Odisha news

 ସରକାରଙ୍କ ବିଭିନ୍ନ ବିକାଶମୁଖୀ ଯୋଜନାର ସଫଳ ରୂପାୟନ ପାଇଁ ନିଷ୍ଠାର ସହ କାର୍ଯ୍ୟ କରନ୍ତୁ : ରାଜ୍ୟପାଳ                       

0

କେନ୍ଦୁଝର :  ବିକଶିତ ଭାରତ ଆମର ସଂକଳ୍ପ. ଜନକଲ୍ୟାଣ ପାଇଁ ଅଭିପ୍ରାୟିତ ବିଭିନ୍ନ ବିକାଶମୁଖି କାର୍ଯ୍ୟକ୍ରମର ସଫଳ ରୂପାୟନ ସହିତ ଜନଜାତି ମାନଙ୍କର ଆସ୍ଥାଭାଜନ ହେବାକୁ ସରକାରୀ କର୍ମଚାରୀ ମାନେ ନିଷ୍ଠା ଓ ଅଙ୍ଗୀକାରବଦ୍ଧ ହୋଇ କାର୍ଯ୍ୟ କରିବାକୁ ମହାମହିମ ମାନ୍ୟଵର ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ କହିଛନ୍ତି। ଚଳିତ ନଭେମ୍ବର ୧୫ ତାରିଖ ବୁଧବାର ଦିନ ମହାମହିମ ରାଜ୍ୟପାଳ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ ଅବସରରେ କେନ୍ଦୁଝର ଅଡିଟୋରିଅମ ଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଉଦବୋଧନ ଦେଇ ଏହା କହିଛନ୍ତି। ଉଦବୋଧନ ଛଳରେ ମହାମହିମ ରାଜ୍ୟପାଳ କହିଥିଲେ ଯେ ଦେଶରେ ସ୍ୱାଧୀନତା ହାସଲ କରିବାର ୭୫ ବର୍ଷ ପୂର୍ତ୍ତି ପାଳନ ହେଉଛି ଏବଂ ଏହି ଅବସରରେ ଦେଶର ପ୍ରତ୍ୟେକ ସଂଗ୍ରାମୀ ମାନଙ୍କ ଦେଶପ୍ରେମ, ତ୍ୟାଗ ଓ ବୀରତ୍ୱ ସମ୍ବଳିତ ଜୀବନାବଳୀକୁ ଲୋକଲୋଚନକୁ ଆଣି ଯଥୋଚିତ ସମ୍ମାନ ପ୍ରଦାନ କରାଯାଉଛି। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ବାସ୍ତବରେ ଜନଜାତି ସମ୍ପ୍ରଦାୟର ଲୋକଙ୍କ ସାମୂହିକ ବିକାଶ ସାଧନ କରିବା ଲାଗି କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ଜନଜାତି ସମ୍ପ୍ରଦାୟର ଲୋକଙ୍କ ଭିତରେ ବହୁଳ ଜନସଚେତନତା ସୃଷ୍ଟି କରି ହିତାଧିକାରୀଙ୍କ ଠାରୁ ସେମାନଙ୍କ ମତାମତ ସଂଗ୍ରହ କରିବା ଏବଂ ସମସ୍ତ ଯୋଗ୍ୟ ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବା ଏହି ସଂକଳ୍ପ ଯାତ୍ରାର ଲକ୍ଷ୍ୟ ଅଟେ। ଓଡ଼ିଶାରେ ୬୨ ପ୍ରକାର ଜନଜାତି ସମ୍ପ୍ରଦାୟର ଲୋକ ବାସ କରନ୍ତି ତନ୍ମଧ୍ୟରୁ ଅନ୍ୟୁନ ୧୩ ଗୋଟି ଆଦିମ ଜନଜାତି ସମ୍ପ୍ରଦାୟ ଅଟନ୍ତି। ଆଜିର ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା କେନ୍ଦୁଝର ଏକ ଆଦିବାସୀ ବହୁଳ ଜିଲ୍ଲା ଅଟେ। ଏହି ମାଟି ବୀର ମାନଙ୍କ ମାଟି। ଧରଣୀଧର ନାଏକ ତଥା ଅନ୍ୟ ବୀରପୁତ୍ରଙ୍କ ସ୍ୱାଧୀନତା ସଂଗ୍ରାମରେ ଥିବା ଅବଦାନକୁ କିଏ ଅବା ପାଶୋରି ପାରିବ ? ସଂକଳ୍ପ ଓ କ୍ରାନ୍ତିକୁ ଜାବୁଡ଼ି ଧରିଥିବା ଏହି କେନ୍ଦୁଝର ଜିଲ୍ଲାଠୁ ଆମେ ଆଶା କରିବା ଆସନ୍ତା