Odisha news

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: ହିତାଧିକାରୀ ହତାଶ ; ଘରୋଇ ହାସପାତାଲ୍ ମାଲାମାଲ୍

0

କେନ୍ଦୁଝର : ବିଭିନ୍ନ ସମୟରେ ନବୀନ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବାସ୍ତବତାକୁ ରୂପାନ୍ତରିତ ହେବା ପରିବର୍ତ୍ତେ ସ୍ଥଳବିଶେଷରେ କେବଳ ଯୋଜନାରେ ହିଁ ରହିଯାଉଥିବାର ଚିନ୍ତାଜନକ ଖବର୍ ଆସିଥାଏ । ସେହିପରି ଏକ ଦୁଃଖଦ ଘଟଣା ଘଟିଯାଇଛି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଘଷିପୁରା ବ୍ଲକ୍ ସ୍ଥିତ ମଦନପୁର ଗ୍ରାମର ପରେଶ୍ ନାଥ କୁଅଁରଙ୍କ କ୍ଷେତ୍ରରେ । ପ୍ରାପ୍ତ ବିବରଣୀ ଅନୁଯାୟୀ, ଗତ ନଭେମ୍ବର ୪ ତାରିଖରେ ପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରି ପରେଶ୍ ଆନନ୍ଦପୁର ଉପଖଣ୍ଡ ଡ଼ାକ୍ତରଖାନାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ ହୋଇଥିଲେ । ତେବେ ସେଠାରେ ମଧ୍ୟ ଚିକିତ୍ସାରେ ଅବହେଳା ଉପଲବ୍ଧି କରି ତାଙ୍କ ପରିବାରର ଲୋକେ ତାଙ୍କୁ ଭୁବନେଶ୍ଵରର ଆପୋଲୋ ହାସପାତାଳରେ ଭର୍ତ୍ତି କରିଥିଲେ । ମାତ୍ର ୪ରୁ ୬ ତାରିଖ ପର୍ଯ୍ୟନ୍ତ ସେଠାରେ ପରେଶଙ୍କ ଚିକିତ୍ସା ବାବଦକୁ ଆପୋଲୋ ହାସପାତାଳ ୭୫ ହଜାର ଟଙ୍କା ବିଲ୍ କରିବାରୁ ପରିବାରବର୍ଗ ନିଜ ଘର ଡିହ ଖଣ୍ଡକୁ ବନ୍ଧକ ରଖି ବିଲ୍ ପୈଠ କରି ଡାକ୍ତରଖାନାରୁ ମୁକ୍ତ ହୋଇଥିଲେ । ଆପୋଲୋ ହାସପାତାଳରେ ବି.ଏସ୍.କେ.ୱାଇ ଡେସ୍କ୍ ଥାଇ ସୁଦ୍ଧା ସେଠାରେ, ପରେଶଙ୍କ ଘରଲୋକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଦେବା ସମୟରେ ତାହାକୁ ଗ୍ରହଣ କରାଗଲା ନାହିଁ । ପରେ ପରେଶ୍ ଘରକୁ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଇ-ମେଲ୍ ଜରିଆରେ ଦୁଃଖ ଜଣାଇବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଫରୱାର୍ଡ୍ କରିଦେଲେ । କିଛି ଦିନ ପରେ ଭୁବନେଶ୍ଵରରୁ ପରେଶଙ୍କ ନିକଟକୁ ଫୋନ୍ କଲ୍ ଆସି ତାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ, ରାସନ୍ କାର୍ଡ ଇତ୍ୟାଦି ସମସ୍ତ ଡକୁମେଣ୍ଟ୍ ମଗାଗଲା । ପରେଶ୍ ସମସ୍ତ ଡକୁମେଣ୍ଟ୍ ଦେବାପରେ ସରକାରୀ ବିଭାଗୀୟ ଅଧିକାରୀଙ୍କ ସହ ଯେତେ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମଧ୍ୟ ତା’ ସମ୍ଭବପର ହୋଇ ପାରୁ ନାହିଁ । ଏବେ, ସବୁ ଆଡୁ ନିରାଶ୍ ହୋଇ ପରେଶଙ୍କ ପରିବାର ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଥିବାର ସମ୍ବାଦ ହସ୍ତଗତ ହୋଇଛି ।

Leave A Reply