ଖଲ୍ଲିକୋଟ : ଆଜିର ଦିନରେ ଏମିତି ଅନେକ ଗାଁ ଅଛି, ଯେଉଁଠି ପ୍ରାଥମିକ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ରହିଛି। ଯାତାୟତ ପାଇଁ ପକ୍କା ରାସ୍ତାଟିଏ ନାହିଁ। ସ୍ବାଧୀନତାର ୭୪ ବର୍ଷପରେ ମଧ୍ୟ ସେମାନେ ଅବହେଳିତ। ଏମିତି ଏକ ଗାଁ ହେଉଛି ଖଲିକୋଟ ବ୍ଳକ ଅନ୍ତର୍ଗତ ତାଳପଡା ପଞ୍ଚାୟତର ଆମ୍ବଝର ନୂଆଁପଲ୍ଲୀ ଗ୍ରାମ ନିକଟରେ ଥିବା ମାଟିଆ ସାହି। ଗାଁରେ ମୋଟ ୯୦ ପରିବାର ର ଦୁଇ ଶହରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି। ଗାଁକୁ ପକ୍କା ରାସ୍ତାଟିଏ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକମାନେ।
କୌଣସି ବ୍ୟକ୍ତିର ସ୍ବାସ୍ଥ୍ୟ ଗତ ସମସ୍ୟା ହେଲେ ଆମ୍ବୁଲାନ୍ସ କିମ୍ବା ଅଟୋରିକ୍ସା ମଧ୍ୟ ଗାଁକୁ ଆସିବା ଅସମ୍ଭବ। ବର୍ଷା ଦିନେ ମାଟି ରାସ୍ତାରେ ଆଣ୍ଠୁଏ କାଦୁଅ ହେବା ଯୋଗୁଁ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଯାଇ ପାରୁ ନାହାଁନ୍ତି।ଗାଁ ରେ ପାନୀୟ ଜଳର କୌଣସି ସୁବିଧା ନାହିଁ ।ଲୋକମାନେ ପୋଖରୀ ରୁ ପାଣି ଆଣି ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି । ବାରମ୍ବାର ପ୍ରଶାସନ ଓ ଲୋକ ପ୍ରତିନିଧି ମାନଙ୍କୁ ଜଣାଇବା ପରେ ମଧ୍ୟ ଫଳାଫଳ ଶୁନ। ଏନେଇ ଆମେ ଖଲିକୋଟ ବିଡିଓ ଙ୍କ ସହ ଯୋଗାଯୋଗ କରିବାରୁ , ଏହି ରାସ୍ତା ପାଇଁ ପାଣ୍ଠି ରହିଥିବା କହିବା ସହ ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେପଟେ ରାସ୍ତା କାମ ନହେଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଗ୍ରାମବାସୀ ଚେତାବନି ଦେଇଛନ୍ତି ।