Odisha news

ବୃଦ୍ଧ ବାପା ମାଙ୍କ ମୁଣ୍ଡରେ ଦୁଇ ଭିନ୍ନକ୍ଷମ ଝିଅଙ୍କ ଚିନ୍ତା : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

0

ଖଇରା,01/09: ବୟସର ଅପରାହ୍ନରେ ପାଦ ଥାପି ସାରିଲେଣି ଉଭୟ ବାପା ଓ ମା। ଏଭଳି ସମୟରେ ବୃଦ୍ଧ ବାପା ଓ ମାଙ୍କ ମୁଣ୍ଡରେ ଲଦି ହୋଇଯାଇଛି ଦୁଇ ଭିନ୍ନକ୍ଷମ ଝିଅଙ୍କ ଚିନ୍ତା। ବଡ଼ଝିଅ ବେକରେ ଏକ ଆବୁ ହୋଇ ତାହା ଟ୍ବ୍ୟୁମୋର ହୋଇଯାଇଥିବା ବେଳେ ସାନ ଝିଅ ଜନ୍ମରୁ କଥା କହି ପାରୁ ନାହିଁ। ଏଭଳି ପରିସ୍ଥିତିରେ ଦୁଇଝିଅଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖଇରା ବ୍ଲକ ବଡଜୟପୁର ପଞ୍ଚାୟତ ଅଧିନ ଜୟପୁର ଗ୍ରାମରେ। ଉକ୍ତ ଗ୍ରାମର ଲକ୍ଷ୍ମଣ ମହାନ୍ତିଙ୍କର ଝିଅ ବାସନ୍ତୀ ମହାନ୍ତିଙ୍କ ବେକରେ ଦୀର୍ଘ ଦିନ ହେବ ଏକ ଆବୁ ବାହାରିଥିଲା। ଯାହା ଏବେ ଟ୍ବ୍ୟୁମୋର ହୋଇଯାଇଥିବାବେଳେ ଭଲରେ ଗଣ୍ଡେ ଖାଇବା ପିଇବା କରି ପାରୁ ନାହାନ୍ତି ବାସନ୍ତୀ। ଏହାଛଡା ଟ୍ବ୍ୟୁମୋର ଯନ୍ତ୍ରଣାରେ ଛଟପଟ ହୋଇ ବହୁ କଷ୍ଟ ମଧ୍ୟ ପାଉଛନ୍ତି।

ପରିବାର ଲୋକେ ବାସନ୍ତୀଙ୍କୁ ଡାକ୍ତର ଦେଖାଇବା ପରେ ସେହି ଟ୍ବ୍ୟୁମୋରଟିକୁ ଅପରେସନ କରାଯିବା ସହିତ ଅପରେସନ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଛନ୍ତି। ହେଲେ ବାପା ଲକ୍ଷ୍ମଣ ଓ ମା ଅନ୍ନପୂର୍ଣ୍ଣାଙ୍କ ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ଝିଅର ଅପରେସନ କରିପାରୁ ନଥିବାବେଳେ ଝିଅର ବେକରେ ବାହାରିଥିବା ସେହି ଆବୁଟି ଦିନକୁ ଦିନ ବଢ଼ିବାରେ ଲାଗିଛି। ଫଳରେ ବାସନ୍ତୀ ବହୁ କଷ୍ଟରେ ଯନ୍ତ୍ରଣାସକ୍ତ ଜୀବନ ବିତାଉଛନ୍ତି। ଅର୍ଥ ଅଭାବରୁ ଟ୍ବ୍ୟୁମୋର ରୋଗରେ ଆକ୍ରାନ୍ତ ଥିବା ଝିଅ ବାସନ୍ତୀର ଚିକିତ୍ସା କରି ନପାରି ବୃଦ୍ଧ ବାପା ମା ଦୁଇଜଣ ଚିନ୍ତାରେ ରହୁଥିବା ବେଳେ ଲକ୍ଷ୍ମଣଙ୍କ ଆଉ ଏକ ଝିଅ କୌଶଲ୍ୟା ମାହାନ୍ତି ଜନ୍ମରୁ କଥା କହି ପାରୁ ନାହିଁ। ଯାହା ଉଭୟ ବାପା ଓ ମାଙ୍କ ପାଇଁ ବୁଝ ଉପରେ ନଳିତା ବିଡା ସଦୃଶ ହୋଇପଡିଛି ।

ଝିଅ କୌଶଲ୍ୟା ମୁକ ହୋଇଥିବାରୁ ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମ ଭତ୍ତା ପାଉଛନ୍ତି। ହେଲେ ଟ୍ବ୍ୟୁମୋର ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ଦାୟକ ଜୀବନ ବିତାଉଥିବା ବାସନ୍ତୀଙ୍କୁ ଏହି ରୋଗରୁ ମୁକ୍ତି କରିବା ପାଇଁ ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି ବୃଦ୍ଧ ବାପା ଓ ମା। ଏହାଛଡା ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ ପକ୍କା ଘର ଖଣ୍ଡିଏ ମିଳିନଥିବାରୁ ବହୁ କଷ୍ଟରେ ଚାଳ ଛପର ଘରେ ଜୀବନ ଅତିବାହିତ କରୁଛନ୍ତି ପରିବାର ଲୋକେ। ଲକ୍ଷ୍ମଣ ମହାନ୍ତିଙ୍କ ଘରର ପରିସ୍ଥିତି  ଭଲ ନଥିବା ଯୋଗୁଁ ଝିଅର ଚିକିତ୍ସା ପାଇଁ  ଅର୍ଥ ସାଜିଛି ବାଧକ। ଏଭଳି ପରିସ୍ଥିତିରେ ସରକାରଙ୍କ ପକ୍ଷରୁ ଲକ୍ଷ୍ମଣଙ୍କ ପରିବାରକୁ କିଛି ସହାୟତା ଯୋଗାଇ ଦିଆଗଲେ ଝିଅ ବାସନ୍ତିର ଚିକିତ୍ସା କରାଇ ପାରନ୍ତେ ବୋଲି ସ୍ଥାନୀୟ ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି।

Leave A Reply