ବର୍ଷ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିକଶିତ ସଂକଳ୍ପ ଯାତ୍ରାରେ ଏହି ଜିଲ୍ଲାର ବାସିନ୍ଦା ମାନେ ବହୁଳ ଭାବେ ସାମିଲ ହେଇ ବିକାଶର ନୂତନ ଅଧ୍ୟାୟ ଯୋଡିବେ। କେନ୍ଦୁଝର ପରି ପବିତ୍ର ଓ ବୀର ମାଟିକୁ ଆସିଥିବାରୁ ନିଜକୁ ଗର୍ବିତ ମନେ କରୁଛି ବୋଲି ମାନ୍ୟବର ରାଜ୍ୟପାଳ କହିଥିଲେ। ଆହୁରିମଧ୍ୟ କେନ୍ଦୁଝର ମାଟିରେ ଉଭୟ କ୍ରାନ୍ତି ଓ ସଂକଳ୍ପର ଅପୂର୍ବ ସଙ୍ଗମ ଘଟିଛି। ଜନଜାତିଙ୍କ ମଧ୍ୟରେ ଅପୂର୍ବ ଏକତା ଦେଖିବାକୁ ମିଳିଥାଏ ଯାହା ସେମାନଙ୍କୁ ସ୍ୱତନ୍ତ୍ର କରିଥାଏ।ଜନଜାତି ମାନଙ୍କର ବିକାଶ ପାଇଁ ସରକାରଙ୍କ ତରଫରୁ ବହୁବିଧ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି ଯାହାର ଫଳସ୍ୱରୂପ ସେମାନଙ୍କ ମନରେ ଶିକ୍ଷା ପ୍ରତି ଆଗ୍ରହ ପରିଲକ୍ଷିତ ହେବା ଉତ୍ସାହଜନକ ହୋଇଛି। ଆର୍ଥିକ ଓ ସାମାଜିକ ସ୍ତରରେ ସେମାନଙ୍କ ବିକାଶ ହେବା ପ୍ରତି ଯୋଜନାର ଲକ୍ଷ୍ୟ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଛି ବୋଲି ମହାମହିମ ରାଜ୍ୟପାଳ କହିଥିଲେ। ଏହି ଅବସରରେ ଲାଇଭ ଲିଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଉଦବୋଧନ ପ୍ରଦର୍ଶିତ ହୋଇଥିଲା। ପ୍ରାରମ୍ଭରେ ଜିଲ୍ଲାପାଳ ଆଶିଷ ଠାକରେ ମାନ୍ୟବର ରାଜ୍ୟପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ସମାରୋହରେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ଜଗନ୍ନାଥ ନାଏକ, କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ, ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ, କେନ୍ଦୁଝର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲକ୍ଷ୍ମୀ ନାଏକ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାଗରିକା ସାହୁ ଉପସ୍ଥିତ ଥିଲେ ଏବଂ ପରିଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମହାମହିମ ରାଜ୍ୟପାଳ ପତାକା ଦେଖାଇ ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଡିଏମଏଫର ବରିଷ୍ଠ ଅଧିକାରୀ ଡଃ ସତ୍ୟସ୍ୱରୂପ ପଣ୍ଡା କାର୍ଯ୍ୟକ୍ରମ ସଂଚାଳନା କରିଥିଲେ। ଜିଲ୍ଲାପାଳ ଆଶିଷ ଠାକରେ ଓ ଏସପି ନୀତିନ କୁଶଲକରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମହାମହିମ ରାଜ୍ୟପାଳଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ ଶୃଙ୍ଖଳାର ସହ ସମାପିତ ହେଇଥିଲା।

Leave A Reply