ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ରଟିଣା ଗ୍ରାମପଞ୍ଚାୟତ ଅଧୀନ ତୁମ୍ବାପଦୀ ଗ୍ରାମରେ ନିର୍ମାଣଧୀନ ରାସ୍ତାକାର୍ଯ୍ୟ ନିମ୍ନମାନର କରାଯିବା ଅଭିଯୋଗରେ ଶତାଧିକ ଗ୍ରାମବାସୀ ରାସ୍ତା କାମକୁ ବନ୍ଦ ରଖିଛନ୍ତି । ଏଥିରେ ବ୍ୟବହୃତ ନିମ୍ନମାନର କଞ୍ଚାମାଲକୁ ବଦଳା ନଯିବା ପର୍ଯ୍ୟନ୍ତ ରାସ୍ତାକାମ କରିବାକୁ ଦିଆଯିବ ନାହିଁ ବୋଲି ଗ୍ରାମର ଶାନ୍ତିଲତା ଦାସ,ପୂର୍ଣ୍ଣଚନ୍ଦ୍ର ଦାସ,ହରେକୃଷ୍ଣ ଦାସ,କୁନ୍ତଳା ଦାସ,ରମେଶ ଦାସ,ମହେଶ୍ୱର ଦାସ,ଅନନ୍ତ ଦାସ,ଭଗବାନ ଦାସ,ବିକାଶ ଦାସ ପ୍ରମୁଖ ଚେତାବନୀ ଦେଇଛନ୍ତି । ଗ୍ରାମବାସୀମାନଙ୍କ ଅଭିଯୋଗ ଅନୁଯାୟୀ ଗ୍ରାମର ଅଙ୍ଗନୱାଡି କେନ୍ଦ୍ରକୁ ସଂଯୋଗୀକରଣ ରାସ୍ତା ପାଇଁ ୧ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହି ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ବ୍ୟକ୍ତି ରାସ୍ତା ନିର୍ମାଣରେ ନିମ୍ନମାନର କଞ୍ଚାମାଲ ବ୍ୟବହାର କରିବା ପରେ ଗତ ୧ତାରିଖରେ ପ୍ରଥମେ ଗ୍ରାମବାସୀ ବିରୋଧ କରିଥିଲେ ।
ଏଥିରେ ସରପଞ୍ଚଙ୍କ ସମେତ ତାଙ୍କର କିଛି ସମର୍ଥକ ବିରୋଧ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ୩ଜଣଙ୍କ ନାମରେ ଥାନାରେ ଏତଲା ଦେଇଥିଲେ । ପରେ ୩ତାରିଖ ଦିନ ଉଭୟ ପକ୍ଷର ସମାଧାନ କ୍ରମେ ନିର୍ମାଣ ଦାୟିତ୍ୱରେ ଥିବା ବ୍ୟକ୍ତି ଏଷ୍ଟିମେଟ ଅନୁଯାୟୀ କାମ କରିବାକୁ ପ୍ରତିଶୃତି ଦେଇଥିଲେ । ହେଲେ ରାସ୍ତା ନିର୍ମାଣ କରୁଥିବା ବ୍ୟକ୍ତି ପୁନଶ୍ଚ ମଙ୍ଗଳବାର ନିମ୍ନମାନର ମେଟାଲ ଓ ବାଲି ବ୍ୟବହୃତ କରିବା ଦେଖି ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ବନ୍ଦ କରିଥିଲେ । ଏହାକୁ ନେଇ ନିର୍ମାଣକାରୀ ଗୋଷ୍ଠୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଯୁକ୍ତିତର୍କ ହୋଇଥିଲା । ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀ ବିଜୟଲକ୍ଷ୍ମୀ ଟୁଡୁଙ୍କୁ ସମ୍ପର୍କ କରାଯିବାରେ କଞ୍ଚାମାଲ ବଦଳାଇବାକୁ ନିଦେ୍ର୍ଦଶ ଦିଆଯାଇଛି । କନିଷ୍ଠ ଯନ୍ତ୍ରୀଙ୍କୁ ପଠାଇ ଏହାର ତଦାରଖ କରାଯିବ ବୋଲି କହିଛନ୍ତି । ସରପଞ୍ଚ ସତ୍ୟାନନ୍ଦ ଦାସଙ୍କୁ ପଚରାଯିବାରେ କନିଷ୍ଠ ଯନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରାଯାଉଛି ବୋଲି କହିଛନ୍ତି ।