୍ନୀଙ୍କ ସହ ତାଙ୍କର ଦୀର୍ଘଦିନ ହେବ ପାରିବାରିକ କଳହ ଲାଗିରହିଥିଲା । ତେଣୁ ଗତ କିଛିଦିନ ତଳେ କାଳୁ ତାଙ୍କ ପତ୍ନୀଙ୍କୁ ଘରୁ ବାହାର କରିଦେଇଥିଲେ । ସେ ତାଙ୍କ ବାପଘରେ ଯାଇ ରହିଥିଲେ । ତେବେ ତାଙ୍କ ଭାଇ ନିରଞ୍ଜନ ବୁଝାସୁଝା କରି ଭଉଣୀ ଓ ଭିଣୋଇଙ୍କୁ ମିଶାଇବା ପାଇଁ ଶନିବାର କାଳୁଙ୍କ ଘରକୁ ଆସିଥିଲେ ।

ପୂର୍ବ ଝଗଡା ଭୁଲି ନିଜ ସ୍ତ୍ରୀଙ୍କୁ ଘରକୁ ନେଇଆସ ବୋଲି ନିରଞ୍ଜନ କାଳୁଙ୍କୁ କହିଥିଲେ । ତେବେ କାଳୁ ନିରଞ୍ଜନଙ୍କ କଥା ନଶୁଣି ତାଙ୍କୁ ମଧ୍ୟ ଅଶ୍ଲୀଳ ଭାଷାରେ ଗାଲିଗୁଲଜ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ କାଳୁ ଏକ ଭଙ୍ଗା କାଚ ଗ୍ଲାସ୍ରେ ନିରଞ୍ଜନଙ୍କୁ ଆକ୍ରମଣ କରିଥିଲେ । ଫଳରେ ନିରଞ୍ଜନଙ୍କ ବେକ ଓ କହୁଣୀରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଏ ନେଇ ନିରଞ୍ଜନ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାର ତଦନ୍ତ କରି ରବିବାର ଅଭିଯୁକ୍ତ କାଳୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